Shutterstock
ଚନ୍ଦ୍ରଶେଖରପୁର : ଦୋକାନ ନ ଭାଙ୍ଗିବାକୁ କୋର୍ଟଙ୍କ ରହିତାଦେଶ ସତ୍ତ୍ବେ ବିଏମ୍ସି ଘର ଓ ଦୋକାନ ଭାଙ୍ଗିଦେଲା। ଫଳରେ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏହାକୁ ନେଇ ଜନଅସନ୍ତୋଷ ଦେଖାଯାଇଛି। ଏନେଇ ଉକ୍ତ ସ୍ଥାନରେ ବ୍ୟବସାୟୀମାନେ ଧାରଣା ଦେଇଛନ୍ତି। ଏପରି ପରିସ୍ଥିତି ଦେଖାଯାଇଛି ମଞ୍ଚେଶ୍ବର ରେଲୱେ ମାର୍କେଟ୍ ଛକଠାରୁ କେଳୁଚରଣ ପାର୍କ ଦିଗକୁ ଯାଇଥିବା ରାସ୍ତା କଡ଼ରେ। କେଭି-୩ ସ୍କୁଲ ସମ୍ମୁଖ ରାସ୍ତାରେ ଥିବା ଦୋକାନଗୁଡ଼ିକୁ ଗତ ଗୁରୁବାର ଦିନ ହଠାତ୍ ବିଏମସି ଅଧିକାରୀମାନେ ଆସି ଉଚ୍ଛେଦ କରିଛନ୍ତି। ଏନେଇ ଦୋକାନୀଙ୍କୁ ପୂର୍ବରୁ କୌଣସି ନୋଟିସ କିମ୍ବା ଥଇଥାନ ପାଇଁ ବନ୍ଦୋବସ୍ତ କରାଯାଇନଥିଲା ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସଞ୍ଜୟ କୁମାର ଦାସ ଓ ରଶ୍ମିରଂଜନ ଦାସ ନାମକ ଦୁଇ ଜଣ ବ୍ୟବସାୟୀ କୋର୍ଟଙ୍କ ଦ୍ବାରସ୍ଥ ହୋଇ ସେହି ସ୍ଥାନ ଉପରେ ରହିତାଦେଶ ପାଇଛନ୍ତି। ଉଚ୍ଛେଦ କରିବାକୁ ଆସିଥିବା ବିଏମ୍ସି ଅଧିକାରୀ ରହିତାଦେଶ କାଗଜ ଦେଖିଥିଲେ ମଧ୍ୟ ଉଚ୍ଛେଦ କରଥିଲେ। ଏହାର ପ୍ରତିବାଦରେ ଆଗାମୀ ଦିନରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ବିଏମ୍ସି ଓ ଅନ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
Follow Us