ଚନ୍ଦକା ମଧୁପୁରରେ ପୁଲିସକୁ ଆକ୍ରମଣ ମାମଲା: ୬ ମହିଳାଙ୍କ ସମେତ ୩୩ ଗିରଫ

Advertisment

ଲାଗିଲା ବିଏନ୍‌ଏସ୍‌ ଦଫା ୧୦୯, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ଲାଗିଲା ବିଏନ୍‌ଏସ୍‌ ଦଫା ୧୦୯, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ଚନ୍ଦକା ମଧୁପୁରରେ ପୁଲିସକୁ ଆକ୍ରମଣ ମାମଲା: ୬ ମହିଳାଙ୍କ ସମେତ ୩୩ ଗିରଫ

ଭୁବନେଶ୍ବର/ମେଣ୍ଢାଶାଳ: ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ରାଜଧାନୀ ଉପକଣ୍ଠ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ବହୁ ମହିଳା ମଧ୍ୟ ପିଲାଛୁଆଙ୍କୁ ଧରି ଗାଁ ଛାଡ଼ି ପଳାଇଛନ୍ତି। ପୁଲିସ ଚଢ଼ଉ ଭୟରେ ଗାଁରେ ଭୟର ବାତାବରଣ ଲାଗିରହିଛି। ଏବେ ଗାଁରେ କିଛି ବୟସ୍କ ଲୋକ ଓ ନାବାଳକମାନଙ୍କୁ ଦେଖିବାକୁ ମିଳୁଛି।

୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର ଏକ ଜମିକୁ ନେଇ ଏହି ଗଣ୍ଡଗୋଳ ଘଟିଥିଲା। ଗ୍ରାମବାସୀମାନଙ୍କ କହିବା କଥା ଜମିଟି ବହୁ କାଳରୁ ପଡ଼ିଆ ପଡ଼ିଛି। ଗ୍ରାମବାସୀମାନେ ଗାଁର ପର୍ବପର୍ବାଣୀ ପାଇଁ ଜମିକୁ ବ୍ୟବହାର କରିଆସୁଛନ୍ତି। ତେଣୁ ଜମିଟି ସରକାରୀ। ଏବେ ରଞ୍ଜନ ମହାପାତ୍ର ଜାଲ୍‌ କାଗଜପତ୍ର ବଳରେ ଏହି ଜମିକୁ କବ୍‌ଜା କରିବାକୁ ବସିଛନ୍ତି। ସେମାନେ ଗାଁ ଜମି ଛାଡ଼ିବେ ନାହିଁ। କିନ୍ତୁ ରଞ୍ଜନଙ୍କ ସୂଚନାନୁସାରେ ଜମିଟି ମୂଳରୁ ସ୍ଥିତିବାନ ଓ ତାହାର ମୂଳ ମାଲିକ ହେଉଛନ୍ତି ଗଙ୍ଗପଡ଼ା ଗ୍ରାମଡିହର ଟିକନ ପଟ୍ଟନାୟକ। ସ୍ବର୍ଗତ ଟିକନ ୯୦ ଦଶକରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ବିକ୍ରି କରିଥିଲେ ଏବଂ ୨୦୦୨/୦୩ରେ ଶ୍ରୀ ଢାଲିଙ୍କଠାରୁ ସେ ଏହି ଜମି କିଣିଥିଲେ। ଜମିର ‌ରେକର୍ଡପତ୍ର ସବୁ ଠିକ୍ ଅଛି। କିନ୍ତୁ ନିହାତି ଆବଶ୍ୟକ ପଡ଼ି ନଥିବାରୁ ଜମିଟି ପଡ଼ିଆ ପଡ଼ିଥିଲା। ଏବେ ସେ ଜମି ଚାରିପଟେ ପାଚେରି କରିବାକୁ ପ୍ରସ୍ତୁତ ହେବା ବେଳେ ଗ୍ରାମବାସୀମାନେ ବିରୋଧ କରୁଛନ୍ତି। ଜମିଟି ସରକାରୀ ବୋଲି ଭୁଲ୍ ଅଭିଯୋଗ କରି ଗଣ୍ଡଗୋଳ କରୁଛନ୍ତି। ଏମିତିକି ଜମି ଦଖଲ ନେବାକୁ ହେଲେ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି। ତେଣୁ ବାଧ୍ୟ ହୋଇ ସେ ପୁଣି ସରକାରୀ ମାପଚୁପ କରାଇବାକୁ ରାଜସ୍ବ ବିଭାଗ ଓ ପୁଲିସର ସହାୟତା ନେଇଥିଲେ।

୧୦ ତାରିଖ ଦିନ ଚନ୍ଦକା ଥାନା ପୁଲିସ ଉପସ୍ଥିତିରେ ସରକାରୀ ଅମିନ ଓ ଆର୍‌ଆଇଙ୍କ ଉପସ୍ଥିତିରେ ମାପଚୁପ ହେଉଥିଲା। ହଠାତ୍ ଗ୍ରାମର ପୁରୁଷ ଓ ମହିଳାମାନେ ସେଠାରେ ପହଞ୍ଚି ମାପଚୁପ ବନ୍ଦ କରିବାକୁ ଅଡ଼ି ବସିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଗ୍ରାମବାସୀମାନେ ପୁଲିସ କଥା ଶୁଣି ନଥିଲେ। କଥା କଟାକଟିରୁ ଗଣ୍ଡଗୋଳ ବଢ଼ିଥିଲା। ଗ୍ରାମବାସୀମାନେ ଉଭୟ ଜମି ମାଲିକ ରଞ୍ଜିତ ଓ ପୁଲିସକୁ ଆକ୍ରମଣ କରିଥିଲେ। ପୂର୍ବରୁ ଗଣ୍ଡଗୋଳ ପାଇଁ ପ୍ରସ୍ତୁତ ହୋଇଥିବା ଗ୍ରାମବାସୀମାନେ ଠେଙ୍ଗାବାଡ଼ି, ବହ୍ଲା ଆଦି ଧରି ଆକ୍ରମଣ କରିଥିଲେ। ହାତଗଣତି କିଛି ପୁଲିସ କର୍ମଚାରୀ ଗ୍ରାମବାସୀଙ୍କ ଉଗ୍ର ରୂପ ଦେଖି ଭୟରେ ଘଟଣାସ୍ଥଳରୁ ଦୌଡ଼ିଥିଲେ। ତଥାପି ଗ୍ରାମବାସୀମାନେ ପୁଲିସ ପିଛା ଛାଡ଼ି ନଥିଲେ। ସେମାନେ ଗୋଡ଼ାଇ ଗୋଡ଼ାଇ ପୁଲିସ କର୍ମଚାରୀମାନଙ୍କୁ ପିଟିପିଟି ଲହୁଲୁହାଣ କରିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡ଼ି ନଥିଲା। ପୁଲିସ ବିରୋଧରେ ପାଲଟା ଅଭିଯୋଗ କରି କାଟେଣୀ-ଶ୍ୟାମପୁର ରାସ୍ତା ଅବରୋଧ କରିଥିଲେ। ପରେ ଚନ୍ଦକା ଥାନା ଅଧିକ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

‌ନେତାଙ୍କ ଗିରଫକୁ ନେଇ ଚର୍ଚ୍ଚା
ଏହି ମାମଲାରେ ଗିରଫ ହୋଇଥିବା ୩୩ ଜଣଙ୍କ ମଧ୍ୟରେ ଥିବା ବିଦ୍ୟାଧର ଦେହୁରୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ପ୍ରମୁଖ ରାଜନୈତିକ ଦଳରୁ ଏକଦା ସେ ବିଧାୟକ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ରହୁଥିବା ବିଦ୍ୟାଧରଙ୍କ ପୈତୃକ ଘର ମଧୁପୁର ଗାଁରେ ନୁହେଁ। ପୁଲିସ ସୂଚନାନୁସାରେ ସେ ଗ୍ରାମବାସୀଙ୍କୁ ଉସୁକାଇ ଗଣ୍ଡଗୋଳ ବଢ଼ାଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe