ରାଉରକେଲା: ପଦବି କିମ୍ବା ସମ୍ପତ୍ତି ଦ୍ୱାରା ସଫଳତା ମପାଯାଇନଥାଏ; ବରଂ ତୁମେମାନେ ଅନ୍ୟମାନଙ୍କ ଜୀବନରେ ଯେଉଁ ମୂଲ୍ୟ ଯୋଡ଼ିବ, ତହିଁରୁ ମପାଯିବ। ସାଧୁତା, ସହାନୁଭୂତି ଓ ସେବା ଭାବନା ହେଉଛି ମହାନତାର ପ୍ରକୃତ ଲକ୍ଷଣ। ବୈଷୟିକ ଜ୍ଞାନ ନୈତିକ ଜ୍ଞାନ ଦ୍ୱାରା ପରିଚାଳିତ ହେଉ। ଉଦ୍ଭାବନ ଅନ୍ତର୍ଭୁକ୍ତି ଓ ସ୍ଥାୟୀତ୍ୱ କାମରେ ଲାଗୁ। ଶିକ୍ଷାସମାପ୍ତିପରେ ଜୀବନ କର୍ପୋରେଟ୍, ଗବେଷଣା ପ୍ରତିଷ୍ଠାନ, ସାର୍ବଜନୀନ ସେବା, ଷ୍ଟାର୍ଟଅପ୍ ଆଦି ଯେ କୌଣସି କ୍ଷେତ୍ରକୁ ନେଇଯାଉ ନା କାହିଁକି, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ରେ କରାୟତ୍ତ କରିଥିବା ମାନବିକତା, ଶୃଙ୍ଖଳା ତଥା ସମର୍ପଣର ମୂଲ୍ୟକୁ ନିଜ ସହ ବହନ କରନ୍ତୁ। ବିପିୟୁଟିର ୧୨ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳି ତଥା କୁଳାଧିପତି ଡ. ହରି ବାବୁ କମ୍ଭମପାଟି ଏହି ମର୍ମରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଛନ୍ତି।
ବିଫଳତାକୁ ଭୟ କରନି: ରାଜ୍ୟପାଳ
କୁଳାଧିପତି କହିଲେ, ବିଶ୍ୱବିଦ୍ୟାଳୟ ବାହାର ଜୀବନ ଉଭୟ ସମସ୍ୟା ଓ ନୂତନ ସମ୍ଭାବନା ଆଣିବ। ଏମିତିକି ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ବିଫଳତାକୁ ଭୟ କରନି। କାରଣ, ଏହା ହେଉଛି ପ୍ରାୟତଃ ନବସୃଜନର ପ୍ରଥମ ସୋପାନ। ସ୍ୱପ୍ନ ଦେଖିବାରେ ସାହସୀ ହୁଅ, କିନ୍ତୁ କାର୍ଯ୍ୟରେ ଦୟାଳୁ ହେବା ଆବଶ୍ୟକ। ନୂତନ ଭାରତର ଇଞ୍ଜିନିୟର ଭାବେ ତୁମେମାନେ ଭବିଷ୍ୟତକୁ ଗଠନ କରିବାର ଶକ୍ତି ବହନ କରୁଛ। ବର୍ତ୍ତମାନର ଇଞ୍ଜିନିଅର କେବଳ ସମସ୍ୟାର ସମାଧାନ କରିବାରେ ସୀମିତ ରହୁନାହାନ୍ତି; ବରଂ ସମାଜର ଆବଶ୍ୟକତା ଅନୁଯାୟୀ ସମସ୍ୟା ଖୋଜି ତା’ର ସମାଧାନ ଡିଜାଇନ୍ କରୁଛନ୍ତି। ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହୁଅ। ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ବପ୍ନକୁ ସାକାର କରିବାକୁ ହେଲେ ବିକଶିତ ଓଡ଼ିଶା ପ୍ରତି ନିଜର ବହୁମୂଲ୍ୟ ଅବଦାନ ରହୁ।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜ୍ଞାନ ହେଉଛି ଜଣେ ବ୍ୟକ୍ତିର ଭୂଷଣ
ମୁଖ୍ୟଅତିଥି ଜାତୀୟ ମୂଲ୍ୟାଙ୍କନ ଓ ଅନୁମୋଦନ ପରିଷଦ (ନାକ୍), ବେଙ୍ଗାଲୁରୁର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍.ସି. ଶର୍ମା କହିଲେ, ଜ୍ଞାନ ହେଉଛି ଜଣେ ବ୍ୟକ୍ତିର ଭୂଷଣ। ଜ୍ଞାନ କେବଳ ଶ୍ରେଣୀଗୃହର ଚାରି କାନ୍ଥ ଭିତରେ ସୀମିତ ନାହିଁ। ଏଣୁ ଶିକ୍ଷା ସମାପ୍ତିପରେ ମଧ୍ୟ ଜ୍ଞାନ ଆହରଣ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେବେ ଜୀବନରେ ଶୃଙ୍ଖଳା ଓ ବ୍ୟକ୍ତିନିର୍ମାଣ ନିତାନ୍ତ ଆବଶ୍ୟକ। ଏହା ହିଁ ଏକ ବିକଶିତ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆଗାମୀ ସମୟ ହେଉଛି ଯୁବପିଢ଼ିର ବୋଲି କହି ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ମୁଖୀନକରି ଆଗକୁ ବଢ଼ିବାକୁ ଆହ୍ବାନ କରିଥିଲେ। କୁଳପତି ପ୍ରଫେସର ଅମିୟ କୁମାର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ୩୮ ଜଣଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯାଇଥିଲା। ଏହାସହ ମୋଟ୍ ୩୦,୮୯୪ ଜଣ ଛାତ୍ରଛାତ୍ରୀ, ଯଥା-୧୭,୧୫୯ ଇଞ୍ଜିନିୟରିଂ, ୧୧୯ ଜଣ ଆର୍କିଟେକ୍ଚର, ୨୮୭୩ ଫାର୍ମାସୀ, ୬୨୬୯ ମ୍ୟାନେଜ୍ମେଣ୍ଟ୍ ଏବଂ ୪୪୭୪ ଜଣ କମ୍ପ୍ୟୁଟର ଆପ୍ଲିକେସନ୍ ଓ ସାଇନ୍ସେସ୍ର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/13/rourkela-2025-11-13-22-45-55.jpg)