ନିଶା ମାଫିଆଙ୍କ ହବ୍ ପାଲଟିଛି ରାଜଧାନୀ: ଦିନକରେ ୯ ଗିରଫ, ୩୦ ଲକ୍ଷର ନିଶା ଜବତ

ନିଶା ମାଫିଆଙ୍କ ହବ୍ ପାଲଟିଛି ରାଜଧାନୀ: ଦିନକରେ ୯ ଗିରଫ, ୩୦ ଲକ୍ଷର ନିଶା ଜବତ

ଭୁବନେଶ୍ବର: ରାଜଧାନୀରେ ଛାଇଗଲେଣି ନିଶା ବେପାରୀ। ଗୋଟିଏ ଦିନରେ ପୁଲିସ ଓ ଅବକାରୀ ବିଭାଗ ହାତରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିର ମନ୍ଦାକିନୀ ଗୋଚ୍ଛାୟତ, ପୁରୀ ଗୋପୀନାଥପୁରର ଅକ୍ଷୟ କୁମାର ମାଝୀ, ଢେଙ୍କାନାଳ ଗୋଡ଼ିଡିହର ସୁଶାନ୍ତ ସାହୁ, ନନ୍ଦନକାନନ ଥାନ ପଦାସାହି ଗ୍ରାମର ସନ୍ତୋଷ ଦାସ, ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା, ଭଦ୍ରକ ଭଣ୍ଡାରିପୋଖରୀର ତ୍ରିଲୋଚନ ମଙ୍ଗରାଜ ମହାପାତ୍ର, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲ୍ଲମର କେ ରମେଶ ସେଠୀ, କନ୍ଧମାଳ ଉଦୟଗିରିର ସଚିନ ଦିଗାଲ ଓ ଉତ୍ତରପ୍ରଦେଶ ଚନ୍ଦୌଲିର ରାମ୍ବାଲି। ସେମାନଙ୍କଠାରୁ ବ୍ରାଉନ୍‌ସୁଗାର, ଗଞ୍ଜେଇ ଓ ବିପୁଳ ମଦ ଜବତ କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ଥାନା ପୁଲିସ ତ୍ରିଶୁଳିଆ ଅଞ୍ଚଳରେ ଚଢ଼ଉ କରି ଗଂଜେଇ ବେପାରୀଙ୍କୁ ଗିରଫ କରିଥିଲା। ଏକ ଗଞ୍ଜେଇ ଭର୍ତ୍ତି କାର୍‌ (ଓଆର୍ ୦୧ଏସ୍ ୨୦୯୩) ଓ ଏକ ବାଇକ୍‌ ଜବତ କରାଯାଇଥିଲା। କାର୍‌ରୁ ୪ଟି ବସ୍ତାରେ ଥିବା ପ୍ରାୟ ୯୦କେଜି ଗଂଜେଇ ଜବତ ହୋଇଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାବାଦ୍ ସେମାନଙ୍କଠାରୁ ୬ହଜାର ଟଙ୍କା, ୭ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

publive-image

ଗିରଫ ବ୍ୟକ୍ତିମାନେ ହେଲେ ସନ୍ତୋଷ, ଅକ୍ଷୟ, ସୁଶାନ୍ତ ଓ ଚିତ୍ତ। ସେହିଭଳି ଶୁକ୍ରବାର ଦିନ ପ୍ରାୟ ୧ଟା ବେଳେ ଏସ୍‌ଟିଏଫ୍ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଛି। ନୂଆପଲ୍ଲୀସ୍ଥିତ କ୍ରାଉନ୍ ହୋଟେଲ୍ ସର୍ଭିସ୍ ରୋଡ୍ ଦେଇ ଜାତୀୟ ରାଜପଥକୁ ଯାଉଥିବା ବେଳେ ଗଞ୍ଜେଇ ଭର୍ତ୍ତି କାର୍‌କୁ ଏସ୍‌ଟିଏଫ୍ ମାଡ଼ି ବସିଥିଲା। ଗିରଫ ବ୍ୟକ୍ତି ହେଲେ କେ ରମେଶ ସେଠୀ ଓରଫ୍ ଗୋପାଳ, କନ୍ଧମାଳର ସଚିନ ଓ ତ୍ରିଲୋଚନ। ଏହି ୩ ନିଶା ମାଫିଆଙ୍କ ପାଖରୁ ୪୦କେଜି ଗଂଜେଇ, କାର୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିଭଳି ତମାଣ୍ଡୋ ଥାନା ଅଞ୍ଚଳରୁ ମଦ ବେପାରୀ ରମ୍ବାଲିକୁ ଗିରଫ କରାଯାଇଛି। ତା’ଠାରୁ ୨୬ଟି ମଦ ବୋତଲ ଜବତ କରାଯାଇଛି। ଅନ୍ୟ ପକ୍ଷରେ ଅବକାରୀ ବିଭାଗ ଆଜି କ୍ୟାପିଟାଲ୍ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ନିଶା ବିକୁଥିବା ମନ୍ଦାକିନୀଙ୍କ ଘରେ ଚଢ଼ଉ କରି ୧୯ ଗ୍ରାମ୍‌ ବ୍ରାଉନସୁଗାର (ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା) ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe