ବାତ୍ୟାର ୧୭ଦିନ ପରେ ବି କେବୁଲ, ଡିଟିଏଚ୍‌ ସେବା ଅଚଳ

ଟଙ୍କା ଗଣି ଟିଭି ଦେଖାରୁ ବଞ୍ଚିତ, ୨୩ରେ ନିର୍ବାଚନ ଫଳାଫଳ, ୩୦ରୁ ବିଶ୍ବକପ୍‌

ଟିଭି ଚ୍ୟାନେଲ୍‌ର ସର୍ବୋଚ୍ଚ ଦାମ୍ ୧୯ ଟଙ୍କା

ଭୁବନେଶ୍ବର: ଟେକ୍ନିକାଲ୍‌ ଟିମ୍‌ ଏବେ ପଠଉଛୁ। ଆଜି ଠିକ୍‌ କରିଦେବୁ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣା ସେବା ଶିବିର ଆୟୋଜନ କରିଛୁ। ବାତ୍ୟାର ୧୭ ଦିନ ପରେ ବି ଏହିଭଳି ଆଶ୍ବାସନା ଦେଉଛନ୍ତି କେବୁଲ ଓ ଡିଟୁଏଚ୍‌ ଅପରେଟର। ଏଣେ ଟିଭି ଦେଖାରୁ ବଞ୍ଚିତ ଲକ୍ଷଲକ୍ଷ ଲୋକେ କଷ୍ଟମର କେୟାରକୁ ବାରମ୍ବାର ଫୋନ୍‌ କରି ନାକେଦମ ହେଉଥିଲେ ସୁଦ୍ଧା ଏଯାଏଁ ସିଗ୍ନାଲ୍‌ ପାଇପାରୁନାହାନ୍ତି।

୨ ଦିନ ପରେ ନିର୍ବାଚନ ଫଳାଫଳ ଦେଖିବା ପାଇଁ ଲୋକେ ଚାତକ ପରି ଚାହିଁ ବସିଛନ୍ତି। ପୁଣି ୩୦ରୁ କ୍ରିକେଟ୍‌ ବିଶ୍ବକପ୍‌ ଆରମ୍ଭ ହୋଇଯିବ। ଏନେଇ ଅନେକଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା। ବାତ୍ୟାର କିଛିଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ସେବା ଦେବା ଅବଶ୍ୟ ସମ୍ଭବ ନଥିଲା। କିନ୍ତୁ ୧୭ ଦିନ ପରେ ବି ସେଇ ସମାନ ସମସ୍ୟା ସହିତ ଯୁଝିହେଉଥିବାରୁ ଅନେକ ଧୈର୍ଯ୍ୟହରା ହୋଇ ସେବା ପରିବର୍ତନ ପାଇଁ ସୋସିଆଲ୍‌ ମିଡିଆରେ ଜବାବ ରଖୁଛନ୍ତି। ଏହା ପରେ ବି ଫରକ ପଡ଼ୁନାହିଁ। ସେବା ନିର୍ଦିଷ୍ଟ କେ‌ତେଦିନ ମଧ୍ୟରେ ଯୋଗାଇ ଦିଆଯିବ ସେ ବିଷୟରେ ମଧ୍ୟ କଷ୍ଟମର କେୟାରଙ୍କଠାରୁ ସ୍ପଷ୍ଟ ସୂଚନା ମିଳୁନାହିଁ। ଏଣେ ଉଭୟ ଡିଟୁଏଚ୍‌ ଓ କେବୁଲ ସେବା ପାଇଁ ପ୍ରି-ପେଡ୍‌ ବ୍ୟବସ୍ଥା ଲାଗୁ ଥିବାରୁ ଲୋକେ ଟଙ୍କା ପଇଠ କରି ବି ଅଧମାସରୁ ଊର୍ଧ୍ବ ସମୟ ହେଲା ସେବାରୁ ବଞ୍ଚିତ ଅଛନ୍ତି।

ସୋସିଆଲ୍‌ ମିଡିଆରେ କିଛି ଡିଟୁଏଚ୍‌ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ସେବା ଯୋଗାଇ ଦେବା ପାଇଁ ଶିବିରମାନ ଆୟୋଜନ କରାଯାଇଛି। ମାତ୍ର କଷ୍ଟମର କେୟାରଙ୍କୁ‌ ଯୋଗାଯୋଗ କଲେ ଉତ୍ତର ଫେରୁଛି, ସିନିୟରଙ୍କ ସାଙ୍ଗେ କଥା ହୁଅନ୍ତୁ। ବରିଷ୍ଠ କର୍ମକର୍ତା କହୁଛନ୍ତି, ଆମେ ଟେକ୍ନିକାଲ୍‌ ଟିମ୍‌କୁ ମେଲ୍‌ ଦେଇ ଦେଇଛୁ ସେମାନେ ଆପଣଙ୍କ ନିକଟରେ ଆଜି ପହଞ୍ଚିଯିବେ। ହେଲେ ସେ ଆଜି ବିଲ୍‌କୁଲ ଆସୁନାହିଁ। ପ୍ରତିଦିନ ଏହି ସମାନ ଉତ୍ତର ମିଳୁଛି। କେତେକ ସଂସ୍ଥା ପକ୍ଷରୁ ମାଗଣା ସେବା ଯୋଗାଇ ଦିଆଯିବା କଥା କୁହାଯାଉଥିଲେ ହେଁ କଷ୍ଟମର କେୟାର ୨୦୦ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି। ଏମିତି କି ସମସ୍ତଙ୍କଠାରୁ ନିରାଶ ହେବା ପରେ ଅନେକ ନୋଡାଲ୍‌ ଅଫିସରଙ୍କୁ ମେଲ୍‌ ଦେଇଛନ୍ତି। କିନ୍ତୁ ସେଠାରୁ ବି କୌଣସି ଉତ୍ତର ମିଳୁନାହିଁ। କେବୁଲ ବ୍ୟବସ୍ଥା ତାର ମାଧ୍ୟମରେ ସଂଯୋଗ ହୋଇଥିବାରୁ କିଛିଦିନ ଡେରି ହେବା ସ୍ବାଭାବିକ। ହେଲେ ଡିଟୁଏଚ୍‌ ସିଗ୍ନାଲ୍‌ ଦ୍ବାରା ପରିଚାଳିତ ହେଉଥିବାରୁ କେବଳ ଟେକ୍ନିକାଲ୍‌ ଟିମ୍‌ ପହଞ୍ଚି ଆଣ୍ଟିନାକୁ ସିଗ୍ନାଲ୍‌ ମୋଡ୍‌କୁ ଆଣିପାରିଲେ ସେବା ସ୍ବାଭାବିକ ହୋଇପାରନ୍ତା। ମାତ୍ର ସ୍ଥିତି ସୁଧୁରୁନାହିଁ। କେବ ‌ସୁଧୁରିବ ସେକଥା ବି ସ୍ପଷ୍ଟ କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe