ରାଜଧାନୀରେ ବେଧଡ଼କ ବ୍ରାଉନ୍‌ ସୁଗାର ବେପାର

Advertisment

ହଳଦୀପଡ଼ିଆ, ଭରତପୁର, ଡୁମୁଡୁମା, ଚକେଇସିଆଣୀ, ପୁରୁଣା ଭୁବନେଶ୍ୱରରେ ଡିପୋ, ନାର୍କୋଟିକ୍ସ ସମେତ ୬ ବିଭାଗ ଚୁପ୍‌

ହଳଦୀପଡ଼ିଆ, ଭରତପୁର, ଡୁମୁଡୁମା, ଚକେଇସିଆଣୀ, ପୁରୁଣା ଭୁବନେଶ୍ୱରରେ ଡିପୋ, ନାର୍କୋଟିକ୍ସ ସମେତ ୬ ବିଭାଗ ଚୁପ୍‌

ପୁଣି ଜବତ ହେଲା ବ୍ରାଉନ୍ ସୁଗାର: ୨ ଗିରଫ, ବାଇକ୍‌ରୁ ମିଳିଲା ୧୧ ଗ୍ରାମ୍‌

ଭୁବନେଶ୍ୱର: ରାଜଧାନୀରେ ବେଧଡ଼କ ଭାବେ ଚାଲିଛି ବ୍ରାଉନ୍‌ ସୁଗାର କାରବାର। ମାତ୍ର ଶହେ ଟଙ୍କାରେ ମିଳୁଛି ବ୍ରାଉନ୍‌ ସୁଗାର ପୁଡ଼ିଆ। ବେପାର ଚାଲିଛି କୋଡଓ୍ଵାର୍ଡରେ। ହଳଦୀପଡ଼ିଆ, ଭରତପୁର, ପୁରୁଣା ଭୁବନେଶ୍ୱର, ଚକେଇସିଆଣୀ, ଡୁମୁଡୁମା ଅଞ୍ଚଳରେ ରହିଛି ବ୍ରାଉନ୍‌ ସୁଗାରର ଡିପୋ। ଦିନ ରାତି ୨୪ ଘଣ୍ଟା ଏ ସବୁ ସ୍ଥାନରେ ବେଶ୍‌ ସହଜରେ ବ୍ରାଉନ୍‌ ସୁଗାର ମିଳୁଛି। କିଛି ମହିଳା ଏ ସବୁ କାରବାରରେ ସଂପୃକ୍ତ ଅଛନ୍ତି। ବଡ଼ କଥା ହେଉଛି ବ୍ରାଉନ୍‌ ସୁଗାର କାରବାର ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନାର୍କୋଟିକ୍ସ ବିଭାଗ ସମେତ ୬ଟି ଭିନ୍ନ ଭିନ୍ନ ବିଭାଗର କ୍ଷମତା ରହିଛି। କିନ୍ତୁ କୌଣସି ଗୋଟିଏ ବିଭାଗ ଏଭଳି କାରବାର ରୋକିବା ଉପରେ ଧ୍ୟାନ ଦେଉ ନାହାନ୍ତି। ଫଳରେ ଏହାର ପ୍ରଭାବ ରାଜଧାନୀର ଯୁବବର୍ଗ ଉପରେ ପଡ଼ିବା ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଉପୋରକ୍ତ ସ୍ଥାନଗୁଡ଼ିକରେ କିଛି ବଙ୍ଗୀୟ ଯୁବକ ଏଭଳି କାରବାର ଚଳାଉଛନ୍ତି। ସେମାନଙ୍କୁ ସହଯୋଗ କରୁଛନ୍ତି କିଛି ମହିଳା ଓ ଛୋଟ ପିଲା। ଛୋଟ ପିଲାମାନେ ବସ୍ତିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଜଗି ରହୁଛନ୍ତି। ପୁଲିସ କିମ୍ବା ଅବକାରୀ କେହି ଆସିବା କ୍ଷଣି ସେମାନେ ତୁରନ୍ତ ହୁଇସିଲ ବଜାଇ ସର୍ତକ କରାଇ ଦେଇଥାନ୍ତି। ହୁଇସିଲ ବାଜିବା କ୍ଷଣି ମହିଳାମାନେ ସେମାନଙ୍କ ଅନ୍ତବସ୍ତ୍ର ଭିତରେ ବ୍ରାଉନ୍‌ସୁଗାର ପୁଡ଼ିଆକୁ ଲୁଚାଇ ଦେଇଥାନ୍ତି। ଫଳରେ ପୁଲିସ କିମ୍ବା ଅବକାରୀ ବିଭାଗ ଟେର ପାଇବାକୁ ଅସମର୍ଥ ହୋଇଥାନ୍ତି। ହଳଦୀପଡ଼ିଆ ବସ୍ତିରେ ଏକ ସ୍କର୍ପିଓରେ ଜଣେ ଯୁବକ ବ୍ରାଉନ୍‌ ସୁଗାର ପୁଡ଼ିଆ ନେଇ ଗେମ ନାମକ ଜଣେ ମହିଳାଙ୍କୁ ଦେଇଥାନ୍ତି। ଗେମର ଥିବା ଏକ ପାନ ଦୋକାନରେ ଏସବୁ ପୁଡ଼ିଆକୁ ବିକ୍ରି କରିଥାନ୍ତି। ସେହି ସ୍କର୍ପିଓ ଚାଳକ ଜଣକ ଡୁମୁଡୁମା, ଭରତପୁର ଓ ପୁରୁଣା ଭୁବନେଶ୍ୱରରେ ଥିବା ଉକ୍ତ ଡିପୋକୁ ମଧ୍ୟ ବ୍ରାଉନ୍‌ ସୁଗାର ଯୋଗାଇଥାନ୍ତି। ଏଭଳି କାରବାର ଏବେ ରାଜଧାନୀର ଆଉ କିଛି ବସ୍ତିରେ ଆରମ୍ଭ ହେବାରେ ଲାଗିଲାଣି। ଏୟାରପୋର୍ଟ ଓ କାରଗିଲ ରୋଡ୍‌ ଅଞ୍ଚଳରେ ଏବେ କିଛି ବ୍ୟକ୍ତି ବ୍ରାଉନ୍‌ସୁଗାର ବିକ୍ରି କରିବା ଆରମ୍ଭ କରିଛନ୍ତି। ଯାହା ସୂଚନା ମିଳିଛି, ରାଜଧାନୀକୁ ବାଲେଶ୍ୱର ଓ ଛତିଆ ବାଟ ହୋଇ ବ୍ରାଉନ୍‌ ସୁଗାର ଆସୁଛି।

ବ୍ରାଉନସୁଗାର କାରବାର ପଛରେ ରାଜଧାନୀରେ ଏକ ର‍୍ୟାକେଟ୍‌ କାମ କରୁଛି। ମୋଟା ଅଙ୍କର ବଟି ମଧ୍ୟ ଯାଉଛି ଅବକାରୀ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ, ନାର୍କୋଟିକ୍ସ ଅଧିକାରୀ, କଷ୍ଟମ ଅଧିକାରୀ ନିକଟକୁ। ବଡ଼କଥା ହେଉଛି ବ୍ରାଉନସୁଗାର କାରବାର କରୁଥିବା ବ୍ୟବସାୟୀମାନଙ୍କୁ ଗିରଫ କରିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜ୍ୟ ଅବକାରୀ ବିଭାଗ, କେନ୍ଦ୍ରୀୟ କଷ୍ଟମ ବିଭାଗ, କେନ୍ଦ୍ରୀୟ ଅବକାରୀ, କୋଷ୍ଟଗାର୍ଡ, ଡାଇରେକ୍ଟୋରେଟ୍‌ ରେଭେନ୍ୟୁ ଇଣ୍ଟେଲିଜେ୍‌ନ୍ସ ଭଳି ପ୍ରମୁଖ ଏକାଧିକ ତଦନ୍ତକାରୀ ସଂସ୍ଥା ରହିଛି। ଏ ସବୁ ସଂସ୍ଥା କେବେ ବି ଭୁବନେଶ୍ୱରରେ ଚାଲିଥିବା ବ୍ରାଉନ୍‌ସୁଗାର କାରବାର ଉପରେ ଚଢ଼ଉ କରି ନାହିଁ କିମ୍ବା କୌଣସି ବେପାରୀଙ୍କୁ ଗିରଫ ମଧ୍ୟ କରିନାହିଁ।

ଏ ସମ୍ପର୍କରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଲ୍ୟାଣ୍ଡ୍‌ ଲାଇନ୍‌ ନମ୍ବର-୦୬୭୪-୨୪୭୫୫୩୧କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଅବକାରୀ ବିଭାଗ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାଶ କହିଛନ୍ତି, ଯେଉଁମାନେ ବ୍ରାଉନ୍‌ସୁଗାର ବିକ୍ରି କରୁଛନ୍ତି ସେମାନଙ୍କ ପାଖରେ ୧୦ରୁ ୨୦ ଗ୍ରାମ ବ୍ରାଉନ୍‌ ସୁଗାର ରହୁଛି। ଅବକାରୀ ବିଭାଗ ପହଞ୍ଚିବା କ୍ଷଣି ସେମାନେ ବେଶ ସହଜରେ ଏସବୁକୁ ଲୁଚାଇ ଦେଉଛନ୍ତି। ଏ ସମ୍ପର୍କରେ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜଧାନୀରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ପୁଲିସ ନଜର ରଖିଛି। ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe