ବିଏମ୍‌ସିର ‘ଫଳ ବଜାର’: ହୋଇଥିଲା କ’ଣ ପାଇଁ, ହେଉଛି କ’ଣ?

ୟୁନିଟ-୧, ଯୁନିଟ-୨, ରାଜମହଲ ଛକ, କଳ୍ପନା ଆଦି ସ୍ଥାନରେ ଆଉ ବ୍ୟବସାୟୀମାନେ ଠେଲାଗାଡ଼ି ଧରି ଠିଆ ହେବନି। ଗୋଟିଏ ସ୍ଥାନରେ ସହରକୁ ଆସୁଥିବା ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ମିଳିବ।

fgfshfshfshfs

ଭୁବନେଶ୍ୱର: ୟୁନିଟ-୧, ଯୁନିଟ-୨, ରାଜମହଲ ଛକ, କଳ୍ପନା ଆଦି ସ୍ଥାନରେ ଆଉ ବ୍ୟବସାୟୀମାନେ ଠେଲାଗାଡ଼ି ଧରି ଠିଆ ହେବନି। ଗୋଟିଏ ସ୍ଥାନରେ ସହରକୁ ଆସୁଥିବା ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ମିଳିବ। ଦୋକାନୀମାନେ ଥଇଥାନ ହେବା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୨୦୧୫ ଅଗଷ୍ଟ ୩୧ ତାରିଖରେ ୟୁନିଟ୍‌-୨ ରେ ୨ କୋଟି ଟଙ୍କା ଖର୍ଚ୍ଚରେ ଫଳ ବଜାର ଉଦ୍‌ଘାଟିତ ହୋଇଥିଲା। ଏହି ୩ମହଲା କୋଠାରେ ୭୮ଜଣ ଫଳ ଦୋକାନୀଙ୍କୁ ଥଇଥାନ କରାଯିବାର ଯୋଜନା ହୋଇଥିଲା। ହେଲେ ଉଦ୍‌ଘାଟନ ପରଠାରୁ ଏଯାବତ୍‌ ଏଠାରେ ଗୋଟିଏ ବି ଫଳ ଦୋକାନ ଖୋଲି ପାରିଲା ନାହିଁ। ଫଳରେ ଏଜି ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଉଠା ଫଳଦୋକାନର ସଂଖ୍ୟା ୫୦ ଟପିଗଲାଣି। ପୁଣି ପର୍ବପର୍ବାଣୀ ସମୟରେ ଅନ୍ୟ ଲୋକ ମଧ୍ୟ ମନଇଚ୍ଛା ରାସ୍ତାରେ ଠେଲା ଥୋଇ ବେପାର କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି।  

ଗତ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ଲଟେରି ଜରିଆରେ ବିଏମ୍‌ସି ନିର୍ମିତ ଫଳ ବଜାର କୋଠାରେ ଦୋକାନୀଙ୍କୁ ଦୋକାନ ଆଲଟ୍‌ ହୋଇଥିଲା। ହେଲେ ବିବାଦ ଯୋଗୁଁ ଏହି ପ୍ରକଳ୍ପ ସାକାରା ରୂପ ନେଇପାରି ନଥିଲା। ପୁଣି ଗତ ଜୁନ୍‌ ୨୦୨୨ ରେ ମେୟର ସୁଲୋଚନା ଦାସ ଏହି ବଜାରର ସ୍ଥିତି ସମୀକ୍ଷା କରିଥିଲେ। ବ୍ୟବସାୟୀଙ୍କ ପାଇଁ ୪ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଓ ମାସକୁ ଭଡ଼ା ବାବଦକୁ ବର୍ଗଫୁଟ୍‌ ପିଛା ୩୫ ଟଙ୍କା ହିସାବରେ ମାସକୁ ୨୫୨୦ ଟଙ୍କା ଧାର୍ଯ୍ୟ କରିଥିଲେ। ହେଲେ ଫଳ ବ୍ୟବସାୟୀ ଅମଙ୍ଗ ହୋଇଥିଲେ। ସେମାନେ କହିଥିଲେ, ଏଠାରେ ଫଳ ସଜାଇ ରଖି ପ୍ରଦର୍ଶନ କରିବାକୁ କୌଣସି ଯାଗା ନାହିଁ। ପୁଣି ଏତେ ଛୋଟ ଯାଗାରେ କେତେ ଫଳ ବେପାର ହେବ ବୋଲି ପ୍ରଶ୍ନ କରି ଫଳ ବେପାର କରିବାକୁ ସେଠାକୁ ଗଲେନାହିଁ। 

ଏହାର ଫଳସ୍ୱରୂପ ଫଳ ବ୍ୟବସାୟୀଙ୍କ ଥଇଥାନ ସହିତ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ କୋଟି କୋଟି ଟଙ୍କାରେ ତିଆରି ହୋଇଥିବା ଏହି ମାର୍କେଟରେ ବର୍ତ୍ତମାନ ଡ୍ରେସ, ବହି, ଜୁଏଲାରି ଦୋକାନ ସହିତ ବିଉଟି ପାର୍ଲର ଆଦି ଖୋଲିଲାଣି। ତାହା ପୁଣି କେବଳ ତଳ ଓ ଦ୍ୱିତୀୟ ମହଲାରେ। ତୃତୀୟ ମହଲା ଏତେ ଆବଦ୍ଧ ହୋଇଯାଇଛି ଯେ ସେଠାରେ କେହି ଭଡ଼ା ନେବାକୁ ଚାହୁନାହାନ୍ତି। ଉପରେ ଥିବା ୨୬ଟି ଦୋକାନରୁ ମାତ୍ର ୨ଟି ଦୋକାନ ଖୋଲା ହୋଇପାରିଛି। ବଜାରରେ ତଳ ମହଲାର ଦୋକାନର ମାସିକ ଭଡ଼ା ୧୦ ହଜାର ପର୍ଯ୍ୟନ୍ତ ରହିଥିବା ବେଳେ ଦ୍ୱିତୀୟ ମହଲାର ଭଡ଼ା ୬ ହଜାର ଏବଂ ତୃତୀୟ ମହଲାର ୪ ହଜାର ଛୁଇଁଲାଣି।  

ସ୍ୱଚ୍ଛତା ତ ସେ ମାର୍କେଟ ପରିସରରେ ନାହିଁ କହିଲେ ଚଳେ। ମାର୍କେଟର ସମ୍ମୁଖରେ ଡ୍ରେନ ପାଣି ଭାସୁଥିବା କଡ଼ରେ ଥିବା ସ୍ଥାନ ଶୌଚାଳୟ ଓ ଡଷ୍ଟବିନ ପାଲଟିଛି। ପୁଣି ମାର୍କେଟ ଭିତରର ଅଧିକାଂଶ କାନ୍ଥ ପାନପିକରେ ଭରିଗଲାଣି। ସ୍ଥାନେ ସ୍ଥାନେ ଆବର୍ଜନା ମଧ୍ୟ ଗଦା ହୋଇରହିଛି।  ଆବଦ୍ଧ ସ୍ଥାନ ଯୋଗୁଁ ଭଲ ବିକ୍ରି ହୋଇନଥିବାରୁ ଅଧିକାଂଶ ବେପାରୀ କିଛି ଦିନ ପରେ ଦୋକାନ ଛାଡ଼ି ଦେଉଛନ୍ତି। ଉପଯୁକ୍ତ ଚିନ୍ତନ ଓ ଯୋଜନା ନକରି କେବଳ ଠିକାଦାରଙ୍କୁ ପୋଷିବାଲାଗି ଏ ବଜାର ତିଆରି ହୋଇଛି ବୋଲି ଅଭିଯୋଗ ହେଉଛି। ସ୍ଥିତିକୁ ଦେଖିଲେ ଏ ଉକ୍ତି ଭୁଲ୍‌ ବୋଲି କହିବା କଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe