କଟକ: ସ୍ୱାମୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ଜଣେ କର୍ମଚାରୀ। କିନ୍ତୁ ତାଙ୍କ ସ୍ତ୍ରୀ ହେଉଛନ୍ତି ହଳଦୀପଡ଼ିଆ ବସ୍ତିର ଜଣେ ବ୍ରାଉନ୍ସୁଗାର ଡିଲର୍। ଆଜି ଏହି ବ୍ରାଉନ୍ସୁଗାର ଡିଲର୍ ମଇନା ରାଉତରାୟ(୩୮)ଙ୍କୁୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି। ତାଙ୍କ ଘରୁ ମୋଟ ୨୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ପାଖାପାଖି ୨୦୨ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ସେ ଗଚ୍ଛିତ ରଖିଥିଲେ।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ମଇନା ଦୀର୍ଘ ବର୍ଷ ହେବ ବ୍ରାଉନ୍ସୁଗାର ବ୍ୟବସାୟ କରି ଆସୁଛନ୍ତି। ଆଜି ସକାଳେ ବାଲେଶ୍ୱରରୁ ଏକ ବୋଲେରୋ ଗାଡ଼ିରେ ତାଙ୍କ ଘରକୁ ବ୍ରାଉନ୍ସୁଗାର ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗ ଆଗୁଆ ଖବର ପାଇଥିଲା। ତଥ୍ୟ ଆଧାରରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବିଭାଗର ଅଧିକାରୀ ଛକି ରହିଥିଲେ। କିନ୍ତୁ କୌଣସି କାରଣରୁ ଗାଡ଼ି ଆସି ନଥିଲା। ମଇନା ଘରେ ୨୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ପୂର୍ବରୁ ମହଜୁଦ ହୋଇ ରଖାଯାଇଥିବା ବିଭାଗର କର୍ମଚାରୀ ଖବର ପାଇ ତାଙ୍କ ଘରେ ଆଜି ସକାଳ ପ୍ରାୟ ୭ଟା ବେଳେ ଚଢ଼ଉ କରିଥିଲେ। ତାଙ୍କୁ ଗିରଫ କରିବା ପରେ ତିନି ହୋଲ୍ସେଲର୍ଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଉଭୟ ବାଲେଶ୍ୱର ଓ ଖୋର୍ଧା ଜିଲ୍ଲାର ଏହି ହୋଲ୍ସେଲର୍ମାନେ ମଇନା ସହିତ ଯୋଗାଯୋଗରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେମାନଙ୍କୁ ବି ଗିରଫ କରିବାକୁ ବିଭାଗର ଏକ ଟିମ୍ ଦୁଇଟି ଜିଲ୍ଲାକୁ ଯାଇଥିବା ସୂଚନା ମିଳିଛି। ଅବକାରୀ କମିସନର୍ ଦେବେନ୍ଦ୍ର କୁମାର ମହାପାତ୍ର, ଡେପୁଟି କମିସନର୍ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ ଇନ୍ସ୍ପେକ୍ଟର ବୈଜୟନ୍ତୀ ପଣ୍ଡା, ଏସ୍ଆଇ ଜଗଦୀଶ ଚନ୍ଦ୍ର ସାମଲ, ଶିବ ଚରଣ ଲେଙ୍କା, ଗାଲୁରାମ ସୋରେନ୍, କିଶୋର ଚନ୍ଦ୍ର ରାଉତ, ପୂର୍ଣ୍ଣଜିତ ମହାପାତ୍ର, ରାମଚନ୍ଦ୍ର ଜେନା, ଚନ୍ଦ୍ର ଭାନୁ ଦାସ, ବସନ୍ତ ମଲ୍ଲିକ, ମମତା ଦାସ, ସଞ୍ଜୀବ ମୁଣ୍ଡା ରଞ୍ଜନ ପାତ୍ର, ରାଜେଶ କିଷାନ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।
Follow Us