ବୁଦ୍ଧ ପାର୍କ ପାଲଟିବ ପର୍ଯ୍ୟଟନର ହଟ୍‌ସ୍ପଟ୍‌: ହିଲ୍‌ ଟପ୍‌ରୁ ଦେଖି ହେବ ସହରର ମନୋରମ ଦୃଶ୍ୟ

Advertisment

ସହରରେ ଜଙ୍ଗଲର ଅନୁଭୂତି, ପାହାଡ଼ ଚଢ଼ିବା, ସାଇକେଲ୍‌ ଚଲାଇବା ସୁବିଧା

ସହରରେ ଜଙ୍ଗଲର ଅନୁଭୂତି, ପାହାଡ଼ ଚଢ଼ିବା, ସାଇକେଲ୍‌ ଚଲାଇବା ସୁବିଧା

ବୁଦ୍ଧ ପାର୍କ ପାଲଟିବ ପର୍ଯ୍ୟଟନର ହଟ୍‌ସ୍ପଟ୍‌: ହିଲ୍‌ ଟପ୍‌ରୁ ଦେଖି ହେବ ସହରର ମନୋରମ ଦୃଶ୍ୟ

ଚନ୍ଦ୍ରଶେଖରପୁର: ସହରରେ ମିଳିବ ଜଙ୍ଗଲ ବୁଲିବାର ମଜା। ବଡ଼ ବଡ଼ ଗଛ ତଳେ ବସି ପାରିବେ। ପାହାଡ଼ ଉପରେ ଚଢ଼ିପାରିବେ। ସାଇକେଲ୍‌ ବି ଚଳାଇ ହେବ। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଚାଲିଚାଲି ଥକି ପଡ଼ିଲେ ବିଶ୍ରାମ ନେବାକୁ ରାସ୍ତାପାର୍ଶ୍ବରେ ଚେୟାର ରହିବ। ବର୍ଷା ଦିନେ ଝରଣାର ଭ୍ରମ ସୃଷ୍ଟି ହେବ। କୁଳୁକୁଳୁ ନାଦ କରି ପାହାଡ଼ରୁ ଖସି ଆସୁଥିବା ବର୍ଷା ଜଳର ଦୃଶ୍ୟ ବେଶ୍‌ ମନ ମୁଗ୍ଧକର ଲାଗିବ। ଲୁମ୍ବିନୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ଏଭଳି ବ୍ୟବସ୍ଥା ଉପଲବ୍ଧ ହେବ। ପାର୍କର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ ରାଜଧାନୀବାସୀ ତଥା ପର୍ଯ୍ୟଟକଙ୍କୁ ଏହି ସବୁ ସୁବିଧା ଉପଲବ୍ଧ କରାଇବାକୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଲକ୍ଷ୍ୟ ରଖିଛି।

୪୫ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ଏହି ପାର୍କ ଏବେ ସହରର ପ୍ରମୁଖ ଆକର୍ଷଣ ପାଲଟିଛି। ମୁକ୍ତାକାଶ ରଙ୍ଗମଞ୍ଚ ସାଙ୍ଗକୁ ଗ୍ରନ୍ଥାଳୟ, ସ୍କେଟିଂ ପ୍ରାଙ୍ଗଣ, ମୁକ୍ତାକାଶ ବ୍ୟାୟାମଶାଳା, ଜଳାଶୟ, ଆର୍ଟ ଗ୍ୟାଲେରି, ଯୋଗ ପ୍ଲାଟଫର୍ମ, ଖେଳିବା ସ୍ଥାନ ଏଠାରେ ରହିଛି। ଯାହାକି ରାଜଧାନୀର ଅନ୍ୟ କୌଣସି ପାର୍କରେ ଦେଖିବାକୁ ମିଳେ ନାହିଁ। ହକି ବିଶ୍ବକପ୍‌ ସମୟରେ ଏହା ବେଶ୍‌ ପରିଚିତ ହୋଇଥିଲେ ମଧ୍ୟ ଏବେ ଚାରିପାଖକୁ କଂ‌କ୍ରିଟ୍‌ କୋଠା ଘେରିଗଲାଣି। ବଣଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ବଡ଼ ବଡ଼ କୋଠା ନିର୍ମାଣ କରାଯିବା ଦ୍ବାରା ପାର୍କ ଲୁଚି ଯିବାକୁ ବସିଛି। ତେବେ ସମୟ ସ୍ରୋତରେ ଏହି ପାର୍କର ବିକାଶ କରିବାକୁ ବିଡିଏ ଅଣ୍ଟା ଭିଡ଼ିଛି। ପାହାଡ଼ର ପାଦଦେଶରେ ଥିବା ମୁଖ୍ୟ ପାର୍କର ବିକାଶ ହୋଇଥିବା ବେଳେ ପାହାଡ଼ ଉପର ଭାଗର ବିକାଶ କରି କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଯୋଜନା ଅନୁଯାୟୀ ପାର୍କର କଳେବଳ ବୃଦ୍ଧି ହେବ। ପାହାଡ଼ ଉପରେ ଏକ ସାଇକେଲ୍‌ ଟ୍ରେକ୍‌(ସାଇକେଲ୍‌ ଚଲାଇବା ସୁବିଧା) ଓ ଜଙ୍ଗଲ ଟ୍ରେଲ୍‌(ଜଙ୍ଗଲ ରାସ୍ତା)ର ବିକାଶ କରାଯାଉଛି। ହିଲ୍‌ ଟପ୍‌ ତଥା ପାହାଡ଼ ଉପରକୁ ଯାଇ ପର୍ଯ୍ୟଟକମାନେ ଭୁବନେଶ୍ବରର ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ। ପାର୍କ ଭିତରକୁ ପ୍ରବେଶ କରିବା କ୍ଷଣି ଦୁଇ ପାର୍ଶ୍ବରେ ଦୁଇଟି ରାସ୍ତା ପାହାଡ଼ ଉପରକୁ ନିର୍ମାଣ କରାଯାଉଛି। ଥାକ ଥାକ କରି ପାହାଚ ବି ନିର୍ମାଣ ହେଉଛି। ଯେପରି ପର୍ଯ୍ୟଟକମାନେ ସୁବିଧାରେ ପାହାଡ ଉପରକୁ ଚଢ଼ିପାରିବେ ଓ ଓହ୍ଲାଇ ପାରିବେ। ଗୋଟିଏ ପାର୍ଶ୍ବରେ ଚଢ଼ି ଅନ୍ୟ ପାର୍ଶ୍ବରେ ଓହ୍ଲାଇବା ଭିତରେ ପର୍ଯ୍ୟଟକଙ୍କୁ ପ୍ରାୟ ୩ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଯେଉଁମାନେ ଅଧିକ ଚାଲିବାକୁ ଚାହିବେ ନାହିଁ ସେମାନେ ଅଧାରୁ ଫେରି ଆସିବା ପାଇଁ ମଝିରେ ରାସ୍ତା ନିର୍ମାଣ କରାଯାଇଛି। ପାର୍କର ଶୋଭା ବୃଦ୍ଧି ପାଇଁ ଅର୍ନାମେଣ୍ଟାଲ ଗଛ ଲଗାଯିବ। ପାର୍କର ଲନ୍‌ ଅଞ୍ଚଳକୁ ବୁଦାମୟ କରାଯିବ।

ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ ପାର୍କର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି। ପର୍ଯ୍ୟଟକମାନେ ୧୦୦ ମିଟର ଉଚ୍ଚତାର ପାହାଡ଼ ଚଢ଼ି ଜଙ୍ଗଲ ଟ୍ରେଲ୍‌ର ଅନୁଭୂ୍ତି ପାଇପାରିବେ। ସେଠାରେ ସେଲ୍ଫି ପଏଣ୍ଟ ନିର୍ମାଣ କରିବାକୁ ମଧ୍ୟ ଯୋଜନା ରହିଛି। ପାହାଡ଼ ଉପରକୁ ଚଢ଼ିବା ଲାଗି ନିର୍ମାଣ ହୋଇଥିବା ଟ୍ରାକ୍‌ ଯେପରି ବର୍ଷାରେ ଧୋଇ ନ ଯାଏ ସେଥିପାଇଁ ମଝିରେ ମଝିରେ ପୋଲ ନିର୍ମାଣ କରାଯାଉଛି। ପୂର୍ବରୁ ଲୋକେ ଏହି ପାହାଡ଼କୁ ଚଢ଼ିବାକୁ ଭୟ କରୁଥିଲେ। ଏବେ କିନ୍ତୁ ଆକର୍ଷଣ ପାଲଟିବ। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ପର୍ଯ୍ୟଟକମାନେ ଉପରକୁ ଯିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ପ୍ରବେଶ ପଥ କାର୍ଯ୍ୟ ବିଳମ୍ବ ହେଉଛି। ପାହାଡ଼ ଉପର କାର୍ଯ୍ୟ ଶେଷ ହେବା ପରେ ପାଦଦେଶକୁ ଆକର୍ଷଣୀୟ କରାଯିବ। ଏହି ପାର୍କର ଖୁବ୍‌ ନିକଟରେ ଭରତପୁରର ଜଙ୍ଗଲ ସଫାରି ରହିଥିବାରୁ ଆଗାମୀ ଦିଗରେ ଏହା ଭୁବନେଶ୍ବର ପର୍ଯ୍ୟଟନର ହଟ୍‌ସ୍ପଟ୍‌ ପାଲଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe