ଏମିତି ଭିକାରିମୁକ୍ତ ହେଉଛି ରାଜଧାନୀ: ଆଶ୍ରୟସ୍ଥଳୀ ନା ବନ୍ଦୀଶାଳା!

Advertisment

ସକାଳେ ପେଟପୂରା ଜଳିଖିଆ ମିଳୁନି, ଆଶ୍ରୟସ୍ଥଳୀରୁ ଲୁଚି ପଳାଉଛନ୍ତି ଭିକାରି

ସକାଳେ ପେଟପୂରା ଜଳିଖିଆ ମିଳୁନି, ଆଶ୍ରୟସ୍ଥଳୀରୁ ଲୁଚି ପଳାଉଛନ୍ତି ଭିକାରି

ଏମିତି ଭିକାରିମୁକ୍ତ ହେଉଛି ରାଜଧାନୀ: ଆଶ୍ରୟସ୍ଥଳୀ ନା ବନ୍ଦୀଶାଳା!

ଭୁବନେଶ୍ବର : ‘ସକାଳେ ଚାରିଟି ମେରିଗୋଲ୍ଡ ବିସ୍କୁଟ୍‌ ମିଳୁଛି। ଏହା ପରେ ଅପରାହ୍ଣ ୨ଟାରେ ମିଲ୍ । ଚାରିଟି ବିସ୍କୁଟ୍‌ ଖାଇ ଭୋକରେ ୨ଟା ପର୍ଯ୍ୟନ୍ତ ବସିବାକୁ ପଡ଼ୁଛି। ସନ୍ଧ୍ୟା ବେଳେ ମଧ୍ୟ ସେହି ସମାନ ଅବସ୍ଥା। ମାଗଣା ଖାଇବାକୁ ଦିଆଯାଉଛି ସତ; କିନ୍ତୁ ପେଟରେ ଭୋକ ମାରି ଅପେକ୍ଷା କରିବାକୁ ପଡ଼ୁଛି। ତା’ଛଡ଼ା ଆମକୁ ମୁକ୍ତଭାବେ ରହିବାକୁ ଦିଆ ଯାଉନାହିଁ। ମନ ହେଲେ ଟିକେ ବାହାରକୁ ବୁଲିବାକୁ ଛଡ଼ା ଯାଉନାହିଁ। ସବୁବେଳେ ବନ୍ଦୀ ହୋଇ ରହିଲା ଭଳି ରହିବାକୁ ପଡ଼ୁଛି। ତେଣୁ ବନ୍ଦୀଶାଳାରେ ରହିବାକୁ କିଏ ଭଲ ପାଇବ?’ ଏହା ହେଉଛି ରାଜଧାନୀର ବିଭିନ୍ନ ଆଶ୍ରୟସ୍ଥଳୀରେ ରହୁଥିବା ଭିକାରି ଓ ନିରାଶ୍ରିତମାନଙ୍କର ଦୁଃଖଭରା କଥା। ସେଇଥିପାଇଁ ଆଶ୍ରୟସ୍ଥଳୀରେ ରହିବାକୁ ବହୁ ଭିକାରିମା‌ନେ ଇଚ୍ଛା କରୁନାହାନ୍ତି। ଭିକାରିମୁକ୍ତ ରାଜଧାନୀ ଅଭିଯାନରେ ଉଦ୍ଧାର ଭିକାରିମାନଙ୍କ ଉପଯୁକ୍ତ ଥଇଥାନ ହିଁ ଏବେ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି।

ସୂଚନାଯୋଗ୍ୟ ୨୦୧୭ ମସିହା ସର୍ଭେ ଅନୁସାରେ ରାଜଧାନୀରେ ୧୨୭୦ ଜଣ ଭିକାରୀ ଅଛନ୍ତି। ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା କରାଯିବା ପରେ ସହରର ଚିତ୍ର ପରିବର୍ତ୍ତନ କରିବା ପାଇଁ ସରକାର ତତ୍ପର ହୋଇଛନ୍ତି। ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ସରକାର ‘ସହାୟ ଯୋଜନା’ କରିଛନ୍ତି। ଏହି ଯୋଜନାରେ ଭିକାରୀମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କ ଖାଇବା, ପିଇବା ଠାରୁ ଆରମ୍ଭ କରି ରହଣିର ସବୁ ବ୍ୟବସ୍ଥା କରାଯାଇଛି। ଜଣକ ପିଛା ମାସିକ ୩୪୦୦ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା କରାଯାଇଛି। ଦୁଇଟି ବେସରକାରୀ ସଂସ୍ଥା ‘ଆଶ୍ରୟ’ ଓ ‘ବିକାଶ’ ଏହି ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ଦୁଇ ସଂସ୍ଥା ଭୁନେଶ୍ଵରରେ ୮ଟି ଆଶ୍ରୟସ୍ଥଳୀ କରିଥିବାବେଳେ ଉଦ୍ଧାର ଭିକାରିମାନଙ୍କୁ ସେଠାରେ ଥଇଥାନ କରାଯାଇଛି।

publive-image

ଗୋଟିଏ ଆଶ୍ରୟସ୍ଥଳୀର ପରିଚାରିକା ଲୋପାମୁଦ୍ରାଙ୍କ କହିବା କଥା; ଅସହାୟ ଓ ଭିକାରିମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଠାକୁ ଅଣାଯାଉଛି। ସେମାନଙ୍କ ପାଇଁ ଖାଇବା ଓ ରହିବାର ସୁବ୍ୟବସ୍ଥା ମଧ୍ୟ କରାଯାଇଛି। ଏମିତିକି ସେମାନଙ୍କ ଦେହ ଅସୁସ୍ଥ ହେଲେ, ତୁରନ୍ତ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। କିନ୍ତୁ ସେମାନେ ଆଶ୍ରୟସ୍ଥଳକୁ ଆସିବାକୁ ଇଚ୍ଛା କରୁନାହାନ୍ତି। କହୁ କଷ୍ଟରେ ସେମାନଙ୍କୁ ଆଣିବାକୁ ପଡ଼ୁଛି। କିଛି ଦିନ ରହିଲା ପରେ ସେମାନେ ଲୁଚି କରି ପଳାଉଛନ୍ତି।

କିନ୍ତୁ ଆଶ୍ରୟସ୍ଥଳର ପରିଚାଳକଙ୍କ ଏହି କଥାକୁ କିଛି ଭିକାରି ଅସ୍ବୀକାର କରିଛନ୍ତି। ଆଶ୍ରୟସ୍ଥଳରୁ ପଳାଇ ଆସି ପୁଣି ରାମ ମନ୍ଦିର ନକଟରେ ବସୁଥିବା ଜଣେ ବ୍ୟକ୍ତିଙ୍କ କହିଛନ୍ତି; ସରକାର ଆମ ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଆଶ୍ରୟସ୍ଥଳରେ ସବୁ ସୁବିଧା ମିଳୁନାହିଁ। ମୁଖ୍ୟ କଥା ହେଲା ଖାଇବା। ସକାଳୁ ବିସ୍କୁଟ୍‌ କେଇ ଖଣ୍ଡ ଦେଇ ଦିନ ଦି’ଟା ପର୍ଯ୍ୟନ୍ତ ଭାତ ମୁଠାଏ ପାଇଁ ବସାଇ ରଖୁଛନ୍ତି। ବୟସ୍କ ଲୋକ କେତେ ସମୟ ଭୋକ ସମ୍ଭାଳି ବସିବୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସରକାର ରୁଟିନ୍‌ କରିଛନ୍ତି। କିନ୍ତୁ ରୁଟିନ୍‌ ଅନୁସାରେ ଆଶ୍ରୟସ୍ଥଳରେ ଖାଦ୍ୟ ମିଳୁନାହିଁ। ଭିକ୍ଷାବୃତ୍ତି କଲେ କିଛି ଟଙ୍କା ମିଳୁଛି ଓ ପେଟପୂରା ଖାଇବା ବି ମିଳୁଛି। ତେଣୁ ସେଠାରେ କାହିଁକି ରହିବୁ ବୋଲି ସେ କହିଛନ୍ତି। ଆମକୁ ଜବରଦସ୍ତ ଉଠେଇ ନେଇ ଭୋକଉପାସରେ ରଖିବା କ’ଣ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe