ରହସ୍ୟମୟ ଲାଞ୍ଚ ମାମଲା : ସିସିଟିଭିକୁ ମାତ୍ ଦେଲା ମାସ୍କ

Advertisment
୩ ହଜାର ଟଙ୍କା ଲାଞ୍ଚ ନେଇ ପୂର୍ବ ଡାଟା ଏଣ୍ଟ୍ରି ଅପରେଟର ଗିରଫ

The Economic Times

ପୁରୁଣା ଭୁବନେଶ୍ୱର : ଓଡ଼ିଶା ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ଚାମ୍ବରରୁ ପୁଲିସ ଜବତ କରିଥିବା ଏକ ଲକ୍ଷ ଟଙ୍କାକୁ ନେଇ ଦୁଇ ଦିନ ହେଲା ତନାଘନା ଚାଲିଛି। କିନ୍ତୁ ସମସ୍ତ ଅନୁମାନ ଓ ପୁଲିସ ତଦନ୍ତରୁ ସାମାନ୍ୟତମ ସୁରାକ୍‌ ମିଳି ପାରିନାହିଁ। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ମଧ୍ୟ ମାସ୍କ ପିନ୍ଧା ଯୁବକଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ତେଣୁ ଏମିତି ବିଚିତ୍ର ଢଙ୍ଗରେ ଦିଆଯାଇଥିବା ଏହି ଲାଞ୍ଚକୁ ନେଇ ପୁଲିସଠାରୁ ଆରମ୍ଭ କରି ବିହନ ନିଗମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଜୋର୍‌ଦାର ତର୍ଜମା ଚାଲିଛି। ପୁଲିସ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରୁଛି କି ନା, ତାହାକୁ ନେଇ ଏବେ ସାଧାରଣରେ ବଡ଼ ଉତ୍ସୁକତା ଦେଖିବାକୁ ମିଳିଛି।

ଗତକାଲି ଶ୍ରୀଲିଙ୍ଗରାଜ ଥାନା ପୁଲିସ ବିହନ ନିଗମ କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। କିନ୍ତୁ ବଡ଼ ଚତୁରତାର ସହ ଯୁବକ ଜଣକ ସିସିଟିଭି କ୍ୟାମେରାଠାରୁ ଦୂରେଇ ରହିଥିବା ଜଣାପଡ଼ିଛି। ତାଙ୍କ ମୁହଁରେ ମାସ୍କ ଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। ଏମିତିକି ତାଙ୍କ ବାଇକ୍‌ଟି ମଧ୍ୟ ସିସିଟିଭି କ୍ୟାମେରାଠାରୁ ବେଶ୍ ନିରାପଦ ଦୂରତାରେ ରହିଛି। ବାଇକ୍‌ ଫଟୋ ଥିଲେ ବି ନମ୍ବର ଜଣାପଡ଼ୁନାହିଁ। ତେଣୁ ଯୁବକ ଜଣକ ଏହି କାର୍ଯ୍ୟାଳୟ ସହିତ ଭଲ ଭାବେ ପରିଚିତ ବୋଲି ସ୍ପଷ୍ଟ ହୋଇଛି। ତେବେ ପ୍ରଶ୍ନ ହେଉଛି ବଡ଼ ଚତୁରତାର ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଶିବା ସତ୍ତ୍ବେ ଯୁବକଙ୍କ ଟଙ୍କା କାରବାର ପ୍ରଘଟ ହେଲା କାହିଁକି। ନିର୍ଦ୍ଦେଶକଙ୍କୁ ଫସାଇବାକୁ ଯଦି କେହି ଯୋଜନାବଦ୍ଧ ଷଡ଼ଯନ୍ତ୍ର କରୁଥିଲେ, ତେବେ ଏତେ ବଡ଼ ପରିମାଣର ଟଙ୍କା (ଏକ ଲକ୍ଷ ଟଙ୍କା) ଫୋପାଡ଼ି ଦେବା ଦରକାର ନଥିଲା ବୋଲି କୁହାଯାଉଛି। ୨୦/୨୫ ହଜାର ଟଙ୍କାରେ ବି ଏହି କାମ ହୋଇପାରିଥାନ୍ତା! ବିଜୟ ବାବୁ କିଏ? ବିହନ ନିଗମ ସହିତ ତାଙ୍କର କି ପ୍ରକାର ବ୍ୟବସାୟ ରହିଛି? ସେ ନିଗମକୁ ବିହନ ଯୋଗାଣ କରନ୍ତି ନା ନିଗମଠାରୁ ବିହନ କିଣନ୍ତି, ଏହା ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ସେହିଭଳି ବିଜୟ ବାବୁ ଅଫିସକୁ ଲାଞ୍ଚ ଟଙ୍କା ପଠାଇଥିବାରୁ ନିର୍ଦ୍ଦେଶକ ଡରିଗଲେ କି? ଭିଜିଲାନ୍‌ସ ରଙ୍ଗ ବୋଳା ଟଙ୍କା ଡରରେ ସେ କଥାକୁ ପ୍ରଘଟ କରିଦେଲେ କି? ଏମିତି ଆହୁରି କିଛି ଅସମାହିତ ପ୍ରଶ୍ନ ଏବେ ବି ରହସ୍ୟ ହୋଇ ରହିଛି। ତେଣୁ ନିଗମ ସହ ବିହନ କିଣାବିକାରେ ଯେଉଁ ବ୍ୟବସାୟୀମାନଙ୍କର ନିୟମିତ କାରବାର ରହିଛି, ସେମାନଙ୍କ ତଥ୍ୟକୁ ନେଇ ଛାନ୍‌ଭିନ୍ କରାଗଲେ, ବିଜୟବାବୁଙ୍କୁ ଠାବ କରାଯାଇପାରିବ ବୋଲି ପୁଲିସ ଅନୁମାନ ଲଗାଇଛି।

ଏ ସମ୍ପର୍କରେ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ ଯେ ଗତକାଲି ଜଣେ ଅପରିଚିତ ଯୁବକ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଚାମ୍ବରକୁ ଯାଇଥିଲେ ଓ ବିଜୟବାବୁ ପଠାଇଛନ୍ତି କହି ଏକ ଲକ୍ଷ ଟଙ୍କା ଭର୍ତ୍ତି ଥିବା ପ୍ୟାକେଟ୍‌କୁ ତାଙ୍କ ଟେବୁଲ ଉପରେ ରଖି ପଳାଇଥିଲେ। ଏ ନେଇ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପୁଲିସକୁ ଜଣାଇବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଉକ୍ତ ଟଙ୍କାକୁ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe