ବଢ଼ୁଛି କ୍ୟାମ୍ପସ୍‌ ହିଂସା, ଏପର୍ଯ୍ୟନ୍ତ ଗଣ୍ଡଗୋଳରେ ଆହତ ହେଲେଣି ୧୫ ଛାତ୍ର

ଛାତ୍ର ସଂଗଠନରେ ଫାଟ ମେଲୁଛି

ବଢ଼ୁଛି କ୍ୟାମ୍ପସ୍‌ ହିଂସା, ଏପର୍ଯ୍ୟନ୍ତ ଗଣ୍ଡଗୋଳରେ ଆହତ ହେଲେଣି ୧୫ ଛାତ୍ର

ଭୁବନେଶ୍ୱର: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସାରା ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଅକ୍ଟୋବର ୧୨ରେ ନିର୍ବାଚନ କରିବାକୁ ଆପାତତଃ ଯୋଜନା ହୋଇଛି। ହେଲେ ଏହାପୂର୍ବରୁ ରାଜଧାନୀରେ ଥିବା ବିଭିନ୍ନ କଲେଜ କ୍ୟାମ୍ପସରେ ଦେଖାଦେଇଛି ପ୍ରାକ୍‌ ନିର୍ବାଚନୀ ହିଂସା। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଥିବା ବେଳେ ରାଜଧାନୀ ଓ ଦେବରାୟ କଲେଜକୁ ବି ହିଂସା ବ୍ୟାପିଛି। ସହରର ଉକ୍ତ ୩ଟି କଲେଜରେ ୧୫ରୁ ଅଧିକ ଛାତ୍ର ଓ ଅଣଛାତ୍ର ଆହତ ହୋଇଥିବା ନେଇ ସୂଚନା ମିଳିଛି। ବିଜେବି କଲେଜ କ୍ୟାମ୍ପସ୍‌ରେ ପତିଆରା ପାଇଁ ଗୋଟିଏ ନିର୍ଦିଷ୍ଟ ଛାତ୍ର ସଂଗଠନର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ୭ ଦିନ ମଧ୍ୟରେ ଏଠାରେ ଦୁଇ ଥର ଗଣ୍ଡଗୋଳ ହୋଇଥିବାରୁ କଲେଜ କର୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଏପରିକି ଚଳିତବର୍ଷ କ୍ୟାମ୍ପସ୍‌ରେ ନିର୍ବାଚନ ନକରିବାକୁ କେତେଜଣ ଅଧ୍ୟାପକ ଦୁଇ ଦିନ ତଳେ ବସିଥିବା ଏକାଡେମିକ କମିଟି ବୈଠକରେ ମତ ରଖିଛନ୍ତି। ଏହି କ୍ୟାମ୍ପସରେ ସମ୍ପୃକ୍ତ ଛାତ୍ର ସଂଗଠନର ହିଁ କେବଳ ପ୍ରଭାବ ରହିଛି। କିନ୍ତୁ ପତିଆରା ହାସଲ ପାଇଁ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭବିଷ୍ୟତରେ ଭୟାନକ ରୂପ ନେବା ନେଇ ଆଶଙ୍କା ବଢ଼ିଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଛତ୍ର ସଙ୍ଗଠନରେ ପତିଆରା ଲଢ଼େଇ ପାଇଁ ଗତ ୪ ବର୍ଷ ମଧ୍ୟରେ ୪୦ ଥର ଗଣ୍ଡଗୋଳ ହୋଇଥିଲା। ଯେଉଁଥିପାଇଁ କ୍ୟାମ୍ପସରେ ୩ ବର୍ଷ ନିର୍ବାଚନ ବନ୍ଦ ହୋଇଛି।

ଅନ୍ୟପକ୍ଷରେ ଦେବରାୟ କଲେଜକୁ ବି ପ୍ରାକ୍‌ ନିର୍ବାଚନ ହିଂସା ବ୍ୟାପିଛି। ୧୫ ଦିନ ମଧ୍ୟରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଗୋଟିଏ ଛାତ୍ର ସଂଗଠନର ଦୁଇ ଗୋଷ୍ଠୀ। କେଉଁ ଛାତ୍ରଗୋଷ୍ଠୀର କେତେ ଛାତ୍ର ବଳ ରହିଛି? କେଉଁ ଗୋଷ୍ଠୀ ଏଥର କ୍ୟାମ୍ପସରେ ପ୍ରାର୍ଥୀ ଦେବ? ତାହାକୁ ନେଇ ଛକାପଞ୍ଝା ଚାଲିଛି। ବୁଧବାର ଛୁଟିଦିନରେ ବି କ୍ୟାମ୍ପସ ବାହାରେ ସମ୍ପୃକ୍ତ ଦୁଇ ଛାତ୍ରଗୋଷ୍ଠୀ ହାତାହାତି ହୋଇଥିଲେ। ଆଜି ମଧ୍ୟ ସମ୍ପୃକ୍ତ ଛାତ୍ର ସଂଗଠନର ଦୁଇ ଗୋଷ୍ଠୀର ଛାତ୍ର ମୁହଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। କ୍ୟାମ୍ପସରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବିଜେବି, ଦେବରାୟ କଲେଜ ପରି ରାଜଧାନୀ କଲେଜ କ୍ୟାମ୍ପସରେ ବି ସମ୍ପୃକ୍ତ ଛାତ୍ର ସଂଗଠନ ଦୁଇ ଭାଗ ହୋଇଛି। କ୍ୟାମ୍ପସ୍‌ରେ ପତିଆରା ବଜାୟ ରଖିବାକୁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଗତ ସପ୍ତାହକ ମଧ୍ୟରେ ଏକାଧିକ ଥର ଗଣ୍ଡଗୋଳ ହୋଇଛି। ପରିସ୍ଥିତି ଦିନକୁ ଦିନ ଭୟାନକ ରୂପ ନେଉଥିବାରୁ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe