ଚାଲି ପାରୁନି ଇ-ଷ୍ଟ୍ରେଚର୍‌

Advertisment

ଟଙ୍କା ଅଛି, ଟେଣ୍ଡର ହୋଇପାରୁନି

ଟଙ୍କା ଅଛି, ଟେଣ୍ଡର ହୋଇପାରୁନି

ଚାଲି ପାରୁନି ଇ-ଷ୍ଟ୍ରେଚର୍‌

ଭୁବନେଶ୍ୱର : ଗତ ବର୍ଷ ରୋଗୀ କଲ୍ୟାଣ ସମିତି ବୈଠକରେ କ୍ୟାପିଟାଲ ହସ୍ପିଟାଲରେ ଏକ ଇ-ଷ୍ଟ୍ରେଚର୍‌ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା। କାଜୁଆଲଟି ନିକଟରୁ ସଂକ୍ରମଣ ପର୍ଯ୍ୟନ୍ତ ରାସ୍ତା ଯଥେଷ୍ଟ ଦୂର ହୋଇଥିବାରୁ ଏଥିରେ ରୋଗୀମାନଙ୍କୁ ନେବା ପାଇଁ ସ୍ଥିର କରାଯାଇଥିଲା। ତେବେ ନିଷ୍ପତ୍ତି ହେବାର ବର୍ଷେରୁ ଅଧିକ ସମୟ ବିତିଲାଣି। ଏଥିପାଇଁ ଟଙ୍କା ମଧ୍ୟ ରହିଛି। ମାତ୍ର ଏ ପର୍ଯ୍ୟନ୍ତ ଇ-ଷ୍ଟ୍ରେଚର୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନାହିଁ।

ଗତବର୍ଷ ଜୁଲାଇରେ ରୋଗୀ କଲ୍ୟାଣ ସମିତି ବୈଠକରେ ଏହି ଇ-ଷ୍ଟ୍ରେଚର୍‌ ଚଳାଇବା କଥା ଆଲୋଚନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗାଡ଼ି ଚଳାଇବାକୁ ଯୋଜନା ହୋଇଥିବା ବେଳେ ପରବର୍ତୀ ସମୟରେ ଆଉ ଗୋଟିଏ କିଣିବାକୁ କର୍ତୃପକ୍ଷ ଯୋଜନା କରିଥିଲେ। ଭୁବନେଶ୍ୱରର ସାଂସଦ ନିଜ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଇ ଦେବାକୁ ରାଜି ହୋଇଥିଲେ। ଏହି ବ୍ୟାଟେରି ଚାଳିତ ଗାଡ଼ିକୁ ଟେଣ୍ଡର ଜରିଆରେ କିଣିବାକୁ ହସ୍ପିଟାଲ କର୍ତୃପକ୍ଷ ଚିନ୍ତା କରିଥିଲେ। ମାତ୍ର ଆରମ୍ଭରୁ ଏଥିପାଇଁ ବିବାଦ ସୃଷ୍ଟି ହୋଇଥିଲା। ଏହି ଗାଡ଼ି ଚଳାଚଳ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ଲାଇସେନ୍‌ସକୁ ନେଇ ପରିବହନ କର୍ତୃପକ୍ଷ ରାଜି ହୋଇ ନ ଥିଲେ। ପରିବହନ ମାନୁଆଲରେ ଏଭଳି କୌଣସି ଗାଡ଼ିର ସୂଚନା ନ ଥିବା ଦର୍ଶାଇଥିଲେ ଆଞ୍ଚଳିକ ପରିବହନ କର୍ତୃପକ୍ଷ। ଫଳରେ ଇ-ଷ୍ଟ୍ରେଚରକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ପରେ ଏକ ବୈଷୟିକ କମିଟିରେ ଏଭଳି ଗାଡ଼ି ପାଇଁ ପରେ ନିଷ୍ପତ୍ତି ନିଆଯାଇଥିଲା।

ଗୋଟିଏ ବିବାଦ ତୁଟିବା ପରେ ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଟେଣ୍ଡର କରିଥିଲେ। ମାତ୍ର ଏହି ଟେଣ୍ଡର ପ୍ରକ୍ରିୟାରେ କୌଣସି କମ୍ପାନି ଅଂଶଗ୍ରହଣ କରି ନ ଥିଲେ। ଫଳରେ ଏହି ପ୍ରକ୍ରିୟା ପୁଣିଥିରେ ଘୁଞ୍ଚି ଯାଇଥିଲା। ଏବେ ପୁଣିଥରେ ହସ୍ପିଟାଲ କର୍ତୃପକ୍ଷ ଟେଣ୍ଡର କରିବା ପାଇଁ ଯୋଜନା କରିଛନ୍ତି। ତେବେ ପୂର୍ବଭଳି ଏଥର ମଧ୍ୟ ସମାନ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି। ଭୁବନେଶ୍ୱର ଓ ମୁମ୍ବାଇସ୍ଥିତ ଏକ କମ୍ପାନିକୁ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ହସ୍ପିଟାଲ କର୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଇ-ଷ୍ଟ୍ରେଚର ପାଇଁ ଓଡ଼ିଶାରେ କୌଣସି କମ୍ପାନି ନାହାନ୍ତି। ପୂର୍ବରୁ ଏଥିପାଇଁ ଟେଣ୍ଡର କରାଯାଇଥିଲେ ହେଁ ଏହି ସମସ୍ୟା ଉପୁଜିଥିଲା। ତେଣୁ ପୁଣିଥରେ ଏଥିପାଇଁ ଟେଣ୍ଡର କରାଯିବ। ଏଥିପାଇଁ ସାଂସଦଙ୍କ ପାଣ୍ଠିରୁ ପ୍ରାୟ ୫ଲକ୍ଷ ଟଙ୍କା ଆସି ସାରିଛି। ଟେଣ୍ଡର ପରେ ଗାଡ଼ି ଚଳାଇବା ନେଇ ସବୁକିଛି ସ୍ପଷ୍ଟ ହେବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe