Bangalore Mirror
ବାଲିଅନ୍ତା: ତାଲାବନ୍ଦ ଯୋଗୁଁ ଏବେ ବାଲିଅନ୍ତା ଥାନା ଅଞ୍ଚଳରେ ଲୁଟପାଟ୍ ବୃଦ୍ଧି ପାଇଛି। ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ସୁଯୋଗରେ ତାଲା ଭାଙ୍ଗି ଲୁଟେରା ସାମଗ୍ରୀ ଲୁଟି ନେଉଛନ୍ତି। ଲୁଟ୍ ସଂପର୍କରେ ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନକରି ଜଣାଉଛନ୍ତି। ହେଲେ ଚୋରଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚୁ ନଥିବାରୁ ଲୋକମାନେ ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଲାଗି ଲୁଟେରାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ବାଧ୍ୟ ହେଉଛନ୍ତି। ବାଲିଅନ୍ତା ଟଙ୍କପାଣି ବ୍ରିଜ ନିକଟରେ ଗତ ରାତିରେ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟବସାୟୀ ୩ ଜଣ ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି। ମାତ୍ର ଏ ସଂପର୍କରେ ଜଣେ ପୁଲିସ ଅଧିକାରୀଙ୍କୁ ପଚାରିବାରେ ଅଭିଯୋଗ ହୋଇନଥିବା କହିଛନ୍ତି।
ପ୍ରାପ୍ତ ସୂଚନାନୁଯାୟୀ ଗତ ରାତିରେ ୩ ଜଣ ଚୋର ଟଙ୍କପାଣି ବ୍ରିଜ ନିକଟରେ ଥିବା ମା’ ତାରିଣୀ ମନ୍ଦିର ଓ ଏକ ଦୋକାନକୁ ଟାର୍ଗେଟ କରିଥିଲେ। ଦୋକାନ ସଟର ତାଡ଼ି ଲୁଟ୍ କରିବାକୁ ଚେଷ୍ଟା କରିଥିଲେ। ପାଟିଶୁଣି ଦୋକାନ ନିକଟରେ ଅନ୍ୟ ଏକ ଘରେ ଶୋଇଥିବା ବ୍ୟବସାୟୀଙ୍କ ନିଦ ଭାଙ୍ଗିଯାଇଥିଲା। ଏ ସଂପର୍କରେ ସେ ପୁଲିସ କଣ୍ଟ୍ରୋଲ ରୁମ୍କୁ ପ୍ରଥମେ ଫୋନ କରି ଜଣାଇଥିଲେ। କଣ୍ଟ୍ରୋଲ ରୁମ ପକ୍ଷରୁ ସ୍ଥାନୀୟ ଥାନାକୁ ଫୋନ୍ କରି ଜଣାଇବା ପାଇଁ କୁହାଯାଇଥିଲା। ସେ ଥାନାକୁ ଫୋନ କରି ଜଣାଇଥିଲେ। ହେଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଶେଷରେ ବ୍ୟବସାୟୀ ଜଣକ ଘରୁ ବାହାରି ଲୁଟେରାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ଏଥିରେ ୩ ଜଣ ଲୁଟେରାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଶେଷରେ ଜୀବନ ବିକଳରେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚୋରମାନେ ଫେରାର ହୋଇଯିବା ପରେ ପୁଲିସ ପହଞ୍ଚି ସିସି କ୍ୟାମେରା ଯାଞ୍ଚ କରିବାରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ବଡ଼ କଥା ହେଉଛି, ଆହତ ଲୁଟେରାଙ୍କ ସଂପର୍କରେ ପୁଲିସକୁ କୌଣସି ସୂଚନା ମିଳିପାରି ନାହିଁ। ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ ତାରିଣୀ ମନ୍ଦିରରୁ ମା’ଙ୍କ ବିଭିନ୍ନ ସୁନା ଏବଂ ରୁପା ଅଳଙ୍କାର ସମେତ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟ୍ ହୋଇଥିଲା।
Follow Us