ବ୍ୟବସାୟୀଙ୍କୁ ଅପହରଣ ଘଟଣା : ଚୋରା ଗାଡ଼ିରେ ହେଉଥିଲା ଅପହରଣ

Advertisment
ବ୍ୟବସାୟୀଙ୍କୁ ଅପହରଣ ଘଟଣା : ଚୋରା ଗାଡ଼ିରେ ହେଉଥିଲା ଅପହରଣ

ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଏନ୍‌-୧ ଅଞ୍ଚଳ‌ରେ ଘଟିଥିବା ଅପହରଣ ଉଦ୍ୟମ ଘଟଣାରେ ପୁଲିସର ତଦନ୍ତ ସିସିଟିଭି ଫୁଟେଜ୍‌ ପାଖରେ ଅଟକି ଯାଇଛି। ଅଭିଯୁକ୍ତମାନେ ଚିହ୍ନଟ ହୋଇଥିଲେ ମଧ୍ୟ ସେମାନଙ୍କ ନିକଟରେ ପୁଲିସ ପହଞ୍ଚିବାକୁ ସକ୍ଷମ ହୋଇନାହିଁ। ତେବେ ଖୋଳତାଡ଼ ବେଳେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି। ଅପହରଣରେ ବ୍ୟବହୃତ ଯେଉଁ ଗାଡ଼ିକୁ ଆଧାର କରି ପୁଲିସ ଅପହର୍ତ୍ତାଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଥିଲା ସେ ଆଶା ମଉଳି ଯାଇଛି। ଅପହର୍ତ୍ତାମାନେ ବ୍ୟବହାର କରିଥିବା ଇନୋଭା ଏକ ଚୋରା ଗାଡ଼ି ବୋଲି ଜଣାପଡ଼ିଛି। ସିସିଟିଭି କ୍ୟାମେରାରେ ଅପହର୍ତ୍ତାଙ୍କ କାରନାମା କଏଦ୍‌ ହୋଇଥିଲେ ମଧ୍ୟ ଚୋରା ଗାଡ଼ି ଏବେ ପୁଲିସର ଅଡୁଆ ବଢ଼ାଇ ଦେଇଛି। ତେବେ ଅପରାଧୀଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ସେମାନେ ଆସିଥିବା ବାଟରେ ଥିବା ସମସ୍ତ ସିସିଟିଭିର ଫୁଟେଜ୍‌ ମଧ୍ୟ ସଂଗ୍ରହ କରାଯାଉଛି। ଇନୋଭା ଚୋରି ନେଇ ବିଭିନ୍ନ ଥାନାରେ ଥିବା ଏତଲା ମଧ୍ୟ ଯାଞ୍ଚ କରାଯାଉଛି। ତା’ ସହିତ ଅପହୃତ ଯୁବକଙ୍କ ପାଖରେ ଘଟଣାଦିନ ଥିବା ସମସ୍ତ ମୋବାଇଲ ଫୋନ୍‌ର ଡିଟେଲ୍ସ ଯାଞ୍ଚ କରାଯାଉଛି। ଏହି ସବୁ ଆଧାରରେ ଅପରାଧୀଙ୍କ ନିକଟରେ ପହଞ୍ଚି ହେବ ବୋଲି ପୁଲିସ ଆଶା କରିଛି।

ନୂଆପଲ୍ଲୀ ଏନ୍‌-୧ ଅଞ୍ଚଳ‌ ବାସିନ୍ଦା ଶିବସୁନ୍ଦର ଦାସ ଘର ବାହାରେ ଥିବା ନିଜ କାର୍‌ରେ ଶୋଇଥିବା ବେଳେ ତାଙ୍କୁ କେତେକ ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ଦୁର୍ବୃତ୍ତମାନେ ଏକ ଇନୋଭାରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ କାର୍‌ରେ ବସାଇ ନେଇ ଯାଇଥିଲେ। ବାଣୀବିହାର ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଏମ୍‌ଭିଆଇ ଗାଡ଼ି ଚେକିଂ ଦେଖି ଅପହରଣକାରୀମାନେ ହଡ଼ବଡ଼େଇ ଯାଇ ବିପରୀତ ଦିଗକୁ ଗାଡ଼ି ବୁଲାଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସେଠାରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଗାଡ଼ିରୁ ପୁଲିସ ୨ଟି କାର୍‌, ୨ଟି ବନ୍ଧୁକ, କିଛି ଅଫୁଟା ଗୁଳି ଓ ଛୁରି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe