ରାତି ଅଧରେ ଥରିଲା ଦାରୁଠେଙ୍ଗ, ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା

Advertisment
ରାତି ଅଧରେ ଥରିଲା ଦାରୁଠେଙ୍ଗ, ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା

Unsplash

ଭୁବନେଶ୍ବର: ଗତକାଲି ରାତିରେ ଚନ୍ଦକା ଥାନା ଦାରୁଠେଙ୍ଗ ଗାଁ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ଯୋଗୁଁ ଥରହର ହୋଇଥିଲା। ୭/୮ ଜଣ ଦୁର୍ବୃତ୍ତ ନାଲୁ ପାଣ୍ଡିଆଙ୍କ ଘର ଉପରକୁ ଘନଘନ ବୋମାମାଡ଼ କରିଥିବା ବେଳେ ଫାଙ୍କା ଗୁଳି ଚାଳନା କରି ପରିବାରକୁ ରାତିସାରା ଗୃହବନ୍ଦୀ କରି ରଖିଥିଲେ। ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ବି ଗାଁରୁ କେହି ପାଟି ଫିଟାଇନଥିଲେ କି ପୁଲିସ ମଧ୍ୟ ପହଞ୍ଚିନଥିଲା। ସକାଳ ହେବା ପୂର୍ବରୁ ଦୁର୍ବୃତ୍ତମାନେ ଚାଲିଯାଇଥିଲେ ଓ ନାଲୁ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରୁ ବୋମାମାଡ଼ଜନିତ ପାଉଁଶ ଓ ସୁତୁଲି ଆଦି ନମୁନା ସଂଗ୍ରହ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ୬ଜଣ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି।

ନାଲୁ ପାଣ୍ଡିଆଙ୍କ ଏତଲା ମୁତାବକ, ସୋମବାର ରାତି ପ୍ରାୟ ୧୨ଟା ବେଳେ ଏକ ନାଲି ରଙ୍ଗର କାର୍‌ରେ ପ୍ରାୟ ୭ରୁ ୮ଯୁବକ ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ଚିତ୍କାର କରି ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବାକୁ ଧମକ ଦେଇଥିଲେ। ଭୟରେ ପରିବାର ଲୋକେ କବାଟି ଫିଟାଇନଥିଲେ। କିଛି ସମୟ ପରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ଏମିତିକି ବାହାରେ ସେମାନେ ଫାଙ୍କା ଗୁଳିଚାଳନା କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେମାନେ ଖଣ୍ଡା ବୁଲାଇ ସେଠାରେ ଆତଙ୍କ ଖେଳାଇଥିଲେ। ପୁଣି ଭୋର୍ ୪ଟା ବେଳକୁ ତାଙ୍କ ଘରର ଗ୍ରିଲ୍‌କୁ ବୋମାମାଡ଼ ହୋଇଥିଲା। ଭୋର୍ ହୋଇଯିବାରୁ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜମି କିଣିଲେ ମୁଣ୍ଡ ଗଡ଼ାଇବେ ବୋଲି ଧମକ ଦେଇ ପଳାଇଥିଲେ। ନାଲୁଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି ଯେ କୌଣସି ଜମି କିଣାବିକାକୁ ନେଇ ଏହି ଗୁଣ୍ଡାମାନଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe