ବର୍ଷାଦିନିଆ ରୋଗ ପ୍ରତିହତ ପାଇଁ ୫ ବିଭାଗର ମିଳିତ ଉଦ୍ୟମ, ସଚେତନ ହେବେ ଛାତ୍ରଛାତ୍ରୀ, ଅଭିଭାବକ

Advertisment
ସନ୍ଧ୍ୟା ସୁଦ୍ଧା ୪ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା;  ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

Zee News

ଭୁବନେଶ୍ବର : ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନ ବ୍ୟାପେ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଉଦ୍ୟମ ଆରମ୍ଭ କରିଛି। ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ଇସ୍ପାତ ଓ ଖଣି ବିଭାଗ ସହିତ ମିଳିତ ଭାବେ ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଜିଲ୍ଲାପାଳଙ୍କୁ ମିଳିତଭାବେ ଲେଖିଥିବା ଚିଠିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନଙ୍କୁ ରୋଗ ସଂକ୍ରାନ୍ତରେ ସଚେତନ କରିବା ପାଇଁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ବିଦ୍ୟାଳୟଗୁଡ଼ିକ ଯେଭଳି କାର୍ଯ୍ୟ କରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନଶିକ୍ଷକ ଓ ଅନ୍ୟ ବଛା ବଛା ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଭେକ୍ଟରବାହିତ ରୋଗ ସଂକ୍ରାନ୍ତରେ ସଚେତନ କରିବେ। ପାଠପଢ଼ା ସମୟରେ ‌ପିଲାଙ୍କୁ ରୋଗ ସଂକ୍ରାନ୍ତରେ ସଚେତନ କରିବା ଲାଗି କୁହାଯାଇଛି।

ମଶା ବଂଶ ବୃଦ୍ଧି ରୋକିବା ସହିତ ପରିବେଶକୁ ସଫା ସୁତରା ରଖିବା, ହାତ ଧୋଇବା ଓ ଏକ ସୁସ୍ଥ ପରିବେଶ ଗଠନ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବ। ଏହାସହ ବିଦ୍ୟାଳୟରେ ବିଭିନ୍ନ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରିବା ଲାଗି କୁହାଯାଇଛି। ଜିଲ୍ଲା ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନ୍‌ଏସ୍‌ଏସ୍‌, ଏନ୍‌ଏସ୍‌ସି, ସ୍କାଉଟ୍ ଓ ଗାଇଡମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପରାମର୍ଶ ଦିଆଯାଇଛି। ସ୍କୁଲ ପରିସରକୁ ପରିଷ୍କାର ରଖିବା ସହିତ ଛାତ୍ରାବାସ ଗୁଡ଼ିକରେ ମଶାରି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହ ଓ ସ୍ବାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ଏହିସବୁ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ କୁହାଯାଇଛି। ଆସନ୍ତାମାସ ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭାରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ସହିତ ସ୍ବାସ୍ଥ୍ୟ ବାର୍ତା ପାଠ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ ଓ ସ୍ବାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ପୌରାଞ୍ଚଳରେ ୱାର୍ଡସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ପରାମର୍ଶ ଦେଇଛନ୍ତି। ସହରାଞ୍ଚଳରେ ଥିବା ଆଶା, ଅଙ୍ଗନବାଡ଼ି, ଏଏନ୍‌ଏମ୍, ଏପିଏମ୍, ସାନିଟାରି ଇନ୍‌ସପେକ୍ଟରମାନଙ୍କୁ ଏଥିରେ ନିୟୋଜିତ ଲାଗି କୁହାଯାଇଛି। ରୋଗୀ କଲ୍ୟାଣ ଓ ୱାର୍ଡ କଲ୍ୟାଣ ସମିତିର ବୈଠକ ଡାକିବା ସହିତ ଲୋକଙ୍କୁ ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ ସଚେତନ ଲାଗି ପରାମର୍ଶ ଦିଆଯାଇଛି। ମହାନଗର ନିଗମ ଗୁଡ଼ିକ ତୁରନ୍ତ ଡ୍ରେନ୍ ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକୁ ପରିଷ୍କାର ଲାଗି କୁହାଯାଇଛି। ଆବଶ୍ୟକସ୍ଥଳେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସର ଉପଯୋଗ ଲାଗି ବିଭାଗ ସଚିବ ନିର୍ଦେଶ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କିଶୋର ଶର୍ମା ଓ ସ୍ବାସ୍ଥ୍ୟ ସଚିବ ମିଳିତଭାବେ ଭେକ୍ଟର ବାହିତ ରୋଗ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଲେଖିଛନ୍ତି। ଶିଳ୍ପସଂସ୍ଥା ଓ ଖଣି ମାଲିକମାନେ ସେମାନଙ୍କ କାରଖାନା ଓ ଖଣି ପରିସରରେ ଯେଭଳି ମଶା ବଂଶ ବୃଦ୍ଧି ନ ହେବ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି। କେବଳ ଶିଳ୍ପ କିମ୍ବା ଖଣି ଅଞ୍ଚଳ ନୁହେଁ ପୋଷ୍ୟଭାବେ ଗ୍ରହଣ ହୋଇଥିବା ଗାଁଗୁଡ଼ିକରେ ଯେଭଳି ଭେକ୍ଟର କିମ୍ବା ଜଳ ବାହିତ ରୋଗ ନ ବ୍ୟାପେ ସେଥିପାଇଁ ନିୟମିତ ସଫେଇ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe