କ୍ୟାପିଟାଲ ହସ୍ପିଟାଲ ପାଲଟିବ ଆଦର୍ଶ ହସ୍ପିଟାଲ

Advertisment
କ୍ୟାପିଟାଲ ହସ୍ପିଟାଲ ପାଲଟିବ ଆଦର୍ଶ ହସ୍ପିଟାଲ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ ହସ୍ପିଟାଲରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନ ଜରିଆରେ ଆଜି ଏକ ଉଚ୍ଚସ୍ତରୀୟ କମିଟି ହସ୍ପିଟାଲର ଭିତ୍ତିଭୂମିର ସ୍ଥିତି ପରୀକ୍ଷା କରିଛନ୍ତି। ଆସନ୍ତା ଦିନଗୁଡ଼ିକରେ ହସ୍ପିଟାଲରେ ଯେଉଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ଉପରେ ପଦକ୍ଷେପ ନିଆଯିବ। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲରେ ପାରାମେଡିକ କର୍ମଚାରୀ ଓ ଡାକ୍ତରମାନଙ୍କ ଟ୍ରେନିଂ ଦିଆଯିବା ଉପରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ।

ସୂଚନା ଅନୁଯାୟୀ, ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ବଳ କେନ୍ଦ୍ର ବା ଏନ୍‌ଏଚ୍‌ଏସ୍‌ଆରସିର ଏକ ଟିମ୍‌ ସହିତ ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିସନର ଅଧିକାରୀଙ୍କୁ ମିଶାଇ ୨୦ଜଣ ସଦସ୍ୟ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। କ୍ୟାପିଟାଲ ହସ୍ପିଟାଲକୁ ମିଶାଇ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ମଡେଲ ହସ୍ପିଟାଲରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଏହି ଉଚ୍ଚସ୍ତରୀୟ ଟିମ୍‌ ଆଜି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହସ୍ପିଟାଲ କର୍ତୃପକ୍ଷ ଓ ଏହାର ଭିତ୍ତିଭୂମିର ଯାଞ୍ଚ କରିଥିଲେ। ବିଶେଷକରି କାଜୁଆଲିଟି, ଓପିଡି, ଇନ୍‌ଡୋର ଓ ଓଟି ପ୍ରଭୃତି କେଉଁ ପରିସ୍ଥିତିରେ ଚାଲୁଛି ଓ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବା ଦରକାର ତାହା ପଚାରି ବୁଝିଥିଲେ।

ଏକ ମଡେଲ ହସ୍ପିଟାଲରେ ପରିଣତ ହେବାକୁ ହେଲେ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ସହିତ ବିଭିନ୍ନ ପାରାମେଡିକ ଓ ଡାକ୍ତରଙ୍କ ତାଲିମ ଦିଆଯିବା ଆବଶ୍ୟକ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରେଡିଓଗ୍ରାଫର, ଓଟି ଟେକ୍‌ନିସିଆନ୍‌, ଲ୍ୟାବ୍‌ ଟେକ୍‌ନିସିଆନ୍‌ ଓ ଆଇସିୟୁରେ କାର୍ଯ୍ୟରତ ପାରାମେଡିକ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଯଦି ଏହା ସଫଳ ଭାବେ କାର୍ଯ୍ୟକାରୀ ହୁଏ ତେବେ ପରବର୍ତୀ ସମୟରେ ଡିଏନ୍‌ଡି ବା ଡାକ୍ତରମାନଙ୍କୁ ଟ୍ରେନିଂ ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ଟିମ୍‌ ଆସନ୍ତାକାଲି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ। ଯଦି ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ମୋହର ମାରନ୍ତି ତେବେ କ୍ୟାପିଟାଲ ହସ୍ପିଟାଲ ସହିତ ଅନ୍ୟ ୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହସ୍ପିଟାଲକୁ ମଡେଲ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ଏହି ଉଚ୍ଚସ୍ତରୀୟ କମିଟି ହସ୍ପିଟାଲରେ ଥିବା ଭିତ୍ତିଭୂମି ସଂପର୍କରେ ତଦାରଖ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ଏକ ମଡେଲ ହସ୍ପିଟାଲରେ ପରିଣତ ହେବା ପାଇଁ ପ୍ରାୟ ସମସ୍ତ ଭିତ୍ତିଭୂମି ରହିଛି। ଯଦି କମିଟି ନିକଟରେ ଆଉ କିଛି ପ୍ରସ୍ତାବ ରହିଛି ତେବେ ତାହା ସେମାନେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଓପିଡି, ଇନଡୋର୍‌, ଓଟି ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ କମିଟି ପଚାରି ବୁଝିବା ସହିତ ପରିଦର୍ଶନ କରିଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe