ବାଗ୍‌ଦେବୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ରାଜଧାନୀ: ଏଥର ଚାହିଦା‌ରେ ବଡ଼ ମୂର୍ତ୍ତି

Advertisment
ବାଗ୍‌ଦେବୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ରାଜଧାନୀ: ଏଥର ଚାହିଦା‌ରେ ବଡ଼ ମୂର୍ତ୍ତି

Saraswati Puja

ଭୁବନେଶ୍ୱର: ଦିନକ ପରେ ଶ୍ରୀପଞ୍ଚମୀ। ଅଧିଷ୍ଠିତ ହେବେ ମା’ ବାଗ୍‌ଦେବୀ। ମା’ଙ୍କୁ ପାଛୋଟି ଆଣିବାକୁ ଛାତ୍ରଛାତ୍ରୀ ଓ ସଙ୍ଗୀତ ସାଧକମାନେ ପ୍ରସ୍ତୁତ ହେଲେଣି। ମା’ଙ୍କ ଆଗମନ ପାଇଁ ମୂର୍ତ୍ତିକାରଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଫୁଲ ବେପାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜସ୍ତରରେ ବ୍ୟସ୍ତ।

ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ମୂର୍ତ୍ତିକାରମାନେ ଦିନରାତି ଏକ କରି ମା’ଙ୍କ ମୂର୍ତ୍ତି ଗଢ଼ୁଛନ୍ତି। ହଂସ ଉପରେ ବିରାଜ, ପଦ୍ମଫୁଲ, ଓଁ ଓ ଗଛ ଭିତରେ ମା’ ବିରାଜମାନ କରିବାର ମୂର୍ତ୍ତି ଏଥରକ ଚାହିଦାରେ ରହିଛି। ୟୁନିଟ୍‌-୧ ହାଟ‌ରେ ମୂର୍ତ୍ତି ବେପାର କରୁଥିବା ପାପୁନ ବରାଡ଼ କହିଛନ୍ତି, ୨ ବର୍ଷ ହେଲା ସରସ୍ବତୀ ପୂଜା ଭଲରେ ପାଳନ ହୋଇ ପାରୁନଥିଲା। କରୋନାକୁ ନେଇ ମଧ୍ୟ ମୂର୍ତ୍ତି ତିଆରିରେ କଟକଣା ଥିଲା। ତେଣୁ ବଡ଼ ମୂର୍ତ୍ତି ବିକ୍ରି ହେଉନଥିଲା। ଏଥର କିନ୍ତୁ ବଡ଼ମୂର୍ତ୍ତି ପାଇଁ ବହୁ ଜାଗାରୁ ବରାଦ ଆସିଛି ବୋଲି ସେ କହିଛନ୍ତି। ଶ୍ରୀ ବରାଡ଼ଙ୍କ ପାଖରେ ୧ ଫୁଟ୍‌ରୁ ଆରମ୍ଭ କରି ୧୦ଫୁଟ୍‌ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ଉପଲବ୍ଧ। ଏହାର ଦର ୫୦ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କୋଲ୍‌କାତାରୁ କାରିଗର ଆସି ମୂର୍ତ୍ତି ଗଢ଼ୁଥିବା ବେଳେ ବାଘୁଆ, ପିପିଲି ଓ ଉତ୍ତରା ଆଦିରୁ ମାଟି ଆଣି ମୂର୍ତ୍ତି ଗଢ଼ା ଯାଉଥିବା ସେ ସୂଚନା ଦେଇଛନ୍ତି।

ଧଳା ସେବତୀ ପାଇଁ ଆଗୁଆ ବରାଦି

ଧଳା ରଙ୍ଗ ମା’ ସରସ୍ବତୀଙ୍କ ପସନ୍ଦ ହୋଇଥିବାରୁ ରାଜଧାନୀ‌ର ବିଭିନ୍ନ ଫୁଲ ଦୋକାନରେ ଧଳା ସେବତୀ, ଧଳା ଗୋଲାପ, ଶ୍ବେତପଦ୍ମ ଓ ରଜନୀଗନ୍ଧା ଆଦି ଫୁଲରେ ଭର୍ତ୍ତି ହେଲାଣି। ବିଭିନ୍ନ ସ୍କୁଲ, କଲେଜ ପକ୍ଷରୁ ମଧ୍ୟ ପୂଜା ଦିନ ଧଳା ଫୁଲ ପାଇଁ ଆଗୁଆ ବରାଦ ଦିଆ ସରିଛି। ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ ସପ୍‌ର ବ୍ୟବସାୟୀ ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି, ସରସ୍ବତୀ ପୂଜା ପାଇଁ ବେଙ୍ଗାଲୁରୁରୁ ଧଳା ଫୁଲ ଆଗୁଆ ମଗା ଯାଇଛି। ରଜନୀଗନ୍ଧା ଗଜରା ମାଳ ଛୋଟ ୧୫୦ଟଙ୍କା ରହିଥିବା ବେଳେ ବଡ଼ ମାଳ ୨୫୦ଟଙ୍କା ରହିଛି। ସେହିପରି ଧଳା ସେବତୀ ଗୋଟା ୧୦ରୁ ୨୦ ଟଙ୍କା, ଧଳା‌ ଗୋଲାପ ୨୫ଟଙ୍କା ଓ ଶ୍ବେତପଦ୍ମ ଗୋଟା ୩୦ ଟଙ୍କା ରହିଛି। ଏବେ ଚାହିଦା ଥିବାରୁ ଫୁଲ ଦର ମଧ୍ୟ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ସେ କହିଛନ୍ତି। ଗୁରୁବାର ସରସ୍ବତୀ ପୂଜା ସହ ସାଧାରଣତନ୍ତ୍ର ଦିବସ ଥିବାରୁ ଗେଣ୍ଡୁ ଫୁଲ, ହରଗୌରା, ଟଗର ଫୁଲର ବି ଚାହିଦା ଅଧିକ ରହିବ। ଏସବୁ ଫୁଲ କୋଲକାତାରୁ ଆମଦାନୀ ହୋଇଛି। ଆସନ୍ତାକାଲି ସଂଧ୍ୟା ପରଠାରୁ ବେପାର ଭଲ ହେବ ବୋଲି ସେ କହିଛନ୍ତି।

ଖଡ଼ି ଛୁଆଁଇ ପାଠ ଓ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ

ଛାତ୍ରଛାତ୍ରୀ ଓ କଳା ସାଧକଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ବ ଅଧିକ। ପାଠପଢ଼ା ଆରମ୍ଭ କରିବାକୁ ଯାଉଥିବା ଓଡ଼ିଆ ଘରର କୁନିକୁନି ପିଲାମାନେ ଏହି ଦିନ ସିଲଟରେ ଖଡ଼ି ଛୁଆଁଇଥା’ନ୍ତି। କଳା ଜଗତ, ବିଶେଷକରି ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀମାନେ ମା’ଙ୍କୁ ଆବାହନ କରି ଆଶୀର୍ବାଦ ଭିକ୍ଷା କରିଥା’ନ୍ତି। ଗୁରୁ ଲକ୍ଷ୍ମୀକାନ୍ତ ପାଳିତ କହିଛନ୍ତି, ବ୍ରହ୍ମପୁତ୍ରୀ ସରସ୍ବତୀ ହେଉଛନ୍ତି ସଙ୍ଗୀତର ଦେବୀ, ବିଦ୍ୟାଦାତ୍ରୀ। ହିନ୍ଦୁ ଧର୍ମରେ ପ୍ରତିଟି ସଙ୍ଗୀତଜ୍ଞ ଏହି ଦିନ ମା’ଙ୍କୁ ଆରାଧନା କରିଥା’ନ୍ତି। କୁନି କୁନି ପିଲାମାନଙ୍କୁ ସିଲଟରେ ଏହି ଦିନ ଆମେ ସା ରେ ଗା ମା... ଲେଖାଇ ମା’ଙ୍କ ଚରଣରେ ଅର୍ପଣ କରିବା ସହ ସଙ୍ଗୀତର ସାତ ସୁର ଶିଖାଇଥାଉ। ସରସ୍ୱତୀ ଅର୍ଥ କଳାର ଅଧିଷ୍ଠାତ୍ରୀ ଦେବୀ। ଏହି ଦିନ କିଛି କଳାକାର ଗୀତ ଗାଇ ମଧ୍ୟ ମା’ଙ୍କୁ ଆରଧନା କରିଥା’ନ୍ତି। କଳା ପ୍ରତି ସମର୍ପଣ ଭା‌ବ ହିଁ ମା’ଙ୍କ ପାଇଁ ମହାର୍ଘ୍ୟ ବୋଲି ଗୁରୁ ଶ୍ରୀ ପାଲିତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe