ମନ କିଣୁଛି ଫାଷ୍ଟଫୁଡ୍‌ ରାଖୀ, କିନ୍ତୁ ବେପାର ମାନ୍ଦା

Advertisment
ମନ କିଣୁଛି ଫାଷ୍ଟଫୁଡ୍‌ ରାଖୀ, କିନ୍ତୁ ବେପାର ମାନ୍ଦା

ଚନ୍ଦ୍ରଶେଖରପୁର: ମହାମାରୀ କରୋନା ପାଇଁ ଗତ ପ୍ରାୟ ୪ ମାସ ହେଲା ଫାଷ୍ଟଫୁଡ୍‌ ଦେଖିବା ସ୍ବପ୍ନ ହୋଇଯାଇଛି। କିନ୍ତୁ ରାଖୀ କାରିଗରମାନେ ପୁଣି ଏହି ସୁସ୍ବାଦୁ ଖାଦ୍ୟର ରୂପରଙ୍ଗକୁ ଫେରାଇ ଆଣିଛନ୍ତି। ରାଖୀରେ ଫାଷ୍ଟଫୁଡ୍‌ ଚିତ୍ରକୁ ସଜାଇ ଅଭିନବ ଚାତୁରୀ ପ୍ରଦର୍ଶନ କରିଛନ୍ତି ରାଖୀ କାରିଗରମାନେ। ଚାଉମିନ୍‌, ରୋଲ୍, ମୋମୋ, ବର୍ଗର, ପିଜା, ଦୋସା ଆଦିର ଚିତ୍ର ରାଖୀ ଉପରେ ଶୋଭା ପାଉଛି। ବଡ଼ ଚମତ୍କାର ଦେଖାଯାଉଛି ଏହି ସବୁ ରାଖୀ। କିନ୍ତୁ କରୋନା ପାଇଁ ବେପାର ମାନ୍ଦା ଥିବାରୁ କାରବାର ନାହିଁ। ଫଳରେ କାରିଗରମାନଙ୍କ ମନ ମରି ଯାଉଛି ବୋଲି କୁହାଯାଉଛି।

ରାଖୀ ପୂର୍ଣ୍ଣମୀ ପାଖେଇ ଆସୁଥିବାବେଳେ ବଜାର ବନ୍ଦ ଥିବାରୁ କାରବାର ନାହିଁ। ତେଣୁ ରାଖୀ ତିଆରି କରିଥିବା ବେପାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଜଟଣୀ, କଟକ, ବାରଙ୍ଗ, ଅଡ଼ସପୁର ଓ ଆଠଗଡ଼ ଅଞ୍ଚଳକୁ ରାଖୀ କାମ କରିବା ପାଇଁ ଚନ୍ଦକା, ଚନ୍ଦ୍ରଶେଖପୁର, ମଞ୍ଚେଶ୍ବର ଓ ବାରଙ୍ଗ ଅଞ୍ଚଳର ପ୍ରଶିକ୍ଷକମାନେ ଯାଆନ୍ତି। ସେମାନେ ଚଳିତବର୍ଷ ନୂଆ ଡିଜାଇନ୍‌ରେ ଫାଷ୍ଟଫୁଡ୍‌ ରାଖୀ ତିଆରି କରିଛନ୍ତି। ପେଷ୍ଟିକ୍ ଫାଇବର୍ ଦେଇ ଚାଉମିନ୍, ରୋଲ୍, ଇଡ୍‌ଲି ସମ୍ବର, ଦୋସା, ବଡ଼ା ପାଉଁ, ବର୍ଗର, ପିଜା ଓ ମୋମୋ ଆଦିର ଚିତ୍ରକୁ ରାଖୀରେ ସଜାଇଛନ୍ତି। ଏହି ରାଖୀ ତିଆରି ପାଇଁ କିଛି ଆର୍ଟ ଛାତ୍ରଛାତ୍ରୀମାନେ ଚିନ୍ତା କରିଥିଲେ ଓ ସେମାନଙ୍କ ଯୋଜନାକୁ ଗୋଦାମ ମାଲିକମାନେ ପସନ୍ଦ କରିଥିଲେ। ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ରାଖୀକୁ ରାଜ୍ୟର ବିଭିନ୍ନ ସିଜିନ୍ ସେଣ୍ଟର୍‌କୁ ପଠାଯିବ ବୋଲି ବ୍ୟବସାୟୀ ସାରଦା ପ୍ରସନ୍ନ ମହାପାତ୍ର କହିଛନ୍ତି। କିନ୍ତୁ ଚଳିତବର୍ଷ ରାଖୀ ବ୍ୟବସାୟ ଭଲ ହେବ କି ନାହିଁ ଜଣାନଥିବାରୁ ଶ୍ରୀ ମହାପାତ୍ର ଅଳ୍ପ ସଂଖ୍ୟକ କାରିଗରଙ୍କୁ ନେଇ ରାଖୀ କାରଖାନା ଆରମ୍ଭ କରିଛନ୍ତି। ‌ସ୍ବତନ୍ତ୍ର ରାଖୀ ବଜାର ପାଇଁ ପ୍ରଶାସନ ଅନୁମତି ଦେଉ ନଥିବାରୁ ଛୋଟ ଖୁଚୁରା ବ୍ୟବସାୟୀଙ୍କ ନିକଟକୁ ରାଖୀ ପହଞ୍ଚାଇ ଦିଆଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe