ଗଗନଙ୍କ ବଦାନ୍ୟତା, ଗରିବଙ୍କ ଶେଷକୃତ୍ୟ କରିବାକୁ ଆଗେଇ ଆସିଲେ

Advertisment
ଗଗନଙ୍କ ବଦାନ୍ୟତା, ଗରିବଙ୍କ ଶେଷକୃତ୍ୟ କରିବାକୁ ଆଗେଇ ଆସିଲେ

ଭୁବନେଶ୍ୱର: ଚାରିଆଡ଼େ ତାଲାବନ୍ଦ। ରାସ୍ତାଘାଟ ଶୂନଶାନ୍‌। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ବରରେ ଏମିତି ହୁ’ ହୁ ହୋଇ ବଢ଼ୁଥିଲା ଯେ ଲୋକେ ଘରୁ ବାହାରିବା ବି ନିରାପଦ ମଣୁନଥିଲେ। ଘରେ ବିଶ୍ରାମ ନେଉଥିବା ବେଳେ ହଠାତ୍‌ ତାଙ୍କ ଫୋନ୍‌ ରିଙ୍ଗ୍‌ ହେଲା। ସେପଟୁ ଶୁଭିଲା, ଜଣେ ଗରିବ ଲୋକଙ୍କ ବାପାଙ୍କର ଦେହାନ୍ତ ହେଇଯାଇଛି। ଯଦି ଆପଣ ସାହାଯ୍ୟ କରିପାରନ୍ତେ..। ଏକଥା କାନରେ ପଡ଼ିବା କ୍ଷଣି ସେ ବସିବା ଜାଗାରୁ ଉଠି ଆସିଥିଲେ। ସିଧା ପହଞ୍ଚି ଯାଇଥିଲେ ଫୋନ୍‌ରେ ସଂଗ୍ରହ କରିଥିବା ଠିକଣାରେ। ନିଜର ମଣିଷଟିଏ ଭଳି କୋକେଇ ବାନ୍ଧିଲେ, ମଶାଣିକୁ ନେଲେ ଏବଂ ନିଜ ଖର୍ଚ୍ଚରେ ସତ୍ୟନଗର ଶ୍ମଶାନରେ ଶବ ବି ଦାହ କଲେ। ଲକଡାଉନ୍‌‌ରେ ଅନେକ ଭଲ ମନ୍ଦ ଖାଇ ଘରେ ବସି ଅବସରକୁ ଉପଭୋଗ କରୁଥିବା ବେଳେ ବିପଦ ବେଳର ବନ୍ଧୁଟିଏ ସାଜି ଆଗେଇ ଆସିଥିଲେ ଗଗନ କୁମାର ପାଇତାଳ। ପିଏମ୍‌ଜିରେ ଚାକିରି କରନ୍ତି। ଉଚ୍ଚ ଅଙ୍କର ଦରମା ବି ପାଆନ୍ତି। ଚାହିଥିଲେ ସେ ବି ଲକଡାଉନ୍‌ର ବାହାନା ଦେଖାଇ ମନା କରି ଦେଇଥାଆନ୍ତେ। ମାତ୍ର ସେ ଯେ ପ୍ରକୃତରେ ଦରଦୀ ମଣିଷ, ଲକ୍‌ଡାଉନ୍‌ ଭଳି ଘଡ଼ିସନ୍ଧି ମୁହୂର୍ତରେ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଗଗନ।

ପିତାମାତା ବି ବାଛିବାଛି ନାଁ ଦେଇଥିଲେ ଗଗନ। ନାଁ ଯେମିତି, ମନ ବି ସେମିତି ବିଶାଳ। ତେବେ ଶବଦାହ ପାଇଁ ତାଙ୍କର ଏହି ଅବଦାନ ନୂଆ ନୁହେଁ। ଇତିମଧ୍ୟରେ ସେ ୨୭୪ଟି ଶବର ଦାହ ଓ ଅନ୍ୟାନ୍ୟ ଦାୟିତ୍ବ ନିଜ ଖର୍ଚ୍ଚ‌ରେ ତୁଲାଇଛନ୍ତି। ଗଗନଙ୍କ କହିବା ଅନୁଯାୟୀ, ଲକଡାଉନ୍‌ ଯୋଗୁଁ ସେ ଘରେ ଥିଲେ। ଭାରତ ବିକାଶ ପରିଷଦର ମନୋରଂଜନ ମହାନ୍ତି ଓ ପ୍ରତାପ କେଶରୀ ନାୟକ ମତେ ଫୋନ୍‌ ଯୋଗେ ‌ଏ ସମ୍ପର୍କରେ ପ୍ରଥମେ ଅବଗତ କରାଇଲେ। ଶୁଣିବାକୁ ପାଇଲି, ଚକେଇସିଆଣି ଗଣେଶ ମନ୍ଦିର ନିକଟରେ ରହୁଥିବା ରମେଶ ବଳ ଏକ ଝୁମ୍ପୁଡ଼ି ହୋଟେଲ୍‌ କରି ପରିବାର ଚଳାନ୍ତି। ମାତ୍ର ଲକଡାଉନ୍‌ ଯୋଗୁଁ ଏବେ ତାହା ବନ୍ଦ ପଡ଼ିଛି। ଶେଷକୃତ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ତାଙ୍କ ନିକଟରେ ଅର୍ଥର ଅଭାବ। ସମ୍ପୃକ୍ତ ବ୍ୟକ୍ତିଙ୍କ ପଡ଼ିଶା ପ୍ରହ୍ଲାଦ ପଣ୍ଡା ମଧ୍ୟ ଏନେଇ ଗଗନଙ୍କ ଘର ପାଖେ ଆସି ପହଞ୍ଚି ଯାଇଥିଲେ। ତେଣୁ ଗଗନ ତୁରନ୍ତ ଘରୁ ବାହାରି ଯାଇ ନିଜର ପୁଅଟିଏ ଭଳି ସମସ୍ତ ଦାୟିତ୍ବ ତୁଲାଇଥିଲେ। ଗଗନଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ମୃତ ବ୍ୟକ୍ତି ଗଙ୍ଗାଧର ବଳ (ରଙ୍ଗାଧର)ଙ୍କର ଆଉ ଏକ ପୁଅ ମଧ୍ୟି ଅଛନ୍ତି ବୋଲି ଶୁଣିବାକୁ ପାଇଲି। ସେ କାଳେ ଜଣେ ଧନଶାଳୀ ବ୍ୟକ୍ତି। ମାତ୍ର ବାପାଙ୍କୁ ଶେଷକୃତ୍ୟ ତ ଦୂରେ ଥାଉ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ନାହିଁ। ସେତେବେଳେ ଗଗନ ହିଁ ବଡ଼ପୁଅ ଭଳି ଗଙ୍ଗାଧରଙ୍କ ଶବକୁ ମୋକ୍ଷ ଦେବା ପାଇଁ ଆଗେଇ ଆସିଥିଲେ।

ଗଙ୍ଗାଧରଙ୍କ ଘର କେନ୍ଦ୍ରାପଡ଼ାରେ। ମାତ୍ର ସେ ଚକେଇସିଆଣିରେ ଅନେକ ଦିନ ହେଲା ରହି ଆସୁଥିଲେ। ବାର୍ଧକ୍ୟ ହେତୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲେ ହେଁ ଲକଡାଉନ୍‌ରେ ଭାଇ, ବନ୍ଧୁ, କୁଟୁମ୍ବ କେହି ଆସି ପାରିନଥିଲେ। ତେଣୁ କିଛି ପଡ଼ୋଶୀ ଓ ଗଗନଙ୍କ ସହାୟତାରେ ଶେଷକୃତ୍ୟ ସମ୍ପନ୍ନ କରିବାର ନିଷ୍ପତ୍ତି ନିଆଗଲା। ଗଗନ ସେଠାରେ ପହଞ୍ଚି ଶବକୁ ପଡ଼ୋଶୀମାନଙ୍କ ସହ କାନ୍ଧେଇ ସତ୍ୟନଗର ଶ୍ମଶାନକୁ ଆଣିଥିଲେ। ଗଙ୍ଗାଧରଙ୍କର ଆଧାରକାର୍ଡ ଭୁବନେଶ୍ବରର ହୋଇ ନ ଥିବାରୁ ସମସ୍ୟା ହୋଇଥିଲା। ତେଣୁ ଶେଷରେ ଗଗନ ନିଜେ ତାଙ୍କ ପୁଅଙ୍କ ଆଧାରକାର୍ଡରେ ସାକ୍ଷୀ ପଡ଼ି ଶବ ଦାହ କରାଇଲେ। ତେବେ ଗଗନ କେବଳ ଏତିକିରେ ସୀମିତ ରହିବେ ନାହିଁ। ଦଶକାର୍ଯ୍ୟଠୁ ନେଇ ଅନ୍ୟ କାର୍ଯ୍ୟରେ ମଧ୍ୟ ନିଜ ସାଧ୍ୟମୁତାବକ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ୍‌ ଭଳି ଦୁଃଖଦ ସମୟରେ ଯେବେ ନିଜ ପୁଅ, ବନ୍ଧୁ, ବାନ୍ଧବ କେହି ବି ପାଖରେ ଛିଡ଼ା ହୋଇ ପାରି ନଥିଲେ, ସେତେ‌ବେଳେ ଗଗନଙ୍କ ଏ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର ଲୋକେ ସାବାସୀ ଦେଇଛନ୍ତି। ଏ ସଂପର୍କରେ ପ୍ରଥମେ କିଛି କହୁ ନ ଥିଲେ ହେଁ ଶେଷରେ କହିଥିଲେ ଆତ୍ମପ୍ରଚାର ଭଲ ନୁହେଁ ବରଂ ଏଥିରୁ ମତେ ଆତ୍ମସନ୍ତୋଷ ମିଳୁଛି, ତାହା ହିଁ ମୋ ପାଇଁ ବଡ଼ କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe