ଆଜିଠୁ ନୂଆ ଗେଟ୍‌ରେ ବସ୍‌ ଚଳାଚଳ: ପାତ୍ରପଡ଼ା ମୋ’ ବସ୍‌ ଡିପୋ ସମ୍ମୁଖରେ ଧାରଣା

Advertisment
ଆଜିଠୁ ନୂଆ ଗେଟ୍‌ରେ ବସ୍‌ ଚଳାଚଳ: ପାତ୍ରପଡ଼ା ମୋ’ ବସ୍‌ ଡିପୋ ସମ୍ମୁଖରେ ଧାରଣା

ଖଣ୍ଡଗିରି: ପାତ୍ରପଡ଼ାସ୍ଥିତ ମୋ’ ବସ୍‌ ଡି‌ପୋର ମୁଖ୍ୟ ଫାଟକକୁ ବନ୍ଦ କରି ପଛ ପାର୍ଶ୍ବରେ ନୂଆ ଫାଟକ ଖୋଲିବା ଦାବିରେ ଆଜି ଗ୍ରାମବାସୀମାନେ ଧାରଣା ଦେଇଥିଲେ। ପାତ୍ରପଡ଼ା-ଭଗବାନପୁର ଗ୍ରାମବାସୀଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ଏବଂ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକମାନେ ପ୍ରାୟ ୩ ଘଣ୍ଟା‌ ଧରି ଧାରଣା ଦେଇଥିଲେ। ଶେଷରେ କ୍ରୁଟ୍‌ ନିର୍ଦ୍ଦେଶକ ଅରୁଣ ବୋଥ୍ରା ଡିପୋ ପଛ ପଟେ ନୂଆ ମୁଖ୍ୟ ଫାଟକ ଖୋଲିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ରବିବାରଠାରୁ ଡିପୋର ପୁରୁଣା ସମ୍ମୁଖ ଫାଟକ ବନ୍ଦ ରହିବ ଏବଂ ପଛ ପଟେ ଖୋଲାଯାଇଥିବା ନୂଆ ଫାଟକ‌ ଦେଇ ଡିଏନ୍‌ ରେଗାଲିଆ ପାର୍ଶ୍ବ ରାସ୍ତାରେ ବସ୍‌ ଚଳାଚଳ କରିବ ବୋଲି ଶ୍ରୀ ବୋଥ୍ରା ପ୍ରତିଶ୍ରୁତି ଦେଇଛନ୍ତି।

ପାତ୍ରପଡ଼ା ମୋ’ ବସ୍‌ ଡିପୋର ପୁରୁଣା ମୁଖ୍ୟ ଫାଟକଟି ଗାଁ ରାସ୍ତା ପଟକୁ ଥିଲା। ଫଳରେ ମୋ’ ବସ୍‌ ଚଳାଚଳ ଯୋଗୁଁ ସ୍ଥାନୀୟ ଲୋକମାନେ ଦୁର୍ଘଟଣାର ଶିକାର ହେଉଥିଲେ। ସେହିଭଳି ପାତ୍ରପଡ଼ା-ଭଗବାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ହେଉଥିଲା। ବରିଷ୍ଠ ନାଗରିକଙ୍କ ଚଳପ୍ରଚଳ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଥିଲା। ତେଣୁ ମୁଖ୍ୟ ଫାଟକକୁ ବନ୍ଦ କରି ପଛ ପଟେ ନୂଆ ଫାଟକ ନିର୍ମାଣ କରିବା ଓ ସେହି ବାଟ ଦେଇ ମୋ’ ବସ୍‌ ଚଳାଚଳ କରାଇବାକୁ ଗ୍ରାମବ‌ାସୀମାନେ ବାରମ୍ବାର କ୍ରୁଟ୍‌ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର କେହି କର୍ଣ୍ଣପାତ ନ କରିବାରୁ ଆଜି ସେମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଧାରଣାରେ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ଗୁମାନସିଂ, ବିଦ୍ୟାଳୟର ପରିଚାଳନା କମିଟିର ସଭାନେତ୍ରୀ ଜ୍ୟୋତିର୍ମୟୀ ସ୍ୱାଇଁ, ଜଗବନ୍ଧୁ ସାହୁ, ଶଙ୍କର ଚରଣ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅତିସ ମାର୍ଥା, ରବୀନ୍ଦ୍ରନାଥ ସାହୁ, ବ୍ରଜକିଶୋର ଖୁଣ୍ଟିଆ ଏବଂ ପାତ୍ରପଡ଼ା-ଭଗବାନପୁର ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe