ପଛରେ ରହିଗଲା କ୍ୟାପିଟାଲ ହସ୍ପିଟାଲ : ଘୋଷଣାର ୪ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଓଇଏଚ୍‌ଏମ୍‌ଆଇଏସ୍‌ ବ୍ୟବସ୍ଥା

Advertisment

ଏସ୍‌ସିବିରେ ଆଉଟଡୋର୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ୧୦ରୁ

ଏସ୍‌ସିବିରେ ଆଉଟଡୋର୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ୧୦ରୁ

ପଛରେ ରହିଗଲା କ୍ୟାପିଟାଲ ହସ୍ପିଟାଲ : ଘୋଷଣାର ୪ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଓଇଏଚ୍‌ଏମ୍‌ଆଇଏସ୍‌ ବ୍ୟବସ୍ଥା

Ommcom News

ଭୁବନେଶ୍ବର: ୨୦୧୮ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ସୁଦୃଢ଼ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏଥିରେ ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ଇନ୍‌ଫରମେସିନ୍ ସିଷ୍ଟମ୍ ବା ଓଇଏଚ୍‌ଏମ୍‌ଆଇଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଏସ୍‌ସିବିରେ ପରୀକ୍ଷାମୂଳକ ଭାବେ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଘୋଷଣା ହୋଇଥିଲା। ସେଣ୍ଟର୍‌ ଫର୍‌ ଡେଭଲପମେଣ୍ଟ ଅଫ୍‌ ଆଡଭାନ୍ସ କମ୍ପ୍ୟୁଟିଂ ବା ସିଡାକ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ ରାଜ୍ୟ ସରକାର। ୪ ବର୍ଷ ପରେ ଆସନ୍ତା ମାସରୁ ଏସ୍‌ସିବି ମେଡିକାଲ କଲେଜରେ ଆଉଟଡୋର ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ମାତ୍ର ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ଘୋଷଣା ହୋଇଥିବା କ୍ୟାପିଟାଲ ହସ୍ପିଟାଲ ଏଥିରେ ପଛରେ ପଡ଼ି ଯାଇଛି। ଏବେ ଏସ୍‌ସିବିରେ ଏହି ଅନ୍‌ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାର ସଫଳତା ଉପରେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ଲାଗୁ କରାଯିବ କି ନାହିଁ ନିର୍ଭର କରୁଛି।

ଓଇଏଚ୍‌ଏମ୍‌ଆଇଏସ୍‌ ବ୍ୟବସ୍ଥାରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟସେବା ତଥା ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥାର ସଂପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ଦ୍ବାରା ରେକର୍ଡ ରହିପାରିବ। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ସୂଚନା, କେଉଁ ଡାକ୍ତର ପୂର୍ବରୁ କ’ଣ ପରାମର୍ଶ ଦେଇଛନ୍ତି, ରୋଗୀ କେଉଁ ପରୀକ୍ଷା କରିଛନ୍ତି ଓ ଏହାର ରିପୋର୍ଟ ଆଦି ସ୍ବୟଂଚାଳିତ ପଦ୍ଧତିରେ ସହଜରେ ଜଣାପଡ଼ିବ। ଫଳରେ ଡାକ୍ତର ଓ ଫାର୍ମାସିଷ୍ଟମାନଙ୍କୁ କାଗଜପତ୍ରରେ ରେକର୍ଡ ଲେଖିବା ପାଇଁ ସମୟ ବିନିଯୋଗ କରିବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ସରକାରୀ ସ୍ବାସ୍ଥ୍ୟସେବା ପ୍ରଦାନକାରୀ କାର୍ଯ୍ୟଶୈଳୀରେ ଯାଞ୍ଚ, ନିରୀକ୍ଷଣ ତଥା ରାଜ୍ୟରେ କେଉଁ ରୋଗର ପ୍ରାଦୁର୍ଭାବ କେତେ, ତାହା ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

କ୍ୟାପିଟାଲ ହସ୍ପିଟାଲରେ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିବା ପାଇଁ କିଛି ବର୍ଷ ପୂର୍ବରୁ ପରୀକ୍ଷାମୂଳକ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ୨ଟି ବିଭାଗରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ହସ୍ପିଟାଲ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ସମସ୍ୟା ଓ ଅନ୍ୟ କାରଣ ପାଇଁ ତାହା ଫଳପ୍ରଦ ହୋଇପାରିଲା ନାହିଁ। ଶେଷରେ ଏହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ଏହାସହ ସପ୍ତାହରେ ଗୋଟିଏ ଦିନ ସୁପର ସ୍ପେସାଲିଷ୍ଟ ଆଉଟଡୋର୍ କାର୍ଯ୍ୟ କରୁଛି। ଏସବୁ ବିଭାଗ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ପରିସ୍ଥିତି ଏପରି ହେଉଛି ଯେ ରାତିରୁ ଲୋକମାନଙ୍କୁ ଟିକେଟ୍‌ ପାଇଁ ଧାଡ଼ି ବାନ୍ଧିବାକୁ ପଡ଼ୁଛି।

କିନ୍ତୁ ହସ୍ପିଟାଲରେ ଯଦି ଓଇଏଚ୍‌ଏମ୍‌ଆଇଏସ୍‌ ବ୍ୟବସ୍ଥା ଲାଗୁ ହୋଇଥା’ନ୍ତା,‌ ଲୋକମାନେ ଘରେ ବସି ସେମାନଙ୍କର ଓପିଡି ବା ବହର୍ବିଭାଗ ଟିକେଟ୍‌ କରିପାରି‌ଥାନ୍ତେ। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହା ଶୀଳତ ଭଣ୍ଡାରକୁ ଚାଲି ଯାଇଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ହସ୍ପିଟାଲକୁ ଆସିବା ପରେ ପଞ୍ଜୀକରଣ କରାଯାଉଛି। ମାତ୍ର ଘରୁ ଏହି ବ୍ୟବସ୍ଥା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏସ୍‌ସିବିରେ ଏହି ବ୍ୟବସ୍ଥା ସଫଳ ହେଲେ ପରବର୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ଲାଗୁ କରାଯିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe