ବିମୁଦ୍ରାକରଣକୁ ବର୍ଷେ ପୂରିବ : ଆଜି ପର୍ଯ୍ୟନ୍ତ ଲାଗି ପାରିଲାନି ପିଓଏସ୍‌ ମେସିନ୍‌

Advertisment

କ୍ୟାପିଟାଲ ହସ୍ପିଟାଲରେ ଏବେ ବି ଚାଲିଛି ନଗଦ କାରବାର

କ୍ୟାପିଟାଲ ହସ୍ପିଟାଲରେ ଏବେ ବି ଚାଲିଛି ନଗଦ କାରବାର

ବିମୁଦ୍ରାକରଣକୁ ବର୍ଷେ ପୂରିବ : ଆଜି ପର୍ଯ୍ୟନ୍ତ ଲାଗି ପାରିଲାନି ପିଓଏସ୍‌ ମେସିନ୍‌

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ବିମୁଦ୍ରାକରଣକୁ ବର୍ଷେ ପୂରିବ। ବିମୁଦ୍ରାକରଣ ସମୟରେ ଟଙ୍କାର ସଂକଟ ଓ ଡିଜିଟାଲ କାରବାରକୁ ଅଗ୍ରାଧିକାର ଦୃଷ୍ଟିରୁ ସରକାରୀ ଡାକ୍ତରଖାନାରେ ପିଓଏସ୍‌ ବା ପଏଣ୍ଟ ଅଫ ସେଲର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଏହି ନିର୍ଦେଶନାମାର ବର୍ଷେ ପୂରଣ ହେବାକୁ ବସିଲାଣି। କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ପିଓଏସ୍‌ ମେସିନ୍‌ର ବ୍ୟବସ୍ଥା ହୋଇପାରିନାହିଁ। ଆଜି ବି ହସ୍ପିଟାଲରେ ନଗଦ କାରବାର ଚାଲିଛି। ଆସନ୍ତା କେତେ ଦିନ ମଧ୍ୟରେ ଏହି ବ୍ୟବସ୍ଥା ହସ୍ପିଟାଲରେ କାର୍ଯ୍ୟକାରୀ ହେବ ତାହାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ତାରିଖ କର୍ତୃପକ୍ଷଙ୍କୁ ମଧ୍ୟ ଜଣାନାହିଁ। ଫଳରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶାନାମା କେବଳ ବିଜ୍ଞପ୍ତିରେ ରହିଯାଇଛି।

ବିମୁଦ୍ରାକରଣ ସମୟରେ ଟଙ୍କାର ସଂକଟ ପାଇଁ ହସ୍ପିଟାଲରେ ରୋଗୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଥିଲା। ଟଙ୍କା ସଂକଟ ପାଇଁ ରୋଗୀ ହସ୍ପିଟାଲରେ ଆବଶ୍ୟକ ଟଙ୍କା ପଇଠ କରିପାରିନଥିଲେ। ସରକାରୀ ହସ୍ପିଟାଲରେ ପିଓଏସ୍‌ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥିଲା। ତେଣୁ ହସ୍ପିଟାଲରେ ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତବର୍ଷ ନଭେମ୍ବର ୨୬ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଲା। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର କାଉଣ୍ଟରରେ ତୁରନ୍ତ କ୍ରେଡିଟ/ଡେବିଟ୍‌ କାର୍ଡ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା।

ଚଳିତବର୍ଷ ଜାନୁଆରି ମାସରେ ରୋଗୀ କଲ୍ୟାଣ ସମିତିର ବୈଠକରେ ହସ୍ପିଟାଲର ୨ଟି ସ୍ଥାନରେ କ୍ରେଡିଟ/ଡେବିଟ୍‌ କାର୍ଡର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ହସ୍ପିଟାଲ ସହ ଅନୁବନ୍ଧିତ ବ୍ୟାଙ୍କ ସହ ଆଲୋଚନା ସହ କେଉଁ ସ୍ଥାନରେ ଏହି ବ୍ୟବସ୍ଥା କରାଗଲେ, ରୋଗୀଙ୍କୁ ସୁଫଳ ମିଳିବ, ଏଥିପାଇଁ ଆକଳନ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଥିଲେ। ଯେହେତୁ ହସ୍ପିଟାଲର ଏକାଧିକ ସ୍ଥାନରେ ରୋଗୀଙ୍କୁ ଦିଆଯାଉଥିବା ସେବା ପାଇଁ ଅର୍ଥ ଆଦାୟ କରାଯାଉଥିଲା, ତେଣୁ ହସ୍ପିଟାଲର କେଉଁ ସ୍ଥାନରେ ପିଓଏସ୍‌ ଲଗାଯିବ ସେଥିପାଇଁ ସ୍ଥାନ ଚିହ୍ନଟ ପାଇଁ ଆରମ୍ଭରୁ ସମସ୍ୟା ଦେଖାଦେଇଥିଲା। ତେବେ କିଛିଦିନ ହେବ ହସ୍ପିଟାଲର ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଅର୍ଥ ଆଦାୟ କରାଯାଉଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲର ୨ଟି ସ୍ଥାନରେ ପିଓଏସ୍‌ ମେସିନ୍‌ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏସ୍‌ବିଆଇ ସହ ଆଲୋଚନା କରାଯାଇଛି। ପରେ ଏସ୍‌ବିଆଇ କର୍ତୃପକ୍ଷ ଥରେ ହସ୍ପିଟାଲ ପରିଦର୍ଶନ କରିଥିଲେ। ଯେହେତୁ ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ହସ୍ପିଟାଲରେ ମିଳୁଥିବା ସେବା ପାଇଁ ଅର୍ଥ ପଇଠ ପାଇଁ ବ୍ୟବସ୍ଥା ହୋଇଛି, ତେଣୁ ହସ୍ପିଟାଲ ପକ୍ଷରୁ ରେଜିଷ୍ଟ୍ରେସନ୍‌ କାଉଣ୍ଟର ଓ ପାଥୋଲୋଜିଠାରେ ପିଓଏସ୍‌ ମେସିନ୍‌ ଲଗାଇବା ପାଇଁ ସ୍ଥିର ହୋଇଛି। ତେବେ ଏସ୍‌ବିଆଇ କର୍ତୃପକ୍ଷ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପରେ ହିଁ ଏହି ମେସିନ୍‌ ଲାଗିବ। ଏଥିପାଇଁ କିଛିମାସ ପୂର୍ବରୁ ହସ୍ପିଟାଲ ପକ୍ଷରୁ ଏସ୍‌ବିଆଇକୁ ଚିଠି ଦିଆଯାଇଥିଲା। ତେବେ ସେମାନଙ୍କ ନିକଟରୁ କୌଣସି ଉତ୍ତର ଆସିନାହିଁ। ପୁଣିଥରେ ଏସ୍‌ବିଆଇ କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe