Image Courtesy of India Today
ପୁରୁଣା ଭୁବନେଶ୍ୱର: ଯୌତୁକ ପାଇଁ ସ୍ତ୍ରୀକୁ ପୋଡ଼ି ମାରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମୃତ ମହିଳାଙ୍କ ସ୍ବାମୀ ଟାଙ୍ଗୀ ଥାନା ଅଧୀନ ଭୁଷଣ୍ଡପୁର ବାଲିପାଟପୁରର ରବି ଦାସ(୩୫) ଓ ତାଙ୍କ ବାପା ହରମୋହନ ଦାସ(୬୦)। ସେମାନେ ପୁନାମା ଗେଟ୍ ନିକଟ କେଳା ସାହିରେ ରୁହନ୍ତି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବି ୨୦୧୩ ମସିହାରେ ଟାଙ୍ଗୀ ଥାନା ଅଧିନ ଟାଠିଲା ଗୋଠପୁର ଅଞ୍ଚଳର ରୀନା ହଲଦାରଙ୍କୁ ବିବାହ କରିଥିଲା। ତେବେ ବିବାହ ପରେ ବାପଘରୁ ଯୌତୁକ ବାବଦକୁ ଅଧିକ ୨ ଲକ୍ଷ ଟଙ୍କା ଆଣିବା ପାଇଁ ରବି ଓ ତାଙ୍କ ପରିବାରଲୋକ ରୀନାଙ୍କ ଉପରେ ଚାପ ପକାଇ ଆସୁଥିଲେ। କିନ୍ତୁ ରୀନା ରାଜି ନ ହେବାରୁ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ତେବେ ଗତ ମେ' ୧ ତାରିଖ ଦିନ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ରୀନାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସାହି ବାସିନ୍ଦା ଗୁରୁତର ଅବସ୍ଥାରେ ରୀନାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏନେଇ ରୀନାଙ୍କ ଭାଇ ବିଜୟ ହଲଦାର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ରବି ଓ ତାଙ୍କ ବାପା ହରମୋହନଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି।
Follow Us