ସୋସିଆଲ ମିଡିଆ ପ୍ରେମର ପରିଣତି: ପ୍ରେମିକାଙ୍କ ୨୬ ଲକ୍ଷ ଚଳୁ କରି ଚମ୍ପଟ

Advertisment
ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

The Pawprint

ଚନ୍ଦ୍ରଶେଖରପୁର : ପ୍ରେମ ହେଲା ସୋସିଆଲ୍‌ ମିଡିଆ ଜରିଆରେ। ଶଠ ପ୍ରେମିକ ଏମିତି ଜାଲ ବିଛାଇଲା ଯେ ଯୁବତୀଜଣକ ପୂରା ଅନ୍ଧ ହୋଇଗଲେ। ବିନା ଦେଖାଚାହାଁରେ ବି ନିବିଡ଼ ପ୍ରେମ ହୋଇଗଲା। ଏହା ପରେ ଧୂର୍ତ୍ତ ଯୁବତୀଙ୍କୁ ଇମୋସନାଲ୍‌ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଦେଲା। ବୁଝି ପାରିଲେନି ଯୁବତୀ। ‌ପ୍ରେମିକର ଦୁଃଖ ସହି ନ ପାରି ଆକାଉଣ୍ଟକୁ ଟଙ୍କା ପଠାଇ ଚାଲିଲେ। ହଜାର କି ପାଞ୍ଚ ହଜାର ନୁହେଁ, ପୂରା ୨୬ ଲକ୍ଷ ଟଙ୍କା ଦେଇଦେଲେ ଯୁବତୀ। ଏହାପରେ ଧୂର୍ତ୍ତ ଗାଏବ୍ ହୋଇଗଲା ସୋସିଆଲ୍‌ ମିଡିଆରୁ। ଏବେ ଯୁବତୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଇନ୍‌ଫୋସିଟି ଥାନା ଅଧୀନ ମାରୁତି ଭିଲ୍ଲା ଅଞ୍ଚଳରେ ରହୁଛନ୍ତି ଯୁବତୀ। ଗତ କିଛି ମାସ ପୂର୍ବେ ସାମାଜିକ ଗଣମାଧ୍ୟମରୁ ସେ ଉକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଲେ। ଯୁବକଜଣକ ମଧ୍ୟ ଭୁବନେଶ୍ବରର। କଥାବାର୍ତ୍ତାରୁ ଆରମ୍ଭ ହେଲା ପ୍ରେମ। ସମୟ ଯେତିକି ଗଡ଼ି ଚାଲିଲା, ସେମାନଙ୍କ ପ୍ରେମ ସେତିକି ଦୃଢ଼ ହେଲା। ମାତ୍ର ଧୂର୍ତ୍ତ ମନର ଠକାମି ବାବଦରେ ସାମାନ୍ୟତମ ସୁରାକ୍ ପାଇଲେନି ଯୁବତୀ। ଏହି ମଉକାରେ ଯୁବକଜଣକ ନିଜ ଦୁଃଖ ବଖାଣିଲା। ଯୁବତୀଙ୍କ ହୃଦୟ ତରଳିବାକୁ ଲାଗିଲା। ଏକ ବଢ଼ିଆ ଲାଭଜନକ ବ୍ୟବସାୟ କରିବାକୁ ବାଟ ଥିଲେ ବି ଅର୍ଥାଭାବ ବାଧକ ବୋଲି ବୁଝାଇଦେଲା। ଦୁହେଁ ମିଶି ଉକ୍ତ ବ୍ୟବସାୟ କଲେ ଭଲ ହୁଅନ୍ତା ବୋଲି କହିଲା। ପ୍ରେମରେ ଅନ୍ଧ ହୋଇ ଯାଇଥିବା ଯୁବତୀ ବି ବୁଝିଗ‌ଲେ। ବିଭିନ୍ନ ପର୍ଯ୍ୟାୟରେ ଯୁବକ ଦେଇଥିବା ଆକାଉଣ୍ଟ ନମ୍ବରରେ ୨୬ ଲକ୍ଷ ଟଙ୍କା ପଠାଇଦେଲେ। ଏହା ପରେ ଉଭାନ୍ ହୋଇଗଲା ପ୍ରତାରକ। ସାମାଜିକ ଗଣମାଧ୍ୟମ ବାହାରରେ ବି ଶଠକୁ ଖୋଜିଲେ ଯୁବତୀ। ମାତ୍ର ସବୁ ଚେଷ୍ଟା ବିଫଳ ହେବା ପରେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଇନ୍‌ଫୋସିଟି ଥାନା ପୁଲିସ ଯୁବତୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ଯୁବକର ଆକାଉଣ୍ଟ ନମ୍ବର ଯାଞ୍ଚ କରି ଠକ ‌ପ୍ରେମିକକୁ ଠାବ କରିବାକୁ ଛାନ୍‌ଭିନ୍ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe