ହଜିଗଲାଣି ବସନ୍ତ, ତତଲା ତାୱା ପାଲଟୁଛି ରାଜଧାନୀ

ମହାବାତ୍ୟା ପରଠୁ ବିଗିଡ଼ି ଯାଇଛି ପାଣିପାଗ, ଏ ବର୍ଷ ମାର୍ଚ୍ଚରେ ତାତି ୪୩ ଡିଗ୍ରି ଛୁଇଁପାରେ

ହଜିଗଲାଣି ବସନ୍ତ, ତତଲା ତାୱା ପାଲଟୁଛି ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଏବେ ନାଁକୁ ମାତ୍ର ଚାଲିଛି ବସନ୍ତ ଋତୁ। ବସନ୍ତରେ ସୁଲୁସୁଲିଆ ପବନ ସାଙ୍ଗକୁ ନାତିଶୀତୋଷ୍ଣ ପରିବେଶ ତନୁମନକୁ ମତୁଆଲା କରିବା କଥା। କିନ୍ତୁ ରାଜଧାନୀବାସିନ୍ଦାଙ୍କ ପାଇଁ ବସନ୍ତ ଋତୁ ଯେମିତି ହଜିଯାଇଛି। ମାଘ ମାସରେ ବାଘ ଶୀତ ବଳଦରେ ଡରାଉଛି ଖରା। ତାତି ଏମିତି ଅସହ୍ୟ ହେଲାଣି ଯେ ଲୋକେ ଏବେଠୁ ତ୍ରାହି ତ୍ରାହି ଡାକିଲେଣି। ଫେବ୍ରୁଆରିରେ ପାରଦ ୪୦ ଡିଗ୍ରି ଡେଇଁଯିବା ଘଟଣା ପାଣିପାଗ ବିଶେଷଜ୍ଞକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଆଗକୁ ଏହି ତାତି ଆହୁରି ବଢ଼ିବ ଏବଂ ମାର୍ଚ୍ଚ ମାସରେ ଭୁବନେଶ୍ବରର ତାପମାତ୍ରା ୪୨ ଡିଗ୍ରି ଟପି ୪୩ ଡିଗ୍ରି ପାଖାପାଖି ରହିବ ବୋଲି କିଛି ବିଶେଷଜ୍ଞ ଅନୁମାନ କଲେଣି। ଭୁବନେଶ୍ବରର ଏଭଳି ବିଚିତ୍ର ପାଣିପାଗ ଓ ଅସହ୍ୟ ତାପମାତ୍ରା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ବଙ୍ଗୋପସାଗରର ୬୦ କିମି ପରିଧି ମଧ୍ୟରେ ରହୁଥିବାରୁ ରାଜଧାନୀର ପାଣିପାଗ ବେଶ୍‌ ଥଣ୍ଡା ଓ ମନମୁଗ୍ଧକର ଥିଲା। ଅପରାହ୍ନ ୪ଟାରୁ ବିଳମ୍ବିତ ରାତିଯାଏ ସମୁଦ୍ର ଆଡ଼ୁ ସୁଲୁସୁଲିଆ ପବନ ବହୁଥିଲା। ଯାହାକି ରାଜ୍ୟର ଅନ୍ୟାନ୍ୟ ସହର ଭି‌ତରେ ରାଜଧାନୀକୁ ସ୍ବତନ୍ତ୍ର ପରିଚୟ ଦେଉଥିଲା। ତେବେ ୧୯୯୯ ମହାବାତ୍ୟାରେ ରାଜଧାନୀର ସବୁଜିମା ଉଜୁଡ଼ିଯିବା ପରେ ପାଣିପାଗ ବିଗିଡ଼ିବା ଆରମ୍ଭ କରିଛି ଏବଂ ୨୦୧୦ ମସିହାରୁ କଂକ୍ରିଟ ଜଂଗଲର ମାତ୍ରାଧିକ ବୃଦ୍ଧି ପରେ ରାଜଧାନୀ କ୍ରମଶଃ ତତଲା ତାୱାରେ ପରିଣତ ହେବା ଆରମ୍ଭ କରିଛି। ବର୍ଷକୁ ପ୍ରାୟ ୨/୩ ଦିନ ଦେଶର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ବରର ନାମ ଆସୁଛି। ରାଜ୍ୟର ୫ଟି ହଟ୍‌ସ୍ପଟ୍‌ ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଚାନ୍ଦବାଲି ଓ ମାଲକାନଗିରି ଭିନ୍ନ ଭିନ୍ନ କାରଣରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଥିବା ବେଳେ ଆଧୁନିକ ଜୀବନଶୈଳୀ ବା ମଣିଷକୃତ କାରଣରୁ ଭୁବନେଶ୍ବର ନୂଆ ହଟ୍‌ସ୍ପଟ୍‌ ଭାବେ ବିବେଚିତ ହେଉଛି।

କ’ଣ କହନ୍ତି ପାଣିପାଗ ବିଶେଷଜ୍ଞ

ରାଜଧାନୀ ତାପମାତ୍ରା ସାମୟିକ ବଢ଼ିଛି, ଆଗକୁ କମିବ: ଶରତ ସାହୁ
ପାଣିପାଗ ବିଶାରଦ ଶରତ ସାହୁ ଏ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜଧାନୀର ତାପମାତ୍ରା ବୃଦ୍ଧି କେବଳ ସାମୟିକ ସମୟର କଥା। ଫେବ୍ରୁଆରି ଶେଷ ଆଡ଼କୁ ରାଜଧାନୀରେ ଯାହା ତାପମାତ୍ରା ବଢ଼ି ଯାଇଥିଲା। ଏବେ ଆଉ ବଢ଼ିବାର ସମ୍ଭବାନା ନାହିଁ। ଗତ ୩ ଦିନ ହେଲା ରାଜଧାନୀକୁ ପୁଣି ଥରେ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ପ୍ରବାହ ଆରମ୍ଭ ହୋଇଯାଇଛି। ଫଳରେ ତାପମାତ୍ରା କମିଛି। ପୁଣି ଆଗକୁ ଏହି ସାମୁଦ୍ରିକ ପବନ ପ୍ରଭାବରେ କାଳବୈଶାଖୀର ହେବ। ଫଳରେ ରାଜଧାନୀ ତାପମାତ୍ରା ଆଉ ବଢ଼ିବ ନାହିଁ। ମାର୍ଚ୍ଚରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିବାର ସମ୍ଭାବନା ଖୁବ୍ କମ୍‌। ଯେବେ ବି ବଢ଼ିବ ତାହା ସାମୟିକ ସମୟ ପାଇଁ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ମାର୍ଚ୍ଚରେ ତାତି ସ୍ବାଭାବିକଠାରୁ ଅଧିକ ରହିବ: ଉମାଶଙ୍କର ଦାସ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆକଳନ କରାଯାଉଛି ମାର୍ଚ୍ଚ ମାସରେ ରାଜଧାନୀର ତାପମାତ୍ରା ସ୍ବାଭାବିକଠାରୁ ବହୁ ଅଧିକ ରହିବ। ତେବେ ଆଗକୁ ତାପମାତ୍ରା କିଭଳି ରହିବ ଓ ପାଣିପାଗର କିଭଳି ପରିବର୍ତ୍ତନ ହେବ ସେ ନେଇ ଏବେଠୁ ସଠିକ ଆକଳନ କରିବା କଷ୍ଟ। ତେବେ ମାର୍ଚ୍ଚରେ ସର୍ବାଧିକ ଦିନ ତାପମା‌ତ୍ରା ହାରାହାରି ୩୫.୨ ଡିଗ୍ରି ରହିବା କଥା। କିନ୍ତୁ ଏହାଠାରୁ ବହୁତ ଅଧିକ ତାପମାତ୍ରା ରେକର୍ଡ ହେବ ବୋଲି ଏବେର ପାଣିପାଗ ସ୍ଥିତି ଦେଖି ପୂର୍ବାନୁମାନ କରାଯାଉଛି।

ଆଧୁନିକ ଜୀବନଶୈଳୀ ଓ କଂକ୍ରିଟ ଜଂଗଲ ଦାୟୀ: ଡ.ପଶୁପାଳକ
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୌଗୋଳିକ ଅବସ୍ଥିତି ଯୋଗୁଁ ଟିଟିଲାଗଡ଼ ଓ ମାଲକାନଗିରି ଓଡ଼ିଶାର ହଟ୍‌ସ୍ପଟ୍‌ ଭାବେ ପରିଚିତ। ସେହିଭଳି ଅନୁଗୁଳ ଓ ତାଳଚେର ଶିଳ୍ପାଞ୍ଚଳ ଯୋଗୁଁ ଓ aଝାରସୁଗୁଡ଼ାରେ ଶିଳ୍ପ ସହ ଜଙ୍ଗଲ ଅଭାବରୁ ଉତ୍ତପ୍ତ ସହର‌ ତାଲିକାରେ ରହିଛି। ପାଣିପାଗଜନିତ କାରଣରୁ ଚାନ୍ଦବାଲି ମଧ୍ୟ ରାଜ୍ୟର ଅନ୍ୟତମ ହଟ୍‌ସ୍ପଟ୍‌। ଏହାର କାରଣ ହେଲା, ଯେତେବେଳେ ଉତ୍ତର-ପଶ୍ଚିମ ଭାରତରୁ ଗରମ ପବନ ରାଜ୍ୟକୁ ପ୍ରବାହିତ ହୁଏ, ତାହା ବେଳେବେଳେ ବଙ୍ଗୋପସାଗରକୁ ସିଧାସଳଖ ନିର୍ବାହିତ ନ ହୋଇ ଉତ୍ତରାଭିମୁଖୀ ହୁଏ ଏବଂ ଚାନ୍ଦବାଲିଠାରେ ଯାଇ ଠୁଳ ହୁଏ। ଫଳରେ ଚାନ୍ଦବାଲି ଅଧିକ ଉତ୍ତପ୍ତ ହୋଇଯାଏ। କିନ୍ତୁ ଏସବୁ ହଟ୍‌ସ୍ପଟ ତାଲିକାରେ ରାଜଧାନୀ ଭୁବନେଶ୍ବର ଆଗରୁ ସାମିଲ ନଥିଲା। ସହରିଆଙ୍କ ଆଧୁନିକ ଜୀବନଶୈଳୀ ଯଥା ଏସି, ଫ୍ରିଜ୍‌ ଆଦିର ଅତ୍ୟଧିକ ବ୍ୟବହାର, ଯାନବାହନର ଆଶାତୀତ ବୃଦ୍ଧି ‘ସବୁଜ ଗୃହ’ (ଗ୍ରିନ୍‌ ହାଉସ୍) ପ୍ରଭାବକୁ ଅଧିକ ରହିଛି। ଏଥିସହ ରାଜଧାନୀର କଂକ୍ରିଟ ରାସ୍ତା ଓ କୋଠାବାଡ଼ି ବି ଏଥିପାଇଁ ସମପରିମାଣରେ ଦାୟୀ। କଂକ୍ରିଟ ବା ସିମେଣ୍ଟର ଉତ୍ତାପ ଧାରଣ ଶକ୍ତି କମ୍‌ ରହିଥିବାରୁ ଏହା ଅଧିକ ବିକିରଣ କରିଥାଏ ଓ ତାପମାତ୍ରା ଖୁବ୍‌ ବଢ଼ିଯାଏ। ଅନ୍ୟପଟେ ରାଜଧାନୀରେ କୋଠା ନିର୍ମାଣ ସମୟରେ ଗ୍ରିନ୍‌ ବିଲ୍ଡିଂ ଅନୁମତିକୁ ଅଧିକ ଗୁରୁତ୍ବ ଦିଆଯାଉନି। ଫଳରେ ଭୌଗୋଳିକ ଦୃଷ୍ଟିକୋଣରୁ କି ପବନର ଦିଗରେ ଗୃହ ନିର୍ମାଣ ହେଉନାହିଁ। ଯାହା ଫଳରେ ‌ବି ରାଜଧାନୀର ତାପମାତ୍ରା ବଢ଼ିଚାଲିଛି। ତେବେ ୨୦୦୦ ମସିହାରୁ ରାଜଧାନୀର ତାପମାତ୍ରା ବଢ଼ିବା ଆରମ୍ଭ କରିଥିବା ବେଳେ ୨୦୧୦ରୁ ଏହା ଅତ୍ୟଧିକ ବଢ଼ିବା ଆରମ୍ଭ କରିଛି। ଡ. ପଶୁପାଳକଙ୍କ ଆକଳନ କହୁଛି, ଉତ୍ତର ପଶ୍ଚିମ ଭାରତ ଚଳିତ ବର୍ଷ ଅଧିକ ଗରମ ହେବାକୁ ଯାଉଛି। ଏହା ଫଳରେ ଉତ୍ତର-ପଶ୍ଚିମ ଭାରତରୁ ଗରମ ପବନ ବା ଲୁ’ ଓଡ଼ିଶାକୁ ପ୍ରବ‌ାହିତ ହେବ। ଫଳରେ ଓଡ଼ିଶା ସମେତ ରାଜଧାନୀ ଅଧିକ ଉତ୍ତପ୍ତ ହେବ। ଏଥିସହ ଏହି ମାର୍ଚ୍ଚ ମାସରେ ଭୁବନେଶ୍ବରର ପାରଦ ୪୨ରୁ ୪୩ ଡିଗ୍ରି ପର୍ଯ୍ୟନ୍ତ ଛୁଇଁବ। ଏପ୍ରିଲ ମାସରେ ମଧ୍ୟ ୪୪ ଡିଗ୍ରିରୁ କମ୍‌ ରହିବାର ସମ୍ଭାବନା କମ୍‌ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe