ବୈକୁଣ୍ଠଧାମ ଆଗରେ କୁଶପୁତ୍ତଳିକା ଦାହ

ନାବାଳକଙ୍କୁ କଳ୍‌କୀ ଅବତାର ଭାବେ ପୂଜାର୍ଚ୍ଚନା କରାଯାଉଥିବା ଖଣ୍ଡଗିରିବାରିସ୍ଥିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ବାହାରେ ଆଜି ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

fhfshf

ଖଣ୍ଡଗିରି: ନାବାଳକଙ୍କୁ କଳ୍‌କୀ ଅବତାର ଭାବେ ପୂଜାର୍ଚ୍ଚନା କରାଯାଉଥିବା ଖଣ୍ଡଗିରିବାରିସ୍ଥିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ବାହାରେ ଆଜି ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ କୁନିବାବାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର ଓ ଆଶ୍ରମର ଅଧ୍ୟକ୍ଷ ପ‌ାଣ୍ଡବ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଥାନାରେ ଅଭିଯୋଗକୁ ୬ଦିନ ବିତିଥିଲା ବେଳେ ଶ୍ରୀ ମିଶ୍ର, ଶ୍ରୀ ପରିଡ଼ା ଓ ବାବା ଅନନ୍ତ ମାଧବଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଖୋଜଖବର ମିଳିନାହିଁ। ଏଥିରେ ଉତ୍ତ୍ୟକ୍ତ ହୋଇ ଆଜି ସନ୍ଧ୍ୟାରେ ରାଜ୍ୟ ସମାଜସେବୀ ମହାସଂଘ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ଆଶ୍ରମ ଫାଟକ ସମ୍ମୁଖରେ ନାରାବାଜି କରିବା ସହିତ କୁଶପୁତ୍ତଳିକା ଦାହ କରିଥିଲେ। 

ସେହିପରି ସରକାରୀ ଜମିରେ ଗଢ଼ି ଉଠିଥିବା ଶ୍ରୀବୈକୁଣ୍ଠ ଆଶ୍ରମକୁ ଉଚ୍ଛେଦ ପାଇଁ ୩ ଦିନ ହେଲା ବିଡିଏକୁ ଲିଖିତ ଭାବେ ଜିଏ ଅବଗତ କରାଇଛି, ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ତେଜୁଛି। ଜବରଦଖଲ କେବେ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା ବେଳେ ଆଜି ଆଶ୍ରମ ବାହାରେ ବିଡିଏ ଏନ୍‌ଫୋର୍ସମେଣ୍ଟର ଏକ ଗାଡ଼ି ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଆଶ୍ରମଠାରୁ ୩୦୦ ମିଟର ଦୂରରେ ଥିବା ଏକ କୋଠାଘରେ ଆଶ୍ରମର ଏକ ରାସନ ଗୋଦାମ ରହିଥିବା ନେଇ ଅଭିଯୋଗ ହୋଇଛି। ଆଶ୍ରମରେ ଆୟୋଜିତ ହେଉଥିବା ବିଭିନ୍ନ ଉତ୍ସବକୁ ଆସୁଥିବା ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ରାସନ ସାମଗ୍ରୀ ରଖାଯିବା ସହିତ ବିଭିନ୍ନ କ୍ୟାଣ୍ଟିନ୍‌କୁ ଏଠାରୁ ରାସନ ସାମଗ୍ରୀ ଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଅନୁରୂପ ଭାବେ ‘ମୋ ପୁଅ ଭଗବାନ ନୁହେଁ’ ବୋଲି କାଶୀନାଥ କହିବା ପରେ ପୁଅର ଫଟୋଚିତ୍ରକୁ ଫୁଲମାଳ ଦେଇ ପୂଜାର୍ଚ୍ଚନା କରୁଥିବାର ବିଭିନ୍ନ ଭିଡିଓ ଭାଇରାଲ୍‌ ହେଉଛି। କଳ୍‌କୀ ଅବତାର ନାମରେ ଏକ  ‘୨୦୩୨ରୁ ସତ୍ୟଯୁଗ ଆରମ୍ଭ ହେବ’  ଲେଖାଥିବା ଏକ ଲିଫ୍‌ଲେଟ୍‌ ସାମ୍ନାକୁ ଆସିଛି। ଏହି ଫଟୋରେ କାଶୀନାଥ ଫଟୋ ସହିତ ଏକ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାର୍‌କୋଡ୍‌ ସ୍କାନ୍‌ କରି ଟଙ୍କା ପଇଠ କରିବାକୁ ନିବେଦନ କରାଯାଇଥିବା ଅଭିଯୋଗ ହେଉଛି। ‘ସ୍ପର୍ଶ ଚିକିତ୍ସା’, ‘ପଲଙ୍କ ସେବା’, ସରକାରୀ ଜମି ଜବରଦଖଲ ଆଦି ନାନା ବିବାଦରେ ଛନ୍ଦି ହୋଇଥିବା ଶ୍ରୀବୈକୁଣ୍ଠ ଆଶ୍ରମ ଆହୁରି ନାନା ଅଭିଯୋଗରେ ଛନ୍ଦି ହୋଇପଡ଼ିଛି। ଆଶ୍ରମ ପରିସରରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାକରି ସେଠାରେ ପୂର୍ବରୁ ପୁଲିସ ନିୟୋଜିତ ରହିଥିଲା ବେଳେ ଆଜି ବିକ୍ଷୋଭ ଖବର ପାଇ ଆଉ ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe