ଉଦ୍‌ଘାଟିତ ହେଲା ବୟନିକାର ଡିଜାଇନର୍‌ କଲେକ୍‌ସନ

Advertisment
ଉଦ୍‌ଘାଟିତ ହେଲା ବୟନିକାର ଡିଜାଇନର୍‌ କଲେକ୍‌ସନ

ଭୁବନେଶ୍ବର: ବୟନିକାର ଆଧୁନିକ ‘ଡିଜାଇନର୍‌ କଲେକ୍‌ସନ୍‌’ ‌ଷ୍ଟୋର ସଚିବାଳୟ ମାର୍ଗସ୍ଥିତ ବୟନ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ କହିଲେ, ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ି, ନୂଆପାଟଣା ଖଣ୍ଡୁଆ ଶାଢ଼ି, ସୋନପୁରୀ ବମ୍‌କେଇ ଶାଢ଼ି, କୋଟପାଡ଼ ଶାଢ଼ି ଓ ଟସର ବସ୍ତ୍ର ଦେଶବିଦେଶରେ ବେଶ୍ ଆଦୃତି ଲାଭ କରିଛି। ଏହାକୁ ଆହୁରି ଲୋକାଦୃତ କରିବା ପାଇଁ ଡିଜାଇନର୍‌ମାନଙ୍କ ଦ୍ବାରା ଏଥିରେ ଆଧୁନିକତାର ଛୁଙ୍କ ଦିଆଯାଇଛି। ଏସବୁ ବସ୍ତ୍ର ଓଡ଼ିଶା କଳା, ସଂସ୍କୃତି ଓ ଅତ୍ୟାଧୁନିକତାର ସୁନ୍ଦର ସମ୍ମିଶ୍ରଣ। ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ୨ ହଜାର ବର୍ଗଫୁଟ୍‌ ପରିମିତ ଜାଗାରେ ନିର୍ମିତ ଏହି ଷ୍ଟୋର୍‌ରେ ସୁପ୍ରସିଦ୍ଧ ଡିଜାଇନର୍‌ ମାନସ ରଞ୍ଜନ ଦାଶ, ବିନୟ କୁମାର ପଣ୍ଡା, ସ୍ବୀକୃତି ପ୍ରଧାନଙ୍କ ସମେତ ଏମ୍‌ ଏସ୍‌ ଡିଲାଇଟ୍‌ ସପର୍ସ ପ୍ରାଇଭେଟ୍‌ ଲିମି‌ଟେଡ୍‌ର ୫ ଜଣ ଖ୍ୟାତିସମ୍ପନ୍ନ ଡିଜାଇନର୍‌ଙ୍କ ନିଜସ୍ବ ଶୈଳୀରେ ପ୍ରସ୍ତୁତ ସାର୍ଟ, ଜ୍ୟାକେଟ୍‌, କୋର୍ଟ, ପଞ୍ଜାବୀ, କୁର୍ତ୍ତି, ଲେହେଙ୍ଗା, ଫ୍ରକ୍‌ ଓ ଚୁଡ଼ିଦାର ଆଦି ବିକ୍ରି ହେଉଛି।

ଏହାଛଡ଼ା ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ପ୍ରହ୍ଲାଦ ମେହେର ଓ ସସ୍ମିତା ମେହେରଙ୍କ ପ୍ରସ୍ତୁତ ସ୍ବତନ୍ତ୍ର ବସ୍ତ୍ର ଏଠାରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା, ବୟନିକାର ସଭାପତି ଶେଷ ମେହେର, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ଶାସନ ସଚିବ ଅଞ୍ଜନା ପଣ୍ଡା, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ସାଧାରଣ ପରିଚାଳକ ମିଲି ସାମନ୍ତରାୟ ଓ ବୟନିକାର ସଂପାଦକ ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe