ଖଣ୍ଡଗିରିରେ ବିଏସ୍‌ଏନ୍‌ଏଲ୍‌ର ଟେଲିକମ୍ ସେବା ବିଭ୍ରାଟ, ସ୍ବାଭାବିକ ହେବାକୁ ଆହୁରି ଦୁଇମାସ ଲାଗିବ

Advertisment
ଖଣ୍ଡଗିରିରେ ବିଏସ୍‌ଏନ୍‌ଏଲ୍‌ର ଟେଲିକମ୍ ସେବା ବିଭ୍ରାଟ, ସ୍ବାଭାବିକ ହେବାକୁ ଆହୁରି ଦୁଇମାସ ଲାଗିବ

ଭୁବନେଶ୍ବର: ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ବରମୁଣ୍ଡା, ବରମୁଣ୍ଡା ହାଉସିଂବୋର୍ଡ, ଖଣ୍ଡଗିରି, କୋଳଥିଆ ଆଦି ପ୍ରମୁଖ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ର ଟେଲିକମ୍‌ ସେବା ଯୋଗାଣକୁ ନେଇ ଦେଖାଦେଇଥିବା ବ୍ୟାପକ ସମସ୍ୟାର ସମାଧାନ ହେବାକୁ ଆହୁରି ଦୁଇମାସ ସମୟ ଲାଗିପାରେ। ଖୋର୍ଦ୍ଧା ଜଟଣୀ ଇଷ୍ଟର୍ଣ୍ଣ ଟେଲିକମ୍ ରିଜନ୍ ପକ୍ଷରୁ ମାଟି ଖୋଳାଯାଇ କେବଲିଂ କାମ ଚାଲିଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଗତ କିଛି ମାସ ହେଲା କଲ୍ ଡ୍ରପ୍, ନେଟ୍‌ଵର୍କ ସମସ୍ୟା, ବ୍ରାଉଜିଂ ସମସ୍ୟା ଭଳି ବିଭିନ୍ନ ଅସୁବିଧା ବିଏସ୍‌ଏନ୍‌ଏଲ୍ ଟେଲିକମ୍‌ ସେବାରେ ଦେଖାଯାଉଥିଲା। ଫାୟାର୍‌ ଷ୍ଟେସନ୍ ଛକଠୁ କୋଳଥିଆ ଛକ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖାଦେଇଥିଲା। ତେଣୁ ପ୍ରତିଦିନ ମାଳମାଳ ଅଭିଯୋଗ ହେଉଥିଲା। ଏପରିକି ବରମୁଣ୍ଡାର କିଛି ଅଞ୍ଚଳରେ ପ୍ରାୟ ୪ମାସ ହେବ ଏଭଳି ସମସ୍ୟା ଦେଖା ଦେଉଥିବାରୁ କିଛି ଲୋକ ବିଏସ୍‌ଏନ୍‌ଏଲ୍ ସିମ୍ ବ୍ୟବହାର କରିବା ମଧ୍ୟ ଛାଡ଼ି ଦେଇଥିଲେ। ଏନେଇ ସ୍ଥାନୀୟ ବାସିନ୍ଦା ରାମ ରଣସିଂହଙ୍କ କହିବା ମୁତାବକ, ଏହି ସମସ୍ୟା ଲାଗି ରହୁଥିବାରୁ ସେ ବାରମ୍ବାର କଷ୍ଟମର୍ କେୟାର୍‌କୁ ଫୋନ୍ କରି ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ବି କିଛି ସୁଫଳ ମିଳିନଥିଲା। ଯେଉଁଥିପାଇଁ ସେ ମୋବାଇଲ୍‌ରେ ରିଚାର୍ଜ ନ କରିବା ସହିତ ବ୍ୟବହାର ମଧ୍ୟ ବନ୍ଦ କରି ଦେଇଥିଲେ। ଏନେଇ ବିଏସ୍‌ଏନ୍‌ଏଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି, ଭୁବନେଶ୍ବରର ଉନ୍ନତୀକରଣ ପାଇଁ ବିଭିନ୍ନ ସମୟରେ ରାସ୍ତା ସଂପ୍ରସାରଣ ହେଉ ବା ପାଣି ପାଇପ୍ ଲାଇନ୍ ବିଛାଇବା କାମ ଲାଗିରହୁଛି। ରାଜଧାନୀର ବିକାଶମୂଳକ କାମ ପାଇଁ ବର୍ତ୍ତମାନ ପ୍ରାୟ ୧୫ଟି ସଂସ୍ଥା ବିଭିନ୍ନ ଜାଗାରେ କାର୍ଯ୍ୟ କରୁଛନ୍ତି। ରାସ୍ତା ପାର୍ଶ୍ବରେ ଡ୍ରିଲିଂ କରି ଖୋଳିବା ସମୟରେ ମାଟି ତଳେ ଥିବା କେବୁଲ୍ କଟିବା ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଛି। ଅପରପକ୍ଷରେ ଫାୟାର ଷ୍ଟେସନ୍ ପରଠୁ ପ୍ରାୟ ଜାଗାରେ ଓଭର ହେଡିଂ ହୋଇଥିଲେ ବି କିଛି ଅସାମାଜିକ ଲୋକ ବାରମ୍ବାର କେବୁଲ୍ କାଟୁଥିବା ଅଭିଯୋଗ ମଧ୍ୟ ହେଉଛି। ଏ ସବୁର ସମାଧାନ ପାଇଁ ଆମେ ବର୍ତ୍ତମାନ ମାଟି ଭିତରେ ଅଣ୍ଡରଗ୍ରାଉଣ୍ଡ୍ କେବଲିଂ ବ୍ୟବସ୍ଥା କରୁଛୁ। ଯାହାର ସମ୍ପୂର୍ଣ୍ଣ କାମ ଆଉ ଦୁଇମାସ ମଧ୍ୟରେ ଶେଷ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe