ଖଣ୍ଡଗିରି: କ୍ୟାନ୍ସରର ଚିକିତ୍ସା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସ ଏକ ବିଶ୍ୱସ୍ତରୀୟ ହସ୍ପିଟାଲ ହେବାକୁ ଯାଉଛି। ଆଗାମୀ ୬ ମାସ ଭିତରେ ଷ୍ଟେରିଓଷ୍ଟାଟିକ୍ ବଡି ରେଡିଓଥେରାପି (ଏସ୍ବିଆର୍ଟି) ଓ ବ୍ରାକିଥେରାପି (ଟ୍ୟୁମର କ୍ୟାନ୍ସର ପାଇଁ ଭିତରୁ ବିକିରଣ) ଭଳି ଅତ୍ୟାଧୁନିକ ପଦ୍ଧତି ଦ୍ୱାରା ଏଠାରେ କ୍ୟାନ୍ସର ରୋଗର ଚିକିିତ୍ସା ଉପଲବ୍ଧ ହେବ। ଖୁବ୍ଶୀଘ୍ର ଏହି ହସ୍ପିଟାଲ ଓ ଇଣ୍ଟରନ୍ୟାସନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରିବେ। ଏହି ବିରଳ ନୂତନ ପଦ୍ଧତି ଭୁବନେଶ୍ୱର ଏମ୍ସକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବ ବୋଲି କୁହାଯାଉଛି।
ସୂଚନାନୁସାରେ, ଭୁବନେଶ୍ୱର ଏମ୍ସର ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ ପରିଡ଼ା ଅଷ୍ଟି୍ରଆ ରାଜଧାନୀ ଭିଏନାସ୍ଥିତ ମିଳିତ ଜାତିସଂଘର ଇଣ୍ଟରନ୍ୟାସନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)କୁ ଆମନ୍ତ୍ରିତ ହୋଇଥିଲେ। ଲିଭର୍ କ୍ୟାନ୍ସରର ଚିକିତ୍ସା ଉପରେ ଅଧିକ ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ଆମନ୍ତ୍ରଣ କରାଯାଇଥିଲା। ଭୁବନେଶ୍ୱର ଏମ୍ସର ଭିତ୍ତିଭୂମି ବାବଦରେ ସୂଚନା ପାଇବା ପରେ ଆଇଏଇଏ ପକ୍ଷରୁ ଏହି ମିଳିତ କାର୍ଯ୍ୟକ୍ରମ କରାଯିବ ବୋଲି କର୍ତୃପକ୍ଷ ସମ୍ମତି ପ୍ରକାଶ କରିଛନ୍ତି। ତେଣୁ ଏମ୍ସରେ ଖୁବ୍ଶୀଘ୍ର ଷ୍ଟେରିଓଷ୍ଟାଟିକ୍ ବଡି ରେଡିଓଥେରାପି (ଏସ୍ବିଆରଟି) ଚିକିତ୍ସା ପାଇଁ ଆବଶ୍ୟକ ଯନ୍ତ୍ରାଂଶ ବା ଉପକରଣ ପ୍ରତିଷ୍ଠା କରିବାକୁ ଆଇଏଇଏ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ପ୍ରଫେସର ପରିଡ଼ା ଜର୍ମାନୀ ମ୍ୟାନ୍ହେମ୍ ବିଶ୍ୱବିଦ୍ୟାଳୟରେ ଏକ ଫେଲୋସିପ୍ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଏମ୍ସରେ ଚାଲିଥିବା ବିକିରଣ କ୍ୟାନ୍ସର ଚିକିତ୍ସା ପଦ୍ଧତି ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସେ ଅଂଶ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ବ୍ରାକିଥେରାପି ଉପରେ ତାଲିମ୍ ପାଇଛନ୍ତି। ତେଣୁ ଆଉ କିଛି ଦିନ ପରେ ଏଠାରେ ଟ୍ୟୁମର୍ ଭିତରେ ନିଡଲ୍ ଦ୍ୱାରା ବିକିରଣ (ବ୍ରାକିଥେରାପି) କରାଯାଇ ଚିକିିତ୍ସା କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
Follow Us