ବିଏମ୍‌ସିର ଅଂଶୁଘାତ ମୁକାବିଲା ପ୍ରସ୍ତୁତି

Advertisment
ଚିନ୍ତା ବଢ଼ାଇଲାଣି ଜଳବନ୍ଦୀ ସମସ୍ୟା

ଭୁବନେଶ୍ବର: ମାଡ଼ି ଆସୁଛି ଖରା। ଏଣୁ ଅଂଶୁଘାତର ଆଶଙ୍କା ଥିବାରୁ ବିଏମ୍‌ସି ମୁକାବିଲା ପାଇଁ ପ୍ରସ୍ତୁତି କରିଛି। ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଦାଖଲ କରିବାକୁ ବିଭିନ୍ନ ଲାଇନ୍‌ ବିଭାଗୀୟ ଅଧିକାରୀ ଯଥା ଟିପିସିଓଡିଏଲ, ୱାଟ୍‌କୋ ଓ ଅଗ୍ନିଶମ ସେବା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ଏହି ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କ ହସ୍ତଗତ ହେବା ପରେ ଏକ ଏସ୍‌ଓପି ଜାରି ହେବ ବୋଲି ଆଜି ବସିଥିବା ପ୍ରସ୍ତୁତି ବୈଠକରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

୨୦୨୧ ମସିହାରେ ଭୁବନେଶ୍ବରରେ ସର୍ବାଧିକ ୪୪.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ଏଣୁ ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ସେଥିପାଇଁ ସହରରେ ଥିବା ପ୍ରତି ୱାଟର୍‌ ଏଟିଏମ୍‌କୁ ସଚଳ କରାଯିବା ସହ ଶ୍ରମିକମାନେ ଯେଭଳି ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏଁ କାମ କରିବେ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି। ଗତ ବର୍ଷ ବିଏମ୍‌ସି ଅଂଶୁଘାତ ମୁକାବିଲା ପାଇଁ ଏଭଳି ପ୍ରସ୍ତୁତି କରିଥିଲା। ଏପ୍ରିଲ ୧ ତାରିଖଠାରୁ ଭୁବନେଶ୍ବରର ୧୩୬ ଜାଗାରେ ଜଳଛତ୍ର ଖୋଲାଯିବାକୁ ଘୋଷଣା ହୋଇଥିଲା। ଏଥିରୁ ଶହେଟିରେ ଦହି ଓ ଲସି ବଣ୍ଟାଯିବାକୁ ଯୋଜନା ହୋଇଥିଲା। ଘରୋଇ ସଂସ୍ଥା ‘ବେଦାନ୍ତ’ ସହାୟତାରେ ପ୍ରଥମଥର ପାଇଁ ଏଭଳି ଜଳଛତ୍ରର ଘୋଷଣା କରାଯାଇଥିଲେ ମଧ୍ୟ ଗୋଟିଏ ହେଲେ ଜାଗାରେ ଦହି କିମ୍ବା ଲସି ମିଳି ନଥିଲା।

୧୩୬ଟି ଜଳଛତ୍ର ମଧ୍ୟ ଖୋଲି ନଥିଲା। କେତେକ ଘରୋଇ ଅନୁଷ୍ଠାନ କେବଳ ବାହାଦୁରୀ ନେବା ପାଇଁ ଜଳଛତ୍ରର ସ୍ବୀକୃତି ନେଇ ଯାଇଥିଲେ। ଉଦ୍‌ଘାଟନ କରି ଫଟୋ ଉଠାଇ ସାରିବା ପରେ ଜଳଛତ୍ର ବନ୍ଦ ହୋଇଯାଇଥିଲା। ଏବେ କେତେ ଜାଗାରେ ଜଳଛତ୍ର ହେବ, ଘୋଷଣା ହୋଇନାହିଁ। ଏସ୍‌ଓପି ଜାରି ହେବା ପରେ ଏ ବାବଦରେ ସୂଚନା ଦିଆଯିବ ବୋଲି ବିଏମ୍‌ସି କହିଛି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ବସିଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିସନର୍ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର୍‌ ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର୍‌ (ଜନସ୍ବାସ୍ଥ୍ୟ) ଶୁଭେନ୍ଦୁ ସାହୁ, ଜେଡ୍‌ଡିସି ପ୍ରିୟବ୍ରତ ପାଢ଼ୀ, ମୁଖ୍ୟ ପୌରସ୍ବାସ୍ଥ୍ୟାଧିକାରୀ, ୱାଟ୍‌କୋ ଓ ଟିପିସିଓଡିଏଲ୍‌ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe