‘ଯଶୋଧାରା’ ଓ ‘ଉପେକ୍ଷିତା ଯଶୋଦା’ ଲୋକାର୍ପିତ: ‘ଚରିତ୍ର ଉପନ୍ୟାସ ପାଇଁ ଅଧ୍ୟୟନ, ଅନୁଶୀଳନ ଆବଶ୍ୟକ’

‘ଯଶୋଧାରା’ ଓ ‘ଉପେକ୍ଷିତା ଯଶୋଦା’ ଲୋକାର୍ପିତ: ‘ଚରିତ୍ର ଉପନ୍ୟାସ ପାଇଁ ଅଧ୍ୟୟନ, ଅନୁଶୀଳନ ଆବଶ୍ୟକ’

ଭୁବନେଶ୍ବର : ଗୌତମବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କୁ ନେଇ ମନରେ ଅନେକ ପ୍ରଶ୍ନ ଆସେ। ବିଦ୍ରୋହ ବି ଜନ୍ମ ନିଏ। କିନ୍ତୁ ଔପନ୍ୟାସିକା ପୁଷ୍ପାଞ୍ଜଳି କର ନିଜ ଉପନ୍ୟାସ ‘ଯଶୋଧାରା’ରେ ‌ଅଭିମାନୀ, ପ୍ରେମିକା ଓ ସର୍ବଂସହା ଯଶୋଧାରାଟିକୁ ଜନ୍ମ ଦେଇଛନ୍ତି। ଅନେକ ସ୍ଥାନରେ ଯଶୋଧାରାଙ୍କ ମନରେ ଔପନ୍ୟାସିକା ତର୍କସିଦ୍ଧ ଭାବେ ପ୍ରଶ୍ନ ମଧ୍ୟ ଜାଗ୍ରତ କରାଇଛନ୍ତି। ଇତିହାସ ଓ ପୁରାଣ ଶାସ୍ତ୍ରରେ ଥିବା ଚରିତ୍ରଗୁଡ଼ିକୁ ନେଇ ଚରିତ୍ର ଉପନ୍ୟାସ ଲେଖିବା ଯେତିକି ସୁବିଧା, ସେତିକି ଅସୁବିଧା। ମୌଳିକ ଉପନ୍ୟାସ ଲେଖିବାରେ ଜଣେ ଲେଖକର ଯେଭଳି ସମ୍ପୂର୍ଣ୍ଣ ସ୍ବାଧୀନତା ଥାଏ, ଚରିତ୍ର ଉପନ୍ୟାସରେ ତାହା ନଥାଏ। ଇତିହାସରୁ ବାହାରକୁ ଯାଇ କିମ୍ବା ଲୋକଙ୍କ ମନରେ ଥିବା ଛବିକୁ ଚହଲାଇ ଆମେ ଚରିତ୍ର ଉପନ୍ୟାସ ଲେଖିପାରିବା ନାହିଁ। ଚରିତ୍ର ଉପନ୍ୟାସ ରଚନା ପାଇଁ ଅଧ୍ୟୟନ, ଅନୁଶୀଳନ, ମନନ, ଚିନ୍ତନ ଓ ସୃଜନ ଆଦିର ଆବଶ୍ୟକତା ରହିଛି। ଆଜି ହୋଟେଲ ଏମ୍ପାୟାର୍ସଠା‌ରେ ଔପନ୍ୟାସିକା ପୁଷ୍ପାଞ୍ଜଳି କରଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟିକା ଭାବେ ଯୋଗଦେଇ ଏହା କହିଛନ୍ତି ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ।

ଏହି କାର୍ଯ୍ୟକ୍ରମରେ ଔପନ୍ୟାସିକା ଶ୍ରୀମତୀ କରଙ୍କ ୨ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଗୌତମବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କୁ ନେଇ ଚରିତ୍ର ଉପନ୍ୟାସ ‘ଯଶୋଧାରା’ ଓ ୧୫ଟି ଗଳ୍ପକୁ ନେଇ ଗଳ୍ପ ସଂକଳନ ‘ଉପେକ୍ଷିତା ଯଶୋଦା’। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ କହିଥିଲେ, ଭାଷାକୁ ବଞ୍ଚାଇବା ତଥା ସାହିତ୍ୟର ସୁରକ୍ଷା ପାଇଁ ଗଦ୍ୟ ସାହିତ୍ୟଠାରୁ ଭଲ ମାଧ୍ୟମ କିଛି ନଥାଏ। ଗଦ୍ୟ ଦୁର୍ବଳ ହୋଇଗଲେ ଆମ ଗଣତନ୍ତ୍ର ବି ଦୁର୍ବଳ ହୋଇଯାଏ। ଗଦ୍ୟକୁ ସୁନ୍ଦର ଭାବେ ପ୍ରାସଙ୍ଗିକ ଓ ଯୁକ୍ତିଯୁକ୍ତ କରି ଉପସ୍ଥାପନ କଲେ ଅନେକ ସମସ୍ୟା ଓ ପ୍ରସଙ୍ଗ କେବଳ କଥା‌ବାର୍ତାରେ ହିଁ ସମାଧାନ ହୋଇପାରିବ। ପ୍ରଭାବୀ ଢଙ୍ଗରେ କହିବାର ସାମର୍ଥ୍ୟ ଭାଷାର ଏକ ବଡ଼ ଦିଗ। ତାହା ସେତେବେଳେ ସମୃଦ୍ଧ ହେବ, ଯେବେ ଗଦ୍ୟ ସାହିତ୍ୟଟି ମଧ୍ୟ ସମୃଦ୍ଧ ହେବ। ଏଣୁ ଗଦ୍ୟ ସାହିତ୍ୟର ଦୁଇଟି ଦିଗ ଗଳ୍ପ ଓ ଉପନ୍ୟାସ ରଚନା ଅଧିକରୁ ଅଧିକ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଶିଶୁ ଜନ୍ମ ନେଲା ବେଳେ ମା’ ଯେମିତି ପ୍ରସବ ବେଦନା ସହିଥାଏ, ଠିକ୍‌ ସେହିଭଳି ସାରସ୍ବତ ସୃଷ୍ଟି ସମୟରେ ସ୍ରଷ୍ଟା ମଧ୍ୟ ବେଦନା ସହିଥାଏ। ଔପନ୍ୟାସିକା ପୁଷ୍ପାଞ୍ଜଳି କର ନିଜ ଭିତରେ ଯଶୋଧାରାଙ୍କୁ ଅନୁଭବ କରିଥିବାରୁ, ତାଙ୍କ ପୀଡ଼ାକୁ ମନରେ ଧାରଣ କରିଥିବାରୁ ଉପନ୍ୟାସରେ ତାଙ୍କ ଚରିତ୍ର ଏତେ ଜୀବନ୍ତ ହୋଇପାରିଛି। ଉପନ୍ୟାସଟି ପଢ଼ିଲେ ପୁରୁଷ ହେଉ କି ନାରୀ, ଯଶୋଧାରାଙ୍କ ବେଦନା ଓ ମନର ପ୍ରଶ୍ନକୁ ସହଜରେ ଅନୁଭବ କରିପାରିବ। ଔପନ୍ୟାସିକା ପ୍ରବୀଣା ମହାନ୍ତି ପୁସ୍ତକ ଦୁଇଟିର ସମୀକ୍ଷା କରି କହିଲେ ଯେ ଏହି ଉପନ୍ୟାସରେ ଔପନ୍ୟାସିକା ଯଶୋଧାରାଙ୍କୁ ଜଣେ ବିପ୍ଳବିନୀ ରୂପରେ ନ ସଜେଇ ଜଣେ କର୍ମଯୋଗିନୀ ଭାବେ ଅବତାରଣା କରିଛନ୍ତି। ସଂସାର ଭିତରେ ରହି କର୍ମ କରି ବି ଜଣେ କିଭଳି ସନ୍ନ୍ୟାସୀ ହୋଇପାରିବ, ତାହା ଯଶୋଧାରାଙ୍କ ଚରିତ୍ର ବୁଝାଇଦିଏ ବୋଲି ସେ କହିଥିଲେ।

ଔପାନ୍ୟାସିକା ଶ୍ରୀମତୀ କର ନିଜ ପୁସ୍ତକ ଦୁଇଟି ବିଷୟରେ ସାମ୍ୟକ୍‌ ଧାରଣା ଦେଇ କହିଥିଲେ, ଏକଦା ମୁଁ ଭୁଟାନ୍‌ ଯାଇଥିଲି। ସେଠାରେ ଗୌତମବୁଦ୍ଧଙ୍କ ବିଷୟରେ ବହୁତ କିଛି ଅଛି, କିନ୍ତୁ ଯଶୋଧାରାଙ୍କ ଗୋଟିଏ ଚିତ୍ର ବି ମୁଁ ଦେଖିବାକୁ ପାଇ ନ ଥିଲି। ଏହା ମୋ ମନକୁ ଆନ୍ଦୋଳିତ କରିଥିଲା। ରାତିଅଧରେ ଯେତେବେଳେ ସିଦ୍ଧାର୍ଥ, ଯଶୋଧାରାଙ୍କୁ ଛାଡ଼ି ଚାଲିଯାଇଥିଲେ, ଏହାପର ଜୀବନ ଯଶୋଧାରାଙ୍କର କେମିତି ଥିଲା? ଏ ନେଇ ମୋ ମନରେ ବହୁ ପ୍ରଶ୍ନ ବି ଉଠିଥିଲା। ବହୁ ଅଧ୍ୟୟନ ଓ ଗବେଷଣା ପରେ ମୁଁ ଏହି ପୁସ୍ତକ ଲେଖିପାରିବା ସମ୍ଭବ ହୋଇପାରିଛି। ସେହିଭଳି ବିଭିନ୍ନ ସମୟରେ ‌ତାଙ୍କର ବିଭିନ୍ନ ପତ୍ରିକାରେ ପ୍ରକାଶିତ କ୍ଷୁଦ୍ର ଗଳ୍ପର ସମାହାରକୁ ନେଇ ଗଳ୍ପ ସଂକଳନ ‘ଉପେକ୍ଷିତା ଯଶୋଦା’ ପ୍ରକାଶିତ ହୋଇଥିବା ସେ କହିଥିଲେ। କାର୍ଯ୍ୟକ୍ରମକୁ ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe