ଛୁଟି ଦିନରେ ଘରକୁ ଘର ବୁଲିଲେ ପ୍ରାର୍ଥୀ

Advertisment
ଛୁଟି ଦିନରେ ଘରକୁ ଘର ବୁଲିଲେ ପ୍ରାର୍ଥୀ

ଭୁବନେଶ୍ବର: ରବିବାର ଛୁଟି ଦିନରେ ବି ଆଜି କ୍ୟାମ୍ପସ ରାଜନୀତି ସରଗରମ ଥିଲା। ଛାତ୍ରଛାତ୍ରୀଙ୍କ ଭୋଟ ହାତେଇବା ଲାଗି ପ୍ରାର୍ଥୀମାନେ ଦିନ ତମାମ ପ୍ରଚାର ଜାରି ରଖିଥିଲେ। କିଏ ଚକଲେଟ୍‌ ଦେଇ ପିଲାଙ୍କ ମନ ଜିଣିଥିଲେ ତ ଆଉ କିଏ ଫୁଲ ଦେଇ। ରମାଦେବୀ, ବିଜେବି, ଏକାମ୍ର ଓ କ୍ୟାପିଟାଲ ଲ’ କଲେଜର ପ୍ରାର୍ଥୀମାନେ ହୋମ କ୍ୟାମ୍ପନି˚ କରିଥିଲେ। କେତେଜଣ ପ୍ରାର୍ଥୀ ହଷ୍ଟେଲର ଏ ରୁମ୍‌ରୁ ସେ ରୁମ୍‌କୁ ବୁଲି ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା। ଏଥର ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଉପରେ। କ୍ୟାମ୍ପସ ରାଜନୀତିରେ ଆଗୁଆ ଥିବା ବିଶ୍ବବିଦ୍ୟାଳୟର ସଭାପତି ପ୍ରାର୍ଥୀମାନେ ଆଜି ସହରର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ଛାତ୍ର ବିଜେଡି ସମର୍ଥିତ ସାଧାରଣ ସମ୍ପାଦକ ଓ ସଭାପତି ପ୍ରାର୍ଥୀ ୟୁନିଟ୍‌-୯, ସହିଦନଗର, ୟୁନିଟ୍‌-୪, ଶୈଳଶ୍ରୀ ବିହାର, ବରମୁଣ୍ତା, ଚନ୍ଦ୍ରଶେଖରପୁର ପ୍ରଭୃତି ସ୍ଥାନରେ ରହୁଥିବା ଛାତ୍ରୀଙ୍କ ଘରକୁ ଯାଇ ପ୍ରଚାର କରିଥିଲେ। ସାଧାରଣ ସମ୍ପାଦକ ପ୍ରାର୍ଥୀ ମଧୁୁସ୍ମିତା ନାୟକଙ୍କ କହିବାନୁଯାୟୀ, ପିଲାଙ୍କ ସମସ୍ୟାର ସମାଧାନ ଲାଗି ଯାହା କିଛି ସମ୍ଭବ, କରିବି। କଲେଜରେ ଅଧ୍ୟାପକ ପଦବି ପୂରଣ, ହଷ୍ଟେଲ ସମସ୍ୟାର ସମାଧାନ ପରି ବିଷୟକୁୁ ନେଇ ଛାତ୍ରୀଙ୍କ ନିକଟକୁ ଯାଉଛି। ଏବେ ୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଥିବାରୁ ବହୁ ଛାତ୍ରୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ କ୍ୟାମ୍ପସର ବିକାଶ ଧାରା ଜାରି ରହିବ। ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଇପ୍‌ସିତା ତ୍ରିପାଠୀ ମଧ୍ୟ ନିଜ ସମର୍ଥକମାନଙ୍କ ସହ ଛାତ୍ରୀମାନଙ୍କ ଘରକୁ ଘର ବୁୁଲି ପ୍ରଚାର କରିଛନ୍ତି। କ୍ୟାମ୍ପସରେ ଲାଗି ରହିଥିବା ସମସ୍ୟା, ଦ୍ବିତୀୟ କ୍ୟାମ୍ପସ ପାଇଁ ତୁରନ୍ତ ଜମି ଯୋଗାଇବା, ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ, ପ୍ରଫେସର ପଦ ପୂରଣ ପରି ସମସ୍ୟା ସମ୍ପର୍କରେ ଛାତ୍ରୀଙ୍କୁ ଅବଗତ କରାଉଛନ୍ତି।

ଅନ୍ୟପକ୍ଷରେ ବିଜେବି କଲେଜର ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ସୌମିତ୍ରୀ ବତ୍ସଳ ଦାସ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ବିଶ୍ବଜିତ୍‌ ବିଶ୍ବାଳ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କୁ ଭେଟିିଛନ୍ତି। କଲେଜର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗତ ଦୁଇ ବର୍ଷ ହେଲା ନିର୍ବାଚନ ହେଉନଥିବାରୁ କ୍ୟାମ୍ପସର ପ୍ରଗତି ଅଧାରେ ରହିଛି। ରାଜ୍ୟର ଏହି ପ୍ରମୁଖ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। କ୍ୟାପିଟାଲ ଲ’ କଲେଜରେ ଦ୍ବିମୁଖୀ ଲଢ଼େଇ ହୋଇଥିବାରୁ ସଭାପତି ଓ ସାଧାରଣ ସମ୍ପାଦକ ପ୍ରାର୍ଥୀମାନେ ପ୍ରଚାର କରିଛନ୍ତି। ଏକାମ୍ର କଲେଜର ପ୍ରାର୍ଥୀମାନେ ମଧ୍ୟ ଆଜି ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ପିଲାଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ। କମଳା ନେହେରୁ ମହିଳା ମହାବିଦ୍ୟାଳୟରେ କେବଳ ସାଧାରଣ ସମ୍ପାଦକ ପଦ ପାଇଁ ଲଢ଼େଇ ହେଉଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ସେଭଳି ଉଷ୍ମତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe