ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ବ୍ରଜକିଶୋର

Advertisment
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ବ୍ରଜକିଶୋର

ଭୁବନେଶ୍ୱର : ପ୍ରଥ‌ମେ ଯୁକ୍ତ ୩ ପରୀକ୍ଷା ପରିଚାଳନାରେ ବିଭ୍ରାଟ। ଦ୍ବିତୀୟରେ ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି। ତୃତୀୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳରେ ଟପର୍‌ ତାଲିକା ପ୍ରକାଶ ନ କରିବା। ଚତୁର୍ଥରେ ସ୍ନାତକରେ ମାର୍କ ଜାଲିଆତି ଅଭିଯୋଗ। ପଞ୍ଚମରେ ଅଧ୍ୟାପକ କାମ ନକରି ଶୋଉଥିବା ନେଇ ବିସ୍ଫୋରକ ବୟାନ। ଷଷ୍ଠରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବ୍ରୋକର(ଦଲାଲ୍‌) ବୁଲୁଥିବା ନେଇ ଗଣମାଧ୍ୟମରେ ମତ ରଖିଲେ। ଏଭଳି ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଥିବା ରମା‌ଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋର ଶେଷରେ ବିଦା ହୋଇଛନ୍ତି।

ଦୀର୍ଘ ବର୍ଷ ହେଲା ପୁରୀ, ଭୁବନେଶ୍ବରର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ରଜକିଶୋରଙ୍କୁ ଶେଷରେ କୋରାପୁଟ ଜିଲ୍ଲା ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବଦଳି କରାଯାଇଛି। କୁଳାଧିପତି ତଥା ରାଜ୍ୟପାଳଙ୍କ ନିର୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ପ୍ରକାଶ କରିବା ସହ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ତଥା ଇଂରାଜୀର ଆ‌ସିଷ୍ଟାଣ୍ଟ ପ୍ରଫେସର୍‌ ଡ. ବ୍ରଜକିଶୋରଙ୍କ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ଫରେନ୍‌ ସର୍ଭିସ୍‌ ନିୟମ ଅନୁଯାୟୀ ତାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା, ଯାହାକୁ ଏବେ ପ୍ରତ୍ୟାହାର କରାଯାଉଛି ଏବଂ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଷୟରେ ଖାଲିଥିବା ଆ‌ସିଷ୍ଟାଣ୍ଟ ପ୍ରଫେସର ପଦରେ ଅବସ୍ଥାପିତ କରାଯାଇଛି। ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଉଚ୍ଚଶିକ୍ଷା ବିଭାଗର ଏଭଳି ପଦକ୍ଷେପକୁ ବିଭିନ୍ନ ଛାତ୍ର ସଙ୍ଗଠନ ସ୍ବାଗତ କରିଛନ୍ତି।

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ରମାଦେବୀ ସ୍ବୟଂଶାସିତ ବିଶ୍ବବିଦ୍ୟାଳୟକୁ ବଦଳି ହୋଇ ଆସିବା ଦିନଠାରୁ ହିଁ ବ୍ରଜକିଶୋର ବିବାଦରେ ରହିଥିଲେ। ପରୀକ୍ଷା ନିୟନ୍ତ୍ରକ ଭାବେ କାମ କରୁଥିଲେ ମଧ୍ୟ ମନ ଲାଗୁ ନ ଥିବା ଖୋଲାଖୋଲି କହିଥିଲେ। ‘ଯଦି ମୁଁ ଦକ୍ଷ ନୁହେଁ, ମୋତେ ଚାକିରିରୁ ବହିଷ୍କାର କରି ଦିଅ’ ବୋଲି ଗଣମାଧ୍ୟମ ଜରିଆରେ ଉପରିସ୍ଥ ଅଧିକାରୀଙ୍କୁ ଖୋଲାଖୋଲି ଆହ୍ବାନ ଦେଇଥିଲେ। ଏମିତିକି ଗୋଟିଏ ପରେ ଗୋଟିଏ ତ୍ରୁଟି କରିବା ସହ ପରୀକ୍ଷାରେ ବିଭ୍ରାଟ କରି ୪୦ହଜାର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିଲେ। କରୋନା ସମୟରେ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଛାତ୍ରୀ ମାନସିକ ଭାରସାମ୍ୟ ହରାଇଥିବା ବେଳେ ସ୍ନାତକ ପରୀକ୍ଷା ଚାଲିଥିବା ବେଳେ ଶେଷ ମୂହୁର୍ତ୍ତରେ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତନ କରିଥିଲେ। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନରେ ଥିବା ୪୮ଟି ଯୁକ୍ତ ୩ କଲେଜର ଛାତ୍ରୀମାନେ ହଇରାଣ ହୋଇଥିଲେ। କେବଳ ସେତିକିରେ ବ୍ରଜକିଶୋରଙ୍କ ବିବାଦ ଅଟକି ନ ଥିଲା। ପ୍ରତିବର୍ଷ ପ୍ରକାଶ ପାଉଥିବା ଟପର୍‌ ତାଲିକା ବାହାର କରି ନଥିଲେ। ଯେଉଁଥିପାଇଁ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସହ ଆଲୋଚନା କରି ଟପର୍‌ ତାଲିକା ପ୍ରକାଶ କରିବାକୁ ଅନୁ‌ରୋଧ କରିଥିଲେ। ଏବିଭିପି, ଛାତ୍ର କଂ‌ଗ୍ରେସ, ଏଆଇଏସ୍‌ଏଫ୍‌, ଏଆଇଡିଏସ୍‌ଓ ପ୍ରଭୃତି ଛାତ୍ର ସଙ୍ଗଠନ ବି କଡ଼ା ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ବି ଦେଇଥିଲେ। ଏହାପରେ କାର୍ଯ୍ୟ ନ କରି ‌ଅଧ୍ୟାପକ ଶୋଉଥିବା ନେଇ ବିବାଦୀୟ ମନ୍ତବ୍ୟ ଦେଇ ବିଶ୍ବବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକାଙ୍କ ରୋଷର ଶିକାର ହୋଇଥିଲେ। ରାଜ୍ୟ ସରକାର ଓ କୁଳାଧିପତିଙ୍କ ନିକଟ‌ରେ ବି ଅଭିଯୋଗ ପହଞ୍ଚିଥିଲା। ପରିଣାମସ୍ବରୂପ ଏବେ ତାଙ୍କୁ କୋରାପୁଟକୁ ବଦଳି କରାଯାଇଛି। ବଦଳି ପାଇଁ ୧୫ଦିନ ଆଗରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ଭୁବନେଶ୍ବରରେ ରହିବାକୁ ଉଦ୍ୟମ କରିଥିଲେ। ଏମିତିକି ରାଜଧାନୀ ନିକଟରେ ଥିବା ଏକ କଲେଜର ଅଧ୍ୟକ୍ଷ ହେବା ଲାଗି ବି ଲବି ଚଲାଇଥିଲେ। ତେବେ ତାଙ୍କର ସବୁ ଉଦ୍ୟମ ପଣ୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe