ଷଣ୍ଢରେ ପିଟିହେଲା ବୁଲେଟ୍‌: ବଡି ବିଲ୍‌ଡର୍‌ ବାବୁନି ମୃତ, ଗଣେଶ ମୂର୍ତ୍ତି ଆଣିବାକୁ ଯାଇ ଫେରିଲେନି

ଗତକାଲି ରାତି ପ୍ରାୟ ୧୨ଟାରେ ଲିଙ୍ଗିପୁର ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଧଉଳି ଓ ପୁରୁଣା ଭୁବନେଶ୍ବର ଅଞ୍ଚଳର ଜଣାଶୁଣା ବଡି ବିଲ୍‌ଡର୍‌ ସନ୍ତୋଷ ବଡ଼ଜେନା ଓରଫ ବାବୁନି(୩୮)ଙ୍କର ମୃତ୍ୟୁ ଘଟିଛି।

sfsfsffc

ଧଉଳି/ପୁରୁଣା ଭୁବନେଶ୍ୱର: ଗତକାଲି ରାତି ପ୍ରାୟ ୧୨ଟାରେ ଲିଙ୍ଗିପୁର ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଧଉଳି ଓ ପୁରୁଣା ଭୁବନେଶ୍ବର ଅଞ୍ଚଳର ଜଣାଶୁଣା ବଡି ବିଲ୍‌ଡର୍‌ ସନ୍ତୋଷ ବଡ଼ଜେନା ଓରଫ ବାବୁନି(୩୮)ଙ୍କର ମୃତ୍ୟୁ ଘଟିଛି। ଉତ୍ତରା ଛକରୁ ସେ ଓ ତାଙ୍କ ସାଙ୍ଗ ପ୍ରକାଶ ପ୍ରହରାଜ ନିଜ ଗାଁ ନୂଆଗାଁକୁ ‌ବୁଲେଟ୍‌ରେ ଫେରୁଥିବା ବେଳେ ଏକ ଷଣ୍ଢ ସହ ଧକ୍କା ହେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାବୁନିଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରକାଶଙ୍କ ଅବସ୍ଥା ଗୁରୁତର ରହିଛି। ଗାଁରେ ଗଣେଶ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଯାଇଥିବା ବାବୁନି ଘରକୁ ଫେରିବା ବେଳେ ବାଟରୁ ସବୁଦିନ ପାଇଁ ବାହୁଡ଼ି ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ତାଙ୍କ ଚକ୍ଷୁଦାନ କରିଛନ୍ତି। 

ଏକାମ୍ର ନିର୍ବାଚନମଣ୍ଡଳୀର ଯୁବନେତା ଚିନ୍ମୟାନନ୍ଦ ବଡ଼ଜେନାଙ୍କ ବଡ଼ଭାଇ ବାବୁନି ଜଣେ ବଡି ବିଲ୍‌ଡର। ଜାତୀୟସ୍ତରରେ ସେ ଏଥିପାଇଁ ବେଶ୍ ନାଁ କମାଇଥିଲେ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମଧ୍ୟ ଆଇରନ୍‌ ମ୍ୟାନ୍‌ ଭାବେ ଅଭିହିତ କରାଯାଉଥିଲା। ବାବୁନି ବେଶ୍‌ ମେଳାପି ଓ ନମ୍ର ସ୍ବଭାବର ଯୁବକ ଥିବାରୁ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ଗତକାଲି ସେ ଓ ତାଙ୍କ ସାଙ୍ଗ ପ୍ରକାଶ ଗଣେଶ ମୂର୍ତ୍ତି ଆଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ। ଅନ୍ୟ ପିଲାମାନେ ଗାଡ଼ିରେ ମୂର୍ତ୍ତି ନେଇ ଗାଁକୁ ଫେରିଥିଲେ ଏବଂ ବାବୁନି ଓ ପ୍ରକାଶ ବୁଲେଟ୍‌ରେ ଘରକୁ ଫେରୁଥିଲେ। ଦୟା ବ୍ରିଜ୍‌ ନିକଟ ମା’ ତାରିଣୀ ମନ୍ଦିର ପାଖରେ ରାଜପଥ ଉପରେ ଠିଆ ହୋଇଥିବା ଷଣ୍ଢ ଉପରେ ବାବୁନିଙ୍କ ନଜର ପଡ଼ିପାରିନଥିଲା। ଫଳରେ ବୁଲେଟ୍‌ଟି ଷଣ୍ଢ ଦେହରେ ପିଟି ହୋଇଯାଇଥିଲା। ଫଳରେ ଷଣ୍ଢ ଓ ବୁଲେଟ୍‌ ରାଜପଥ ଉପରେ ପଡ଼ିଯାଇଥିଲେ। ଷଣ୍ଢର ଶିଙ୍ଗ ବାବୁନିଙ୍କ ପେଟରେ ପଶିଯାଇଥିଲା। ସେହିଭଳି ବୁଲେଟ୍‌ ପଛରେ ବସିଥିବା ପ୍ରକାଶ ରାସ୍ତାରେ ମାଡ଼ ହୋଇ ଗୁରୁତର ହୋଇଥିଲେ। କିଛି ସମୟ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଓ ପରେ ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ରାତି ପ୍ରାୟ ୩ଟା ବେଳକୁ ଡାକ୍ତର ବାବୁନିଙ୍କୁ ମୃତ ଘୋଷଣା କରିଥିଲେ।  

ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଶୋକଚନ୍ଦ୍ର ପଣ୍ଡା, କର୍ପୋରେଟର୍‌ ଶିବ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବାବୁନିଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାଁ ଶ୍ମଶାନରେ ବାବୁନିଙ୍କ ମରଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା। ସାନଭାଇ ଯୁବନେତା ଚିନ୍ମୟାନନ୍ଦ ଓ ପିନାକୀ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe