ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ଟାଙ୍ଗିମନ୍ତ ଗ୍ରାମରେ ଷଣ୍ଢ ମାତିଛି। ଲୋକଙ୍କୁ ଦେଖିଲେ ଗୋଡ଼ାଇ ମାରୁଛି। ଷଣ୍ଢଟି ଆଜି ସକାଳେ ସୋନି ଜେନା ନାମକ ଜଣେ ମହିଳାଙ୍କୁ ମାରିଥିଲା। ସେ ଖଣ୍ତିଆଖାବରା ହୋଇ ପ୍ରାଣ ବିକଳରେ ଦୌଡ଼ି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଁ ଦାଣ୍ତରେ ଯାଉଥିବା ଅନ୍ୟ ୩ ଜଣ ଯୁବକଙ୍କୁ ଦେଖି ମାରିବାକୁ ଗୋଡ଼ାଇଥିଲା। ଷଣ୍ଢଟିର ଏଭଳି ସ୍ବଭାବ ଦେଖି ସେ ପାଗଳ ହୋଇ ଯାଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ଗାଁ ମୁଣ୍ତ ବରଗଛ ମୂଳରେ କୌଶଳକ୍ରମେ ଦଉଡ଼ି ସାହାଯ୍ୟରେ ଷଣ୍ଢକୁ ବାନ୍ଧି ଦେଇଥିଲେ। ସ୍ଥାନୀୟ ସରପଞ୍ଚ ବୀରେନ୍ଦ୍ର ଜେନା ଖବର ପାଇ ପହଞ୍ଚିଥିଲେ। ପ୍ରଥମେ ପ୍ରାଣୀ ସମ୍ପଦ ସହାୟତା ବିଭାଗର ଟୋଲ ଫ୍ରି ନମ୍ବରକୁ ଫୋନ୍ କରାଯାଇଥିଲା। ହେଲେ ଫୋନ୍ ଲାଗି ନଥିଲା। ଏହାପରେ ନନ୍ଦନକାନନ ଥାନା ଓ ପ୍ରାଣୀ ଚିକିତ୍ସାଳୟକୁ ଅବଗତ କରାଯାଇଥିଲା। ସେମାନଙ୍କ ଆସିବା ବିଳମ୍ବ ହେବାରୁ ବାଧ୍ୟ ହୋଇ ଗ୍ରମର ଯୁବକ ମାନେ ଦୀର୍ଘ ସମୟ ଧରି ବନ୍ଧା ହୋଇ ରହିଥିବା ଷଣ୍ଢଟିକୁ ଫିଟାଇ ଦେଇଥିଲେ। ଷଣ୍ଢଟି ପୁଣି ଉତ୍ପାତ ଆରମ୍ଭ କରିଥିଲା। ଏହାପରେ ବଡ଼ କାଠ ପୋତି ଏକ ଆଡ଼ା କରି ଷଣ୍ଢଟିକୁ ତା’ ଭିତରେ ଆବଦ୍ଧ କରି ରଖିଥିଲେ। ମାତ୍ର ଷଣ୍ଢଟି କାଠ ଭାଙ୍ଗି ପୁନର୍ବାର ଗାଁରେ ବୁଲୁଛି। ଗାଁରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ପାଇ ପ୍ରାଣୀ ଚିକିତ୍ସାଳୟର ଜଣେ କର୍ମଚାରୀ ଟାଙ୍ଗିମନ୍ତ ଗ୍ରାମକୁ ଆସି ଅନୁଧ୍ୟାନ କରିଛନ୍ତି। ଷଣ୍ଢ ପାଟିରୁ ଫେଣ ବାହାରୁଥିବାରୁ ସେ କୁକୁର କାମୁଡ଼ା ଦ୍ବାରା ମାରାତ୍ମକ ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇଥିବା ସେ କହିଥିଲେ। ଯାତୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇ ସେ ଚାଲିଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us