କ୍ୟାପିଟାଲ କ୍ରାଇମ: ଓମ୍‌ଫେଡ ଛକ ଜମି ଦଖଲ ମାମଲା: ପୁଣି ୨ ସନ୍ଦିଗ୍ଧଙ୍କୁ ଉଠାଇଲା ପୁଲିସ

Advertisment
୬ ଲୁଟେରାଙ୍କଠାରୁ ୨୦  ମୋବାଇଲ୍‌ ଜବତ

ଧଉଳି: ଗୁରୁବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକରେ ଏକ ଜମି ଦଖଲ କରିବାକୁ ଯାଇ ଘର ଓ ପାଚେରି ଭାଙ୍ଗିଥିବା ମାମଲାରେ ଆଜି ପୁଲିସ ପୁଣି ଦୁଇ ସନ୍ଦିଗ୍ଧ ଭଡ଼ାଟିଆ ଗୁଣ୍ଡାଙ୍କୁ ଉଠାଇଛି। ଲିଙ୍ଗିପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଏହି ଦୁଇ ଜଣଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖାଯାଇଛି। ଗତକାଲି ପୁଲିସ ୪ ଭଡ଼ାଟିଆ ଗୁଣ୍ଡାଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଶିଶୁପାଳଗଡ଼ ଅଞ୍ଚଳର ୫ ଜଣ ଭଡ଼ାଟିଆ ଗୁଣ୍ଡା ସାମିଲ୍‌ ଥିବା ଜଣାପଡ଼ିବାରୁ ପୁଲିସ ଏହି ଦୁଇ ଜଣଙ୍କୁ ଉଠାଇ ନେଇଛି। ଅନ୍ୟ ତିନି ଜଣ ଫେରାର୍ ହୋଇଯାଇଛନ୍ତି।

ଜୁଆ ଆଡ଼ାରୁ ୪ ଅଟକ

ବାଲିପାଟଣା, ୩/୬(ଇମିସ): ଗତକାଲି ବିଳମ୍ବିତ ରାତିରେ ସିରିପାରିରେ ଚାଲିଥିବା ଏକ ଜୁଆ ଆଡ଼ାରେ ଚଢ଼ଉ କରି ବାଲିପାଟଣା ଥାନା ପୁଲିସ ୪ ଜୁଆଡ଼ିଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ନଗଦ ୧୩ ହଜାର ୪୦୦ ଟଙ୍କା, ଦୁଇଟି ମୋବାଇଲ୍ ଏବଂ ଅନ୍ୟାନ୍ୟ ଜୁଆ ଖେଳ ଉପକରଣ ଜବତ କରାଯାଇଛି। ଚଢ଼ଉ ବେଳେ କିଛି ଜୁଆଡ଼ି ଅନ୍ଧାରରେ ଦୌଡ଼ି ପଳାଇବାରେ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଅଟକ ଜୁଆଡ଼ିମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ମାତିଲେ ମଦ ଦୋକାନ ଲୁଟେରା: ପୁଣି ଏକ ଦୋକାନ ଗ୍ରିଲ୍‌ ତାଡ଼ି ଲୁଟିଲେ 

ଧଉଳି, ୩/୬(ଇମିସ): ବାଲିଅନ୍ତା ଓ ବାଲିପାଟଣାରେ ଏକ ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍‌ ମାତିଛି। ଗୁରୁବାର ବିଳମ୍ବିତ ରାତିରେ ବାଲିପାଟଣା ଛକସ୍ଥିତ ଏକ ଦୋକାନର ଝରକା ତାଡ଼ି ଲୁଟ୍‌ କରିଥିବା ବେଳେ ଶୁକ୍ରବାର ରାତିରେ କୌଶଲ୍ୟାଗଙ୍ଗ ଅଞ୍ଚଳର ଏକ ଦୋକାନର ଗ୍ରିଲ୍‌ କାଟି ଲୁଟିଛନ୍ତି।
ସୂଚନାନୁସାରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଉତ୍ତରାଶାସନସ୍ଥିତ ମଦ ଦୋକାନରୁ ଗତକାଲି ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଲୁଟେରାମାନେ ଦୋକାନର ଗ୍ରିଲ୍‌ ତାଲା କାଟି ପାଖାପାଖି ୬ ଲକ୍ଷ ଟଙ୍କାର ମଦ ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୋକାନ ମାଲିକ ନହରକଣ୍ଟାର ବିଜୟ ଜେନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଶାବଳ ଜବତ କରିଛି। ଉଲ୍ଲେଖନୀୟ, ବାଲିପାଟଣା ମଦ ଦୋକାନ ଲୁଟ୍‌ ମାମଲାରେ ବି ପୁଲିସ ଏକ ଶାବଳ ଜବତ କରିଛି। ତେଣୁ ଲୁଟେରା ଦଳ ଲୁଟ୍‌ କରିବା ପରେ ଜାଣିଶୁଣି ଶାବଳ ଛାଡ଼ି ଯାଉଥିବା ଚର୍ଚ୍ଚା ହେଉଛି।

ଚିକେନ୍ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ଅଞ୍ଚଳର ଶତାବ୍ଦୀନଗରସ୍ଥିତ ଏକ ଚିକେନ ଦୋକାନ ମାଲିକକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମାମଲାରେ ଖଣ୍ଡଗିରି ପୁଲିସ ଖଣ୍ଡଗିରି ସିରିପୁର ଅଞ୍ଚଳର ରଞ୍ଜନ ସାମନ୍ତରାୟ ଓ ମନୋଜ ସାମନ୍ତରାୟଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ଗତ ୩୧ ତାରିଖ ଦିନ ରଞ୍ଜନ କନ୍ଧସାହି ନିକଟସ୍ଥ ମଙ୍ଗଳା ମଣ୍ଡପରେ ବସିଥିବା ବେଳେ ଶିବାନ ପ୍ରସାଦ ରଣା ଏବଂ ତାଙ୍କ ଚିକେନ ଦୋକାନରେ କାମ କରୁଥିବା ଜଣେ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ସହିତ ପୂର୍ବ ବିବାଦକୁ ନେଇ ଯୁକ୍ତିତର୍କ କରିଥିଲେ। କଥା କଟାକଟିରୁ ପରସ୍ପର ମଧ୍ୟରେ ବାଡ଼ିଆପିଟା ହୋଇଥିଲା। ପରେ ଉଭୟ ଶିବାନ ଏବଂ ତାଙ୍କ ସହଯୋଗୀ ଶତାବ୍ଦୀନଗରସ୍ଥିତ ଚିକେନ ସେଣ୍ଟରକୁ ଫେରି ଆସିଥିଲେ। କିଛି ସମୟ ପରେ ରଞ୍ଜନ, ତାଙ୍କ ଭାଇ ମନୋଜ ଏବଂ ଅନ୍ୟ ସହଯୋଗୀମାନେ ଶିବାନଙ୍କ ଚିକେନ ସେଣ୍ଟର ନିକଟରେ ପହଞ୍ଚି ପଥର ଓ କାଠଫାଳିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶିବାନଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ସହଯୋଗୀମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe