ରାତିଅଧରେ ବୋମାମାଡ଼

ଅଳ୍ପକେ ବର୍ତିଗଲେ ସିକୁରିଟି ସଂସ୍ଥା ମାଲିକ

ରାତିଅଧରେ ବୋମାମାଡ଼

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ରାଜଧାନୀରେ ରାତି ଅଧିଆ ବୋମାମାଡ଼ ହୋଇଛି। କଟକ ରୋଡ୍‌ରେ ଥିବା ହୋଟେଲ ପେଣ୍ଟାଗନ୍‌ ସମ୍ମୁଖରେ ଥୁଆ ହୋଇଥିବା ଏକ କାର୍‌ ଉପରକୁ ଆଜି ରାତି ପ୍ରାୟ ୧୨ଟା ବେଳେ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର୍‌ ହୋଇଯାଇଛନ୍ତି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ କାର୍‌ର ଆଗ ଭାଗ ଭାଙ୍ଗିରୁଜି ଯାଇଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ରେ କ୍ଷତିଗ୍ରସ୍ତ କାର୍‌ ଓ କାର ମାଲିକଙ୍କୁ ଥାନାକୁ ନେଇଛି। ତେବେ ଶେଷ ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲା। ପୁଲିସ କାର୍‌ ମାଲିକଙ୍କୁ ପଚରାଉଚରା କରି ଅଭିଯୁକ୍ତମାନଙ୍କ ସଂପର୍କରେ ତଥ୍ୟ ହାସଲ କରୁଛି। କାର୍‌ ମାଲିକ ଜଣଙ୍କ ହେଲେ, ପଦିଆ ସାହୁ। ଘର ଗାଡ଼କଣ ଅଞ୍ଚଳରେ। ସେ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ। ଭୁବନେଶ୍ୱରର ବିଭିନ୍ନ ବାର୍‌ ଓ ହୋଟେଲରେ ତାଙ୍କ ସଂସ୍ଥାର କର୍ମଚାରୀ ସିକ୍ୟୁରିଟି ଗାର୍ଡ, ବାଉନସର୍‌ ଭାବେ କାମ କରନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ତାଙ୍କ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିବା ନନ୍ଦ ନାମକ ଜଣେ ଯୁବକଙ୍କ ସହ କୌଣସି କାରଣରୁ ପଦିଆଙ୍କ ଝଗଡ଼ା ହୋଇଥିଲା। ଏନେଇ ସେ ନନ୍ଦକୁ ଚାକିରିରୁ ବାହାର କରି ଦେଇଥିଲେ। ସେହି ରାଗରେ ନନ୍ଦ ଆଜି ଏପରି କାଣ୍ଡ ଘଟାଇଥିବା କୁହାଯାଉଛି। ପଦିଆ ଆଜି ପେଣ୍ଟାଗନ ହୋଟେଲକୁ ଆସିଥିବା ବେଳେ ନନ୍ଦ ଓ ତା’ର ୨ ସହଯୋଗୀ ପଦିଆଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ନିକଟରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ସେମାନେ ଲୁଚି ରହିଥିଲେ। ପଦିଆ କାମ ସାରି ଫେରିବା ବେଳକୁ ସେମାନେ ତାଙ୍କ ଉପରକୁ ୩ଟି ବୋମାମାଡ଼ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ବୋମାଗୁଡ଼ିକ ତାଙ୍କ ଦେହରେ ନ ବାଜି କାର୍‌ରେ ମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe