ଅଧସ୍ତନ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ, ବିଏମ୍‌ସିରେ କାନ୍ଦ ବୋବାଳି

Advertisment

ଭୟରେ ଆଉ ଜଣେ କର୍ମଚାରୀ ଚେତାଶୂନ୍ୟ

ଭୟରେ ଆଉ ଜଣେ କର୍ମଚାରୀ ଚେତାଶୂନ୍ୟ

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ଅଧସ୍ତନ ମହିଳା କର୍ମଚାରୀଙ୍କୁ ଜଣେ ଉପରିସ୍ଥ ମହିଳା ଅଧିକାରୀଙ୍କ ଗାଳିଗୁଲଜ। ପେନ୍‌ସନ୍‌ ପାଇବାକୁ ଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଫାଇଲ୍‌ କାମ କରିବାରୁ ସମ୍ପୃକ୍ତ ମହିଳାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କଲେ ଅଧିକାରୀ। ଗାଳିଗୁଲଜ ଏଭଳି ହେଲା ଯେ ତାହାକୁ ଦେଖି ଅନ୍ୟ ଜଣେ ମହିଳା କର୍ମଚାରୀ ଚେତା ହରାଇଲେ। ସେ ମେଡିକାଲ୍‌ରେ ଭର୍ତ୍ତି ହେଲେ। ଏଣେ ବ୍ୟକ୍ତିଗତ ଜୀବନ ପ୍ରତି ହୋଇଥିବା ଆକ୍ଷେପକୁ ଶୁଣି ମହିଳା କର୍ମଚାରୀଜଣଙ୍କ ଜୋର୍‌ରେ କାନ୍ଦିଥିଲେ। ଏହି ଘଟଣା ଆଜି ବିଏମ୍‌ସି କାର୍ଯ୍ୟ‌ାଳୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣା ଏହିପରି; ବିଏମ୍‌ସିରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଫାଇଲ୍‌ ପଡ଼ି ରହିଥିଲା। ଯେଉଁଥିପାଇଁ ତାଙ୍କ ପେନ୍‌ସନ୍‌ ପାଇବାରେ ବିଳମ୍ବ ହେଉଥିଲା। ଏଥିପାଇଁ ସମ୍ପୃକ୍ତ ମହିଳା କର୍ମଚାରୀ ଫାଇଲ୍‌ କାମ କରି ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିଥିଲେ। ଫାଇଲ୍‌ ଦେଖିବା ପରେ ଅଧିକାରୀ ବିଗିଡ଼ି ଯାଇଥିଲେ। ଖାଲି ବିଗିଡ଼ି ନଥିଲେ ବରଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବା ଇଙ୍ଗିତ କରିଥିଲେ। ଜଣେ କର୍ମଚାରୀ ହିସାବରେ ସେ ତାଙ୍କ କାମ କରିଛନ୍ତି ବୋଲି ଦର୍ଶାଇବାରୁ ଗାଳିଗୁଲଜ ଆରମ୍ଭ ହୋଇଥିଲା। ଫାଇଲ୍‌ ଫିଙ୍ଗାଫୋପଡ଼ା ଓ ହୋ-ହଲ୍ଲାରେ ବିଏମ୍‌ସି କମ୍ପିଥିଲା।

ଖବର ପାଇ ମହିଳା କର୍ମଚାରୀଙ୍କ ସ୍ବାମୀ ନିଜ ଶିଶୁପୁତ୍ରକୁ ଧରି ବିଏମ୍‌ସିରେ ପହଞ୍ଚିଲେ। ଏଭଳି ଅବସ୍ଥା ଦେଖି ତାଙ୍କର ରାଗ ପଞ୍ଚମକୁ ଚଢ଼ିଗଲା। ସେ ସିଧା କମିସନରଙ୍କ ଦୁଆରମୁହଁରେ ପହଞ୍ଚିଲେ। ହେଲେ କମିସନରଙ୍କ ପାଖେ ପହଞ୍ଚିଗଲେ କଥା ଅଡ଼ୁଆ ହେଇଯିବ ଭାବି ଜଣେ କର୍ମଚାରୀ ଦଉଡ଼ି ଯାଇ ତାଙ୍କ ବାଟ ଓଗାଳିଲେ। ଏପଟେ ଏହି ବିବାଦ ଚାଲିଥିଲା ବେଳେ ଆଉ ଜଣେ ମହିଳା କର୍ମଚାରୀ ଥରି ଥରି ବସିଥିବା ଚଉକିରୁ ଗଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଣେ କମିସନରଙ୍କ କାନକୁ କଥା ନଯିବା ପାଇଁ ଆପୋସ ସମାଧାନର ଦାୟିତ୍ବ ଆଉ ଜଣେ ଅଧିକାରୀ ନେଇଥିଲେ। ଉଭୟ ପକ୍ଷଙ୍କୁ ବସାଇ ସମାଧାନ କରିଥିଲେ। ଚାକିରି ଚାଲିଯିବା ଭୟରେ ମହିଳା କର୍ମଚାରୀ ମୁହଁ ଖୋଲୁ ନାହାନ୍ତି। ଘଟଣାକୁ ଚାପି ଦେବା ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଥିଲା। ଏହି ହୋ-ହଲ୍ଲାରେ ଅସୁସ୍ଥ ହୋଇପଡ଼ିଥିବା ମହିଳା କର୍ମଚାରୀଜଣକ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ସବୁ ପ୍ରଘଟ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe