ସବୁଜ ବର୍ଜ୍ୟରୁ ତିଆରି ହେବ ଜାଳେଣି, ମନ୍ଦିର ଝଡ଼ାଫୁଲରୁ ଧୂପକାଠି: ଫସିବେ ‘ବଲ୍କ ଜେନେରେଟର’

Advertisment

ଆବର୍ଜନା ପରିଚାଳନା ପାଇଁ ବିଏମ୍‌ସିର ନିଆରା ପଦକ୍ଷେପ

ଆବର୍ଜନା ପରିଚାଳନା ପାଇଁ ବିଏମ୍‌ସିର ନିଆରା ପଦକ୍ଷେପ

ସ୍ବଚ୍ଛ ସର୍ବେକ୍ଷଣ ୨୦୨୪: ଚୁଲିକୁ ଯାଇଛି ପଲିଥିନ୍‌ କଟକଣା

ଭୁବନେଶ୍ୱର: ସବୁଜ ବର୍ଜ୍ୟରୁ ତିଆରି ହେବ ଜାଳେଣି। ସହରର ବିଭିନ୍ନ ମନ୍ଦିରରୁ ବାହାରୁଥିବା ଝଡ଼ା ଫୁଲରୁ ତିଆରି ହେବ ଧୂପକାଠି। ଫଳରେ ସହରର ଶତ ପ୍ରତିଶତ ଆବର୍ଜନା ପରିଚାଳନା ସମ୍ଭବ ହେବ। ସହରରେ ବେଆଇନ ଭାବରେ ଚାଲିଥିବା କୋଇଲା ଚୁଲା ମଧ୍ୟ ବନ୍ଦ କରାଯିବ। ଏହି କୋଇଲା ଜାଗାରେ ସବୁଜ ବର୍ଜ୍ୟରୁ ପ୍ରସ୍ତୁତ ଜାଳେଣି ବ୍ୟବହାର କରାଯିବ। ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ବିଏମ୍‌ସି ଏଭଳି ଏକ ନିଆରା ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି କମିସନର ରାଜେଶ ପ୍ରଭାକର ପାଟିଲ୍‌। ଆଗାମୀ ଦିନ‌ରେ ଶତ ପ୍ରତିଶତ ଆବର୍ଜନା କିଭଳି ପରିଚାଳନା ହୋଇପାରିବ, ଅଧିକ ବର୍ଜ୍ୟ ସୃଷ୍ଟି କରୁଥିବା ବଲ୍କ ଜେନେରେଟର କିଭଳି ନିଜ ଆବର୍ଜନା(ଓଦା) ନିଜେ ପରିଚାଳନା କରିବେ ଓ ସାଧାରଣ ଲୋକ କିଭଳି ଆବର୍ଜନା‌ ଉତ୍ସରୁ ପୃଥକ କରିବେ ତାହା ଆଗାମୀ ଦିନରେ ବିଏମ୍‌ସିର ଅଗ୍ରାଧିକାର ହେବ ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଦିନ ସହରରୁ ବାହାରୁଥିବା ଆବର୍ଜନାରୁ ୨ଶହ ଟନ୍‌ ଆବର୍ଜନା ପରିଚାଳନା ହୋଇ ପାରୁ ନାହିଁ, ଟିଟିଏସ୍‌ରେ ଜମା ହୋଇ ରହୁଛି। ଏନ୍‌ଜିଟିରେ ଟିଟିଏସ୍‌କୁ ନେଇ ଚାଲିଥିବା ମାମଲାର ଶୁଣାଣି ବେଳେ ଏଭଳି ତଥ୍ୟ ପଦାକୁ ଆସିବା ପରେ ବଳକା ରହିଯାଉଥିବା ଆବର୍ଜନାକୁ କେମିତି ପରିଚାଳନା କରିବ ସତ୍ୟପାଠ ଦିଅ ବୋଲି ଏନ୍‌ଜିଟି କହିବା‌ ପରେ ବିଏମ୍‌ସି ମାନସମନ୍ଥନ କରିଥିଲା। ଆବର୍ଜନା ପରିମାଣ ଆଗକୁ ଆହୁରି ବଢ଼ିବାକୁ ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ବାଟ ବାହାରିଥିଲା। ଆଗକୁ ବର୍ଷା ଦିନ ଆସୁଥିବାରୁ ଅଧିକରୁ ଅଧିକ ସବୁଜ ବର୍ଜ୍ୟ ଉତ୍ପନ୍ନ ହେବ। ଏଣୁ ଏହାର ସୁପରିଚାଳନା ପାଇଁ ବ୍ୟବସ୍ଥା ହୋଇଛି। କେବଳ ସବୁଜ ବର୍ଜ୍ୟ ସଂଗ୍ରହ କରିବା ପାଇଁ ସ୍ବତନ୍ତ୍ର ଗାଡ଼ି କିଣାଯାଇଛି। ଏହି ଏହି ଗାଡ଼ି ଜରିଆରେ ସବୁଜ ବର୍ଜ୍ୟ ସଂଗୃହୀତ ହେବା ପରେ ଗୁଣ୍ଡ କରାଯିବ। ପରେ ସ୍ବତନ୍ତ୍ର ମେସିନ୍‌ ଜରିଆରେ ଏହାକୁ ଚାପ ଦିଆଯାଇ ଇଟା ରୂପ ଦିଆଯିବ। ଏଗୁଡ଼ିକ ରୋଷେଇ ପାଇଁ ଜାଳେଣି ଭାବରେ ବ୍ୟବହୃତ ହୋଇପାରିବ। କୋଇଲା ଚୁଲି ବନ୍ଦ କରିବା ପାଇଁ ବିଏମ୍‌ସି ଚଢ଼ଉ କରୁଥିବା ବେଳେ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ଏହାର ବିକଳ୍ପ ନେଇ ପ୍ରଶ୍ନ ଉଠାଇଥିଲେ। ବିଚାର ବିମର୍ଷ ପରେ ବିଏମ୍‌ସି ସବୁଜ ବର୍ଜ୍ୟରୁ ଜାଳେଣି ପ୍ରସ୍ତୁତ କରିବାକୁ ଯାଉଛି। ସେହିଭଳି ବିଭିନ୍ନ ମନ୍ଦିରରୁ ବାହାରୁଥିବା ଝଡ଼ାଫୁଲ, ତୁଳସୀ ପତ୍ର, ବେଲପତ୍ର ପ୍ରଭୃତି ଆବର୍ଜନାକୁ ସ୍ବତନ୍ତ୍ର ଭାବେ ସଂଗ୍ରହ କରାଯାଇ ଧୂପକାଠି ପ୍ରସ୍ତୁତ ହେବ। ଏଭଳି ଜାଳେଣି ଓ ଧୂପକାଠି ପାଇଁ ଦୁଇଟି ପ୍ରକଳ୍ପ ଟିଟିଏସ୍‌ ଓ ପଳାସୁଣି ମେଗା ଏମ୍‌ସିସିରେ ସ୍ଥାପନ କରାଯିବ।

ଦୈନିକ ୫୦ ଟନ୍‌ରୁ ଅଧିକ ଆବର୍ଜନା ସୃଷ୍ଟି କରୁଥିବା ସଂସ୍ଥାଙ୍କୁ ‘ବଲ୍କ ଜେନେରେଟର’ ଭାବରେ ବିଏମ୍‌ସି ଚିହ୍ନଟ କରିଛି। ଏମାନେ ନିଜ ଆବର୍ଜନା ନିଜେ ପରିଚାଳନା କରିବା ପାଇଁ ବ୍ୟବସ୍ଥା କରିବା କଥା। ସେହିଭଳି ବିଭିନ୍ନ ଆରଡବ୍ଲୁଏ(ଆବାସିକ କଳ୍ୟାଣ ସଂଘ) ମଧ୍ୟ ନିଜ ନିଜ ଆବର୍ଜନା ପରିଚାଳନା କରିବା କଥା। ଏ ନେଇ ପୂର୍ବରୁ ବ୍ୟବସ୍ଥା ରହିଥିବା ବେଳେ ବିଏମ୍‌ସି ମଧ୍ୟ ବିଭିନ୍ନ ସମୟ‌ରେ କଟକଣା କରିଛି। କିନ୍ତୁ ଏହା ସଫଳ ହୋଇ ନାହିଁ। ଆବର୍ଜନା ବୋହି ନେଇ ଲୁଚାଛପାରେ ଏଣେ ତେଣେ ଢାଳିଦେବା ନଜିର ରହିଛି। ଏହା ସଫଳ ହେଉନଥିବାରୁ ଏ ନେଇ ବିଏମ୍‌ସି ବାଟ ବାହାର କରିଛି। ପ୍ରଥମେ ବଲ୍କ ଜେନେରେଟରମାନଙ୍କୁ ବିଏମ୍‌ସି ସଚେତନ କରିବା ସହ କିଭଳି ‌ଛୋଟ ଛୋଟ ମେସିନ୍‌ ଜରିଆରେ ବର୍ଜ୍ୟବସ୍ତୁ ପରିଚାଳନା କରାଯାଇ ପାରିବ ସେ ନେଇ ସେମାନଙ୍କୁ ବୁଝାଇ ଦିଆଯିବ। ଏହା ପରେ ଯଦି ସେମାନେ ଏହି ପଦ୍ଧତି ନ ଆପଣାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ସେହିଭଳି ଇ-ବର୍ଜ୍ୟକୁ ଏବେ ବିଏମ୍‌ସି ବିକ୍ରି କରିଦେଉଛି। କିନ୍ତୁ ଖୁବ୍‌ଶୀଘ୍ର ଏହାର ପରିଚାଳନା ଆରମ୍ଭ ହେବ। ଏହାର ପରିମାଣ କମ୍‌ ଥିବାରୁ ସାରା ରାଜ୍ୟ ପାଇଁ ପରିଚାଳନା ପ୍ରକଳ୍ପ ଭୁବନେଶ୍ବରରେ ସ୍ଥାପନ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ବାହାରେ ମରି ପଡ଼ୁଥିବା ବୁଲାଗୋରୁ, କୁକୁର ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶବଦାହ ପାଇଁ ଦୁଇଟି ଜାଗାରେ ବିଦ୍ୟୁତ ଚୁଲା ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସବୁଜ ବର୍ଜ୍ୟରୁ ବାୟୋଗ୍ୟାସ୍‌ ଉତ୍ପାଦନ କରିବାକୁ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଏକ ଡିପିଆର ପ୍ରସ୍ତୁତ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଏବେ ଦିନକୁ ପ୍ରାୟ ୮ଶହ ଟନ୍‌ ଆବର୍ଜନା ବାହାରୁଛି। ୩୫୦ ଟନ୍‌ ଓଦା ଆବର୍ଜନା ରହିଥିବା ବେଳେ ୧୦୦ ଟନ୍‌ ମାର୍କେଟ୍‌ ଅଞ୍ଚଳରୁ ଓ ୨୫୦ ଟନ୍‌ ଘରୁ ସଂଗ୍ରହ ହେଉଛି। ଏଥିରୁ ପ୍ରାୟ ୬ଶହ ଟନ୍‌ ‌ପରିଚାଳନା ହୋଇ ପାରୁଛି। ଶତ ପ୍ରତିଶତ ପୃଥକ୍‌ ହେଇ ପାରୁନଥିବାରୁ ବାକି ୨ଶହ ଟନ୍‌ ପରିଚାଳନା ନ ହୋଇ ରହିଯାଉଛି। ଏଣୁ ଏହି ଆବର୍ଜନା ପରିଚାଳନା ପାଇଁ ଏହି ସବୁ ବ୍ୟବସ୍ଥା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe