ଅନ୍ଧାରୁଆରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଶାଖା

ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପରୀକ୍ଷାଗାର, ୩ ଏକର ଜାଗା ଦେବେ ରାଜ୍ୟ ସରକାର

ଅନ୍ଧାରୁଆରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଶାଖା

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିର ଶାଖା। ଏଥିପାଇଁ ରାଜ୍ୟ ସରକାର ୩ ଏକର ଜାଗା ଚିହ୍ନଟ କରି ସାରିଛନ୍ତି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଜ୍ୟରେ ଏନ୍‌ସିଡିସିର ଏକ ଶାଖା ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ଦେଶର ସମୁଦାୟ ୧୦ଟି ରାଜ୍ୟରେ ଏହାର ଶାଖା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏଥିରେ ଓଡ଼ିଶାର ନାଁ ରହିଥିଲା। ହେଲେ ଜାଗା ଚିହ୍ନଟ ଅଭାବ ଯୋଗୁଁ ଏହାର ପ୍ରତିଷ୍ଠା ବିଳମ୍ବ ହୋଇଥିଲା। ପରବର୍ତୀ ସମୟରେ ଦେଶର ଆହୁରି ୪ଟି ରାଜ୍ୟରେ ଏନ୍‌ସିଡିସିର ଶାଖା ନିର୍ମାଣ ପାଇଁ ଯୋଜନା ହୋଇଥିବା ବେଳେ ଏଥିରେ ପୁନର୍ବାର ଓଡ଼ିଶାକୁ ସାମିଲ କରାଯାଇଥିଲା। କେନ୍ଦ୍ର ସରକାର ପ୍ରଥମେ ଦେଇଥିବା ପ୍ରସ୍ତାବର ୫ବର୍ଷ ପରେ ରାଜ୍ୟ ସରକାର ଏହାର ଶାଖା ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଛନ୍ତି। ଅନ୍ଧାରୁଆଠାରେ ୩ ଏକର ଜାଗା ଚିହ୍ନଟ କରାଯାଇଛି। ଏଠାରେ ଏକ ଅତ୍ୟାଧୁନିକ ପରୀକ୍ଷାଗାର ନିର୍ମାଣ କରାଯିବ।

ବିଶ୍ବବ୍ୟାପୀ ଏବେ ଅନେକ ନୂଆ ନୂଆ ରୋଗ ଓ ମହାମାରୀ ଦେଖାଦେଉଛି। ଏଭଳି ପରିସ୍ଥିତିରେ ଏସବୁ ରୋଗର ଚିହ୍ନଟ ପାଇଁ ସବୁବେଳେ ଅତ୍ୟାଧୁନିକ ପରୀକ୍ଷାଗାରର ଆବଶ୍ୟକତା ରହିଛି। ତେଣୁ ଏନ୍‌ସିଡିସିର ଏହି ଶାଖାରେ ଜିକା, ଇବୋଲା, ସ୍ବାଇନ୍ ଫ୍ଲୁ ଭଳି ରୋଗର ପରୀକ୍ଷା ହୋଇପାରିବ। ଏହାସହ ଓଡ଼ିଶାରେ ଦେଖିବାକୁ ମିଳୁଥିବା ବିଭିନ୍ନ ରୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ ହୋଇପାରିବ। ଏହି ପରୀକ୍ଷାଗାର ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି କେନ୍ଦ୍ର ସରକାର ଯୋଗାଇଦେବେ। ଏହାସହ ଆବଶ୍ୟକ ପାଥୋଲୋଜିଷ୍ଟ, ମହାମାରୀ ବିଶେଷଜ୍ଞ, ଆର୍‌ଆର୍‌ଟି ଭଳି ଆବଶ୍ୟକ କର୍ମଚାରୀ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିବେ। ୩ ହଜାର ବର୍ଗଫୁଟ୍‌ରେ ଏହାର ବିଲ୍ଡିଂ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ ଶାଖାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ୧୦ଟି ରାଜ୍ୟରେ ଏନ୍‌ସିଡିସିର ଶାଖା ପ୍ରତିଷ୍ଠା ହୋଇସାରିଛି। ନିକଟରେ ହୋଇଥିବା ଆଉ ଏକ ପ୍ରସ୍ତାବରେ ଓଡ଼ିଶା ସ୍ଥାନ ପାଇଛି। ବିଭିନ୍ନ ରୋଗର ଚିହ୍ନଟ ପାଇଁ ଓଡ଼ିଶାରେ ଅଧିକାଂଶ ସମୟରେ ଆରଏମ୍‌ଆରସି ଉପରେ ନିର୍ଭର କରିବାକୁ ପଡ଼ୁଛି। ଆରଏନ୍‌ଆରସି ଏକ ସ୍ବୟଂଶାସିତ ସଂସ୍ଥା ହୋଇଥିବାରୁ ଅନେକ ସମୟରେ ଏହାକୁ ନେଇ କେତେଟା ସମସ୍ୟା ଦେଖାଦେଉଛି। ତେଣୁ ଓଡ଼ିଶାରେ ସ୍ବତନ୍ତ୍ର ଭାବେ ଏନ୍‌ସିଡିସିର ଶାଖା ନିର୍ମାଣ ହେଲେ ଏଠାରେ ରୋଗ ଚିହ୍ନଟ ପାଇଁ ଅନ୍ୟ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହାସହ ଯଦି କୌଣସି ସମୟରେ ରୋଗ ବ୍ୟାପେ, ତାହାଲେ ଏନ୍‌ସିଡିସିରେ ଥିବା ଆରଆରଟି ବା ରାପିଡ୍ ରେସପନ୍‌ସ ଟିମ୍ ଏହାର ନିରୀକ୍ଷଣ କରିପାରିବେ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe