କାର୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Advertisment

ଫୋନ୍ କରି ହତ୍ୟା ଧମକ ଦେଇଥିଲେ

ଫୋନ୍ କରି ହତ୍ୟା ଧମକ ଦେଇଥିଲେ

କାର୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାତି ଅଧରେ ଫୋନ୍‌ କରି ବହେ ଗାଳି କଲେ। ତୁରନ୍ତ ଘର ବାହାରକୁ ଆସି ଦେଖା କରିବାକୁ କହିଲେ। କଥା ନ ମାନିବାରୁ ବାହାରେ ଥୁଆ ହୋଇଥିବା ତାଙ୍କ ଦାମିକିଆ କାର୍‌ ଜାଳିଦେଲେ। ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଅଞ୍ଚଳରେ ଗତ ରାତିରେ ଦୁଇଜଣ ଦୁର୍ବୃତ୍ତ ପାଖାପାଖି ୪ ଘଣ୍ଟା ଧରି ଏମିତି ଆତଙ୍କ ଖେଳାଇଥିଲେ। ଏ ସଂପର୍କରେ କାର୍‌ ମାଲିକ ସରୋଜ କୁମାର ପାତ୍ର ଆଜି ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର କିଏ ଓ କାହିଁକି ତାଙ୍କୁ ଫୋନ୍ କରି ଧମକ ଦେଇଛି ଏବଂ କାର୍ ନିଆଁ ଲଗାଇଛି ସେ ଜାଣି ନଥିବା ପୁଲିସକୁ କହିଛନ୍ତି।
ସରୋଜଙ୍କ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍‌ ଆସିଥିଲା।

ଫୋନ୍ କରିଥିବା ଯୁବକଜଣଙ୍କ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଘରୁ ବାହାରକୁ ଆସି ତାଙ୍କୁ ଦେଖା କରିବାକୁ ଡାକିଥିଲେ। ସରୋଜ ଯୁବକଙ୍କୁ ତାଙ୍କ ପରିଚୟ ପଚାରିବା ସହ କାହିଁକି ଧମକ ଦେଉଛ ବୋଲି ପଚାରିଥିଲେ ହେଁ ସେ ଉତ୍ତର ଦେଇନଥିଲେ। ତେବେ ବାରମ୍ବାର ଯୁବକଜଣଙ୍କ ଫୋନ୍‌ କରିବାରୁ ସରୋଜ ଭୟରେ ଫୋନ୍‌କୁ ବନ୍ଦ କରି ଦେଇଥିଲେ। ଏହାର କିଛି ସମୟ ପରେ ଦୁଇଜଣ ଯୁବକ ତାଙ୍କ ଘର ଆଗରେ ପାଟିତୁଣ୍ଡ କରିବା ସହ ଗାଳିଗୁଲଜ କରିଥିଲେ। ରାତି ୧୨ଟାରୁ ୪ଟା ପର୍ଯ୍ୟନ୍ତ ସେମାନେ ତାଙ୍କ ଘର ଆଗରେ ଏମିତି ପାଟିତୁଣ୍ଡ, ହୋ-ହଲ୍ଲା କରିବା ପରେ ସେଠାରେ ଥୁଆ ହୋଇଥିବା ତାଙ୍କ କାର୍(ଓଡି-୦୨ଡି ୦୦୦୩)ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରୋଜଙ୍କ କାର୍ କିଏ ଜଳାଇଛି ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe