The Indian Express
ଧଉଳି: ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ସରକାରୀ ମଦ ଦୋକାନ ନିକଟରେ ଜଣେ ବ୍ୟବସାୟୀଙ୍କୁ ମାଡ଼ମାରି ଲୁଟ୍ ମାମଲାରେ ଧଉଳି ଥାନା ପୁଲିସ ଦୁଇଜଣ ଯୁବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ତାଡ଼ାସ ଗ୍ରାମର ଦେବେନ୍ଦ୍ର କୁମାର ମିଶ୍ର(୨୩) ଏବଂ ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗୀ ଗ୍ରାମର ହିମାଂଶୁ ଶେଖର ମିଶ୍ର(୩୪)। କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ଦେବେନ୍ଦ୍ର ଏବଂ ହିଂମାଶୁଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପୁଲିସ ସେମାନଙ୍କ ନିକଟରୁ ଲୁଟ୍ ତେଲଟିଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ପର୍ସ ଜବତ କରିଛି। ଲୁଟ୍ ସଂପର୍କରେ ଧଉଳି ଥାନା ଅଧୀନ ଇଟିପୁର ଗ୍ରାମର ବାମନ ଚରଣ ଦାଶ ଅଭିଯୋଗ କରିଥିଲେ।
ଏନେଇ ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଇଟିପୁର ଗ୍ରାମର ତେଜରାତି ଦୋକାନୀ ବାମନ ଗତ ୨୩ ତାରିଖ ରାତି ୧୦ଟା ସମୟରେ ବାଳକାଟି ବଜାରରୁ ସଉଦା କିଣି ବାଇକ୍ରେ ଘରକୁ ଫେରୁଥିଲେ। ଦେବେନ୍ଦ୍ର ଏବଂ ହିମାଂଶୁ ନିଶାଗ୍ରସ୍ତ ଅବସ୍ଥାରେ ବାମନଙ୍କୁ ଅଟକାଇ ତେଜରାତି ସାମଗ୍ରୀ ଲୁଟି ନେଇଥିଲେ। ବାମନ ଖସି ପଳାଇ ଯିବାକୁ ଉଦ୍ୟମ କରିବାରୁ ହେଲମେଟରେ ତାଙ୍କ ମୁହଁକୁ ପିଟି କ୍ଷତାକ୍ତ କରିଥିଲେ। ବାମନଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ଅଟକି ଉଭୟ ଦେବେନ୍ଦ୍ର ଏବଂ ହିଂମାଶୁଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସେମାନଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।
Follow Us