ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଡାକ୍ତର ଓ କର୍ମଚ‌ାରୀ ଅଭାବରୁ ରୋଗୀମାନେ ଯେତିକି ହଇରାଣ ହେଉଛନ୍ତି, ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମଧ୍ୟ ସମ ପରିମାଣରେ ହରଡ଼ଘଣାରେ ପଡ଼ୁଛନ୍ତି। ହସ୍ପିଟାଲ୍‌ର ପ୍ରଶାସନିକ ବିଭାଗରେ ମଧ୍ୟ କର୍ମଚାରୀ ଅଭାବ ସବୁ ସମସ୍ୟାକୁ ବଳେଇ ପଡ଼ୁଛି। ଏସବୁ ଭିତରେ ବିଧାନସଭା ଅଧିବେଶନ, ଲୋୟର୍‌ ପିଏମ୍‌ଜିରେ ଗଣଧାରଣା ଓ ଭିଭିଆଇପି ଗସ୍ତ ଏହି ହସ୍ପିଟାଲ୍‌ ଉପରେ ଅତିରିକ୍ତ ଚାପ ବଢ଼ାଉଛି। 

Advertisment

Odisha Model School: ବିକଳାଙ୍ଗ ହେଲାଣି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ୩୧୫ ସ୍କୁଲରେ ଖାଲିପଡ଼ିଛି ୨୪୬୭ ଶିକ୍ଷକ ପଦ

କ୍ୟାପିଟାଲ୍‌ ହସ୍ପିଟାଲ୍‌ ପିଜିଆଇରେ ପରିଣତ ହେବା ପରେ ଲୋକଙ୍କ ଅଶା ଓ ଭରସା ବଢ଼ିଛି। ତେଣୁ ସ୍ବାଭାବିକ ଭାବେ ଏଠାରେ ରୋଗୀ ସଂଖ୍ୟା ବୃଦ୍ଧି ଘଟିଛି। ୨୦୨୧ ମସିହାରେ ଏଠାକୁ ଦୈନିକ ପ୍ରାୟ ୨୦୦୦ ରୋଗୀ ଆସୁଥିଲେ। ଏବେ ପ୍ରାୟ ୫୦୦୦ ରୋଗୀ ଆସୁଛନ୍ତି। ଏହାସହ ଜରୁରୀକାଳୀନ ବିଭାଗ‌କୁ ମଧ୍ୟ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ହସ୍ପିଟାଲ୍‌ ପିଜିଆଇ ହେଲା ସିନା ସେଥିପାଇଁ ଯାହା ଯାହା ଆବଶ୍ୟକ, ସେତକ ପୂରଣ ହୋଇପାରିଲା ନାହିଁ। ଏବେ ‌ରୋଗୀ ଦେଖିବାକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏହି ହସ୍ପିଟାଲ୍‌ରେ ୧୮୦ଟି ଡାକ୍ତର ପଦବି ଥିବା ବେ‌ଳେ ମାତ୍ର ୧୩୦ ଜଣ କାର୍ଯ୍ୟରତ ଅଛନ୍ତି। ତେଣୁ ୫୦ ଡାକ୍ତର ପଦ ଖାଲି ପଡ଼ିଛି। ରାଜଧାନୀର ପ୍ରମୁଖ ଡାକ୍ତରଖାନାରେ ୫୦ ଡାକ୍ତର ପଦ ଫାଙ୍କା ପଡ଼ିବା କିଛି କମ୍‌ କଥା ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ହୋଇଛି। ରାଜଧାନୀର ବଡ଼ ଡାକ୍ତରଖାନାର ଚିତ୍ର ଯଦି ଏଭଳି ଦୟନୀୟ, ରାଜ୍ୟର ଉପାନ୍ତ ଅଞ୍ଚଳର କଥା କିଭଳି ଥିବା ଜଳଜଳ ଦେଖାଯାଉଛି। ଅବଶ୍ୟ କିଛି ଅସ୍ଥାୟୀ ଡାକ୍ତରଙ୍କୁ ନେଇ ବିଭିନ୍ନ ବିଭାଗରେ କାମ ଚଳାଇ ଦିଆଯାଉଛି। ସବୁ ବିଭାଗରେ ଡାକ୍ତର ଅଭାବ ରହିଛି। ଆବଶ୍ୟକ ଡାକ୍ତର ଅଭାବ ଥିବାରୁ ରୋଗୀମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି।

ବୋଝ ବଢ଼ାଉଛି ଭିଭିଆଇପି ଗସ୍ତ
ସାଧାରଣ ଜନତା ହନ୍ତସନ୍ତ

Panchayati Raj Department instructions: ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ: ବାସହୀନଙ୍କୁ ଘର ପାଇଁ ତୁରନ୍ତ ଜମି ଦିଅ

ସେହିଭଳି ଇନ୍‌ଡୋର୍‌ରେ ମଧ୍ୟ ଡାକ୍ତର ଅଭାବ ଥିବା ଅଭିଯୋଗ ହେଉଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଜରୁରୀକାଳୀନ ବିଭାଗରେ ଡାକ୍ତର ପଦବି ଖାଲି ରହିଛି। ୨୪ ଘଣ୍ଟା ଚାଲୁଥିବା ଜରୁରୀକାଳୀନ ବିଭାଗରେ ୩୪ ଜଣ ଡାକ୍ତର ରହିବା ସ୍ଥଳେ ୨୨ ଜଣ ଡାକ୍ତର ନାହାନ୍ତି। ସେହି ବିଭାଗଟି ମଧ୍ୟ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଡାକ୍ତର‌ଙ୍କ ଉପରେ ନିର୍ଭରଶୀଳ। ଅନ୍ୟ ପକ୍ଷରେ ଅସ୍ଥାୟୀ ଡାକ୍ତରମାନେ କାମ ଚାପରେ ରହିବାକୁ ନାରାଜ। କିଛି ଦିନ ରହି ଅନ୍ୟ ସ୍ଥାନରେ ଚାକିରି ପାଇଲେ ପଳାଉଛନ୍ତି। ଫଳରେ ଜରୁରୀକାଳନୀ ବିଭାଗରେ ବିଭିନ୍ନ ସିଫ୍ଟରେ ୩ ଜଣ ଡାକ୍ତର ସ୍ଥାନରେ ୨ଜଣ ଡାକ୍ତରରେ ରୋଗୀ ସେବା ଚାଲିଛି। ଏହାବାଦ ଜରୁରୀକାଳୀନ ବିଭାଗରେ ନିୟୋଜିତ ଡାକ୍ତରମାନେ ରକ୍ତ ସଂଗ୍ରହ କ୍ୟାମ୍ପ, ଭିଭିଆଇପି ଗସ୍ତ, ବିଭିନ୍ନ ଧାରଣାସ୍ଥଳ ଆଦିରେ ଡ୍ୟୁଟିରେ ଯାଉଥିବାରୁ ଜରୁରୀକାଳୀନ ବିଭାଗର ସ୍ଥିତି ବିଗିଡ଼ିଯାଇଛି। ସେହିଭଳି ହସ୍ପିଟାଲରେ ମଧ୍ୟ ଆବଶ୍ୟକ ମୁତାବକ ନର୍ସିଂ ଅଫିସର ନାହାନ୍ତି। ୩୦୦ ପଦବି ମଧ୍ୟରୁ ୭୦ଟି ଖାଲି ରହିଛି।

ହସ୍ପିଟାଲରେ ସମୁଦାୟ ୭୫୦ଟି ଶଯ୍ୟା ରହିଥିବା ବେଳେ ଏହାଠାରୁ ଢେର ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି। ବର୍ଷା ଦିନରେ ଏହି ସଂଖ୍ୟା ୧୦୦୦ ଛୁଇଁ ଯାଉଛି। ଦୈନିକ ପ୍ରାୟ ୧୫୦ ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହେଉଛନ୍ତି। ଏତେ ରୋଗୀଙ୍କୁ ସେବା ଦେବାପାଇଁ ନର୍ସିଂ ଅଫିସରଙ୍କ ଅଭାବ‌ ରହିଛି। ତେଣୁ ଆଉଟସୋର୍ସିଂ ନର୍ସ ଓ ବିଭିନ୍ନ ନର୍ସିଂ କଲେଜରୁ ଇଣ୍ଟର୍ଣ୍ଣସିପ୍‌ ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା କାମ ଚଳାଇ ଦିଆଯାଉଛି। ୱାର୍ଡରେ ରୋଗୀଙ୍କୁ ସେବା ଯୋଗାଇବାରେ ବିଳମ୍ବ ହୋଇଥିବାରୁ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ଦେଖା ଦେଉଛି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, କର୍ମଚାରୀ ଅଭାବ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଖୁବ ଶୀଘ୍ର ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ ହେବ ବୋଲି ଆଶା କରାଯାଉଛି।