ବିପଦସଂକୁଳ ପଥରବନ୍ଧ ବ୍ରିଜ୍‌

Advertisment
ବିପଦସଂକୁଳ ପଥରବନ୍ଧ ବ୍ରିଜ୍‌

ଭୁବନେଶ୍ବର: ବିଏମ୍‌ସିର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ପଥରବନ୍ଧ ବସ୍ତିରେ ଥିବା ଟାଇଗର୍‌ କ୍ଲବ ନିକଟ ୪ ନମ୍ବର ମୁଖ୍ୟ ଡ୍ରେନ୍‌ ଉପରବ୍ରିଜ୍‌ ସଂପୂର୍ଣ୍ଣ ବିପଦସଂକୁଳ ହୋଇପଡ଼ିଛି। ଉପର ଚକ୍‌ଚକ୍‌ ଦେଖାଯାଉଥିବା ବେଳେ ତଳଭାଗ ସିମେଣ୍ଟ୍‌ ସଂପୂର୍ଣ୍ଣ ଖାଇ ଗଲାଣି ଓ ଲୁହାରଡ୍‌ ସବୁ ବାହାରକୁ ଦେଖାଗଲାଣି। ବ୍ରିଜ୍‌ର ମରାମତି କିମ୍ବା ନୂତନ ବ୍ରିଜ୍‌ ନିର୍ମାଣ ନ ହେଲେ ପାଖାପାଖି ୫ ହଜାର ଲୋକ ପ୍ରଭାବିତ ହେବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବ୍ରିଜ୍‌ ମରାମତି ନେଇ ସେମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ସମାଧାନ ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି।

‘ହାତେ ମାପି ଚାଖଣ୍ଡେ ଚାଲୁଛୁ’
ଖସୁଛି ସିମେଣ୍ଟ ଅତଡ଼ା, ରଡ୍‌ରେ କଳଙ୍କି
ଭାଙ୍ଗିଗଲେ ବନ୍ଦୀ ହୋଇଯିବେ ୫ହଜାର ଲୋକ

ସୂଚନା ଅନୁସାରେ, ୩୧ ଅଗଷ୍ଟ ୨୦୦୬ରେ ସ୍ବାୟତ୍ତ ଶାସନ ଦିବସ ଅବସରରେ ଏହି ବ୍ରିଜ୍‌ ଉଦ୍‌ଘାଟନ ହୋଇଥିଲା। ତା’ ପରଠାରୁ ଏହାର ଆଉ ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଇନାହିଁ। ଦୀର୍ଘ ୧୭ବର୍ଷ ହେଲା ବର୍ଷତମାମ ଡ୍ରେନ୍‌ ପାଣି ପ୍ରବାହିତ ହେଉଥିବାରୁ ବ୍ରିଜ୍‌ର ଉଭୟ ପାର୍ଶ୍ବର ପାଇଲିଂ ସଂପୂର୍ଣ୍ଣ ନଷ୍ଟ ହୋଇଗଲାଣି। ବ୍ରିଜ୍‌ର ତଳଭାଗ ସିମେଣ୍ଟ୍‌ ସବୁ ଖସି ରଡ୍‌ ବାହାରକୁ ଦେଖାଯାଉଛି। ଏବର୍ଷ ମୌସୁମୀ ବର୍ଷାରେ ଡ୍ରେନ୍‌ରେ ଜୋର୍‌ରେ ବର୍ଷା ପାଣି ପ୍ରବାହିତ ହେଲେ, ବ୍ରିଜ୍‌ଟି ସଂପୂର୍ଣ୍ଣ ଭୁଶୁଡ଼ିଯିବାର ଆଶଙ୍କା ପ୍ରକାଶ କରାଯାଉଛି। ଏହି ବ୍ରିଜ୍‌ ଉପରେ ସ୍ଥାନୀୟ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ବ୍ରିଜ୍‌ ଦେଇ ଯାଇଥିବା ରାସ୍ତା ସତ୍‌ସଙ୍ଗ ବିହାର ମୁଖ୍ୟରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତାରେ ଲୋକମାନେ ଭିଏସ୍‌ଏସ୍‌ ନଗର ଓ ବାଣୀବିହାର ଯାତାୟାତ କରନ୍ତି। ଏହି ବ୍ରିଜ୍‌ଟି ସ୍ଥାନୀୟ ଲୋକଙ୍କ ଲାଇଫ୍‌ଲାଇନ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ବ୍ରିଜ୍‌ଟି ଭାଙ୍ଗିଯାଏ, ତେବେ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସଂପୂର୍ଣ୍ଣ ଠପ୍‌ ହୋଇଯିବ।

ସ୍ଥାନୀୟ ବାସିନ୍ଦା ଜ୍ୟୋତ୍ସ୍ନାରାଣୀ ନାୟକଙ୍କ କହିବାନୁସାରେ, ପ୍ରତିଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯାଉଛନ୍ତି। ବ୍ରିଜ୍ ସାଇଡ୍‌ୱାଲ୍‌ ମଧ୍ୟ ଭାଙ୍ଗିଗଲାଣି। ତା’ର ମରାମତି କରାଯାଉନି। ଯଦି ପିଲାମାନେ ଭାରସାମ୍ୟ ହରାଇ ତଳକୁ ପଡ଼ିଯାଆନ୍ତି, ଜୀବନ ଯିବା ଥୟ। ଅନ୍ୟଜଣେ ବାସିନ୍ଦା ଶରତ ସାହୁଙ୍କ କହିବାନୁସାରେ, ଉପରକୁ ବ୍ରିଜ୍‌ଟି ପ୍ରାୟ ଠିକ୍‌ଠାକ୍‌ ଦେଖାଯାଉଥିଲେ ହେଁ ତଳଭାଗ ଲୁହାରଡ଼୍‌ ସବୁ କଳଙ୍କି ଖାଇଗଲାଣି। ସାମାନ୍ୟ ଦୁଇ ଚକିଆଯାନ ବ୍ରିଜ୍‌ ଉପରେ ଗଲେ କମ୍ପନ ସୃଷ୍ଟି ହେଉଛି। ତେଣୁ ହାତେ ମାପି ଚାଖଣ୍ଡେ ଚାଲୁଛୁ। ତୁରନ୍ତ ବ୍ରିଜ୍‌ ମରାମତି କିମ୍ବା ନୂଆ ବ୍ରିଜ୍‌ ନିର୍ମାଣ କରାନଗଲେ ସ୍ଥାନୀୟ ଲୋକ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe