ରାଜଧାନୀ @ ୭୫: ସହରକୁ ଆସୁନି ଥଣ୍ଡା ପବନ

ରାଜଧାନୀ @ ୭୫: ସହରକୁ ଆସୁନି ଥଣ୍ଡା ପବନ

ଭୁବନେଶ୍ବର: ଦ୍ରୁତ ସହରୀକରଣ ଓ ଆର୍ଦ୍ରଭୂମିର ଅଭାବ ଏବେ ଭୁବନେଶ୍ବରିଆଙ୍କ ପାଇଁ କାଳ ହୋଇଛି। କଂକ୍ରିଟ ଜଙ୍ଗଲ ଓ ଅଟ୍ଟାଳିକା ଭିତରେ ରାଜଧାନୀର ସେଇ ଥଣ୍ଡା ପରିବେଶ ଯେମିତି କୁଆଡ଼େ ଲୁଚିଯାଇଛି। ପୁରୀଠାରୁ ଅର୍ଥାତ ବଙ୍ଗୋପସ‌ାଗରଠାରୁ ମାତ୍ର ୫୦ କିମି ଦୂରରେ ରହୁଥିବାରୁ ସାମୁଦ୍ରିକ ପବନ ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ସମ୍ପଦ। ଭୁଲ୍‌ ଟାଉନ୍‌ ପ୍ଲାନିଂ ହିଁ ଏହି ସାମୁଦ୍ରିକ ପବନ ଆସିବା ବାଟରେ ବଡ଼ ବାଧକ ସାଜିଛି। ଫଳରେ ରାଜଧାନୀ ଧୀରେ ଧୀରେ ଏକ ଉଷ୍ମପିଣ୍ଡରେ ପରିଣତ ହେବାରେ ଲାଗିଛି।

ପାଣିପାଗ ଦୃଷ୍ଟିରୁ ଭୁବନେଶ୍ବର ଏକ ଉପଯୋଗୀ ସ୍ଥାନ ହୋଇଥିବାରୁ ଏହାକୁ ରାଜଧାନୀ ପାଇଁ ମନୋନୀତ କରାଯାଇଥିଲା। ରାଜଧାନୀର ଭୌଗୋଳିକ ସ୍ଥିତି ଅନୁଯାୟୀ, ଏଠା‌ରେ ପ୍ରତିଦିନ ଅପରାହ୍ନ ୩ଟା ହେଉ ହେଉ ସୁଲୁସୁଲିଆ ଶୀତଳ ପବନ ବହିବ। ମେ’ ମାସର ଖରା ଦିନ ହେଉ କି ଫେବ୍ରୁଆରିର ଶୀତ ଦିନ, ଅପରାହ୍ନ ହେଉ ହେଉ ଏହି ଶୀତଳ ପବନର ମଜା ନେବାକୁ ସହରବାସୀ ବାହାରି ପଡ଼ନ୍ତି ଘର ବାହାରକୁ। ଦିନ ଥିଲା ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପବନ ରାଜଧାନୀବାସୀଙ୍କୁ ବେଶ୍‌ ଆଶ୍ବସ୍ତ କରୁଥିଲା। ଏଥିପାଇଁ ବସବାସ ନିମନ୍ତେ ଶ୍ରେଷ୍ଠ ସହର ଭାବେ ରାଜଧାନୀ ତାଲିକାର ପ୍ରାରମ୍ଭରେ ରହୁଥିଲା। କିନ୍ତୁ ଗତ ୧୦-୧୨ ବର୍ଷ ହେଲା ସେହି ପବନର ଅଭାବ ଅନୁଭୂତ ହେଉଛି। ପ୍ରତିବର୍ଷ ଏହି ଅଭାବବୋଧ ବଢ଼ିବାରେ ଲାଗିଛି। ଗତ ୨ ବର୍ଷ ହେଲା ଖରା ଦିନରେ ଅପରାହ୍ନ ଓ ସଂଧ୍ୟାରେ ଯେମିତି ଭାବେ ଅସହ୍ୟ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିଲା ତାହା ବୋଧେ ଆଗରୁ ହୋଇନଥିଲା।

ରାଜଧାନୀର ଜଳବାୟୁରେ ଏପରି ଅସ୍ବାଭାବିକତା ବର୍ଷେ ଦୁଇ ବର୍ଷ ଭିତରେ ହୋଇ ନାହିଁ। ଭୁବନେଶ୍ବର ସହରକୁ ବ୍ୟବସ୍ଥିତ ଭାବେ ଗଢ଼ିବା ପାଇଁ ଦାୟିତ୍ବ ନେଇଥିବା ସରକାରୀ ସଂସ୍ଥାଗୁଡ଼ିକର ଦୂରଦୃଷ୍ଟିର ଅଭାବ, ଦାୟିତ୍ବହୀନତା, ପରିବେଶ ପ୍ରତି ଅଣଦେଖାର ପରିଣାମସ୍ବରୂପ ସହରବାସୀ ସ୍ବଚ୍ଛ ଜଳବାୟୁରୁ ବଞ୍ଚିତ ହେଉଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ସହର ବଢ଼ୁଥିଲା ‌ବେଳେ ଟାଉନ୍ ପ୍ଲାନିଂ ଠିକ୍ ଭାବେ ହେଉ ନାହିଁ। ପ୍ଲାନିଂ ହେଲା ବେଳେ ଜଳବାୟୁ ଦିଗ ପ୍ରତି ଆଖି ବୁଜି ଦିଆଯାଇଛି। ମନଇଚ୍ଛା ଉଚ୍ଚ ଅଟ୍ଟାଳିକାକୁ ଅନୁମତି ଦିଆଯାଇଛି। କେଉଁ ଅଞ୍ଚଳ ପାଇଁ କେତେ ଉଚ୍ଚର ଅଟ୍ଟାଳିକା ଅନୁମତି ଦିଆଯାଇପାରିବ, ତାହାକୁ ସେତେଟା ଗୁରୁତ୍ବ ଦିଆଯାଉ ନାହିଁ। ସେହି ଅବ୍ୟବସ୍ଥିତ ଅଟ୍ଟାଳିକା ହିଁ ସହରକୁ ଥଣ୍ଡା ପବନ ପ୍ରବେଶରେ ବାଟ ଓଗାଳୁଛି। ଏହାବାଦ୍ ଗାଡ଼ିମୋଟର, ଟିଭି, ଫ୍ରିଜ୍‌, ଏସି ଭଳି ବୈଦ୍ୟୁତିକ ସରଞ୍ଜାମର ଅତ୍ୟଧିକ ବ୍ୟବହାର ସହରକୁ ଆଧୁନିକତା ଆଡ଼କୁ ନେଉଥିଲେ ବି ଜଳବାୟୁକୁ ବିଗାଡ଼ିବାରେ ଅନ୍ୟତମ କାରଣ ସାଜିଛି।

ଭୁବନେଶ୍ବରର ଅବସ୍ଥିତି ଉପକୂଳରେ ହୋଇଥିବାରୁ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ଅପରାହ୍ନରେ ଆସେ। ଦିନ ବେଳେ ଯେତେବେଳେ ସୂର୍ଯ୍ୟକିରଣ ପଡ଼େ ସ୍ଥଳ ଭାଗର ତାପମାତ୍ରା ଶୀଘ୍ର ବୃଦ୍ଧିପାଏ। ଏହାଦ୍ବାରା ସ୍ଥଳ ଭାଗ ଉପରିସ୍ଥ ବାୟୁମଣ୍ଡଳ ହାଲ୍‌କା ହେବା ସହ ଏହାର ଚାପ କମେ ଓ ପ୍ରସାରିତ ହେବାକୁ ଲାଗେ। କିନ୍ତୁ ସମୁଦ୍ର ଜଳର ତାପ ଶୋଷଣ କ୍ଷମତା ଅଧିକ ଥିବାରୁ ଏହା ଶୀଘ୍ର ଗରମ ହୁଏ ନାହିଁ, ଏଥିପାଇଁ କି ସମୁଦ୍ର ଉପରିସ୍ଥ ବାୟୁମଣ୍ଡଳର ଚାପ ଅଧିକ ରୁହେ। ଫଳରେ କମ୍‌ ଚାପ ଥିବା ବାୟୁମଣ୍ଡଳ ଆଡ଼କୁ ସାମୁଦ୍ରିକ ପବନ ପ୍ରବାହିତ ହୁଏ। ଦିନ ବଢ଼ିବା ସହ ତାପମାତ୍ରା ବଢ଼େ ଓ ସ୍ଥଳ ଭାଗର ବାୟୁମଣ୍ଡଳୀୟ ଚାପ କମେ ଓ ପବନର ବେଗ ବଢ଼େ। ପୁରୀରେ ସକାଳ ୯ଟାରୁ ପବନ ବହିବାକୁ ଆରମ୍ଭ କରେ ଓ ପୁରୀଠାରୁ ୫୦ କିମି ଦୂରରେ ଥିବାରୁ ଭୁବନେଶ୍ବରକୁ ଏହି ସାମୁଦ୍ରିକ ପବନ ଆସିବା ବେଳକୁ ଅପରାହ୍ନ ୩ଟା ହୋଇଯାଏ। ସାମୁଦ୍ରିକ ପବନରେ ଜଳୀୟକଣା ଥିବା ହେତୁ ଓ ଏହାର ଗତି କ୍ଷୀପ୍ର ହୋଇଥିବାରୁ ଏହା ‌ଆମକୁ ଥଣ୍ଡାର ଅନୁଭୂତି ଦିଏ। ଏହି ସାମୁଦ୍ରିକ ପବନର ପ୍ରଭାବ ୬୦ କିମି ପର୍ଯ୍ୟନ୍ତ ରୁହେ। ଏଣୁ ଭୁବନେଶ୍ବରର ପଶ୍ଚିମକୁ ଏହାର ପ୍ରଭାବ ଅନୁଭୂତ ହୁଏ ନାହିଁ। ଏହି ପବନ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହିଥାଏ। ପରେ ରାତି ବେଳକୁ ସମୁଦ୍ର ଜଳ ଗରମ ହୋଇଯିବା ଫଳରେ ସ୍ଥଳ ଭାଗର ପବନ ସମୁଦ୍ର ଆଡ଼କୁ ବହେ ଓ ଆମକୁ ଗରମ ଅନୁଭୂତ ହୁଏ।

ବଡ଼ ଅଟ୍ଟାଳିକା ପବନରେ ବାଧକ

publive-image Facebook

ରାଜଧାନୀ ପ୍ରତିଷ୍ଠା ହେବା ବେଳକୁ ବି ରାଜଧାନୀରେ କଟକ ଅପେକ୍ଷା ଅଧିକ ତାପମାତ୍ରା ରହୁଥିଲା। କିନ୍ତୁ ବଙ୍ଗୋପସାଗରୀୟ ପବନ ଖରାଦିନେ ଉତ୍ତର-ପଶ୍ଚିମରୁ ଆସୁଥିବା ଗରମ ଓ ଶୁଷ୍କ ପବନକୁ ରାଜଧାନୀରୁ ଠେଲି ବାହାର କରି ଦେଉଥିଲା। ଫଳରେ ରାଜଧାନୀ ଥଣ୍ଡା ରହୁଥିଲା। ଏହି ବ‌ଙ୍ଗୋପସାଗରୀୟ ପବନ ଆଗ ଭଳି ଏବେ ବି ବହୁଛି। ଏପରିକି ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପବନର ବେଗ ବଢ଼ିଛି। କିନ୍ତୁ ଏହାର ଲାଭ ଭୁବନେଶ୍ବରବାସୀ ଏବେ ଆଉ ଉଠାଇ ପାରୁନାହାନ୍ତି।

ଗତ କିଛି ବର୍ଷ ହେଲା ଏହି ସାମୁଦ୍ରିକ ପବନର ବେଗ ଘଣ୍ଟାପ୍ରତି ୭.୨ କିମି ପର୍ଯ୍ୟନ୍ତ ବଢ଼ିଛି। କିନ୍ତୁ ଭୁବନେଶ୍ବରର ବଡ଼ ବଡ଼ ଅଟ୍ଟାଳିକା ଏହି ପବନ ବହିବାରେ ବାଧକ ସାଜୁଛି। ସାଧାରଣ ଭାବେ ଶୀତ ଦିନେ ବଙ୍ଗୋ‌ପସାଗରୀୟ ପବନ ରାଜଧାନୀରେ ୭/୮ କିମି ବେଗରେ ବହିଥାଏ। ଖରା ଦିନେ ଝାଞ୍ଜି ପବନ ଯୋଗୁଁ ଏହାର ବେଗ ଆହୁରି ୭ କିମି ବଢ଼ିଯାଏ ଓ ୧୫ରୁ ୨୦ କିମି ବେଗରେ ବହୁଥାଏ। ଫଳରେ ଆମକୁ ଶୀତ ହେଉ ବା ଖରା ହେଉ ଅପରାହ୍ନ ଓ ସନ୍ଧ୍ୟା ସମୟରେ ଥଣ୍ଡା ଲାଗେ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିରୁ ଆମେ ବଞ୍ଚିତ ରହୁଛେ। ଏହାର ମୁଖ୍ୟ କାରଣ ହେଉଛି ଭୁଲ ଟାଉନ୍‌ ପ୍ଲାନିଂ। ସାମୁଦ୍ରିକ ପବନ ଛଡ଼ା ରାଜ୍ୟକୁ ବର୍ଷ ସାରା ଉତ୍ତର-ପଶ୍ଚିମ ରାଜସ୍ଥାନରୁ ପଶ୍ଚିମା ପବନ ପ୍ରବାହିତ ହୋଇଥାଏ। ପଶ୍ଚିମା ପବନ ଯୋଗୁଁ ରାଜ୍ୟରେ ଗରମ ବଢ଼ିଲେ ବି ବଙ୍ଗୋପସାଗରୀୟ ପବନ ଏହାକୁ ଅଟକାଇ ଥାଏ। କିନ୍ତୁ ଉପକୂଳରେ ବଡ଼ ବଡ଼ ଅଟ୍ଟାଳିକା ବିନା ଯୋଜନାରେ ହେବା ଫଳରେ ବଙ୍ଗୋପସାଗରୀୟ ପବନ ଆସିବାରେ ବାଧା ସୃଷ୍ଟି ହେଉଛି। ଭୁବନେଶ୍ବରର ଚତୁର୍ଦିଗରେ ଅଟ୍ଟାଳିକା ହେବା ଫଳରେ ଏବେ ଏହା ଏକ ଗୁମ୍ଫ‌ା ଭଳି ହୋଇଯାଇଛି। ବାହାରର ପବନ ଭିତରକୁ ଅଧିକ ଆସିପାରୁନାହିଁ କି ଭିତରର ପବନ ବାହାରକୁ ପ୍ରବାହିତ ହୋଇପାରୁନାହିଁ।
-ସୁରେନ୍ଦ୍ରନାଥ ପଶୁପାଳକ, ପାଣିପାଗ ବିଶେଷଜ୍ଞ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe