ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା: ଜେଲ୍‌ ଫେରନ୍ତା କନେଷ୍ଟବଳ ସମେତ ୩ ଗିରଫ

Advertisment
ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା: ଜେଲ୍‌ ଫେରନ୍ତା କନେଷ୍ଟବଳ ସମେତ ୩ ଗିରଫ

ଜଟଣୀ: ଗତକାଲି ସନ୍ଧ୍ୟାରେ ତିରିମଲ କମାରସାହିର ଦେବାଶିଷ ସାହୁଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଜଟଣୀ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ତିରିମଲ ପାଇକସାହିର ଦିଲୀପ କୁମାର ବଡ଼ଜେନା (୩୨), ବବ୍ରୁବାହନ ପ୍ରଧାନ (୪୦) ଓ ପାତ୍ରସାହିର ତାପସ ପାତ୍ର (୨୯)। ବବ୍ରୁବାହନ ସପ୍ତମ ବାଟାଲିୟନ୍‌ରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ପୂର୍ବରୁ ସେ ଏକ ହତ୍ୟାକାଣ୍ଡ ମାମଲାରେ ଜେଲ୍‌ ଯାଇଥିଲେ ଏବଂ ଜାମିନରେ ଅଛନ୍ତି। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା ଜବତ କରାଯାଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ସାଢେ଼ ୫ଟା ବେଳେ ଦେବାଶିଷ ତିରିମଲ ପେଟ୍ରୋଲ ପମ୍ପରୁ ବେଗୁନିଆପଡ଼ା ଆଡ଼କୁ ଯାଉଥିଲେ। ଦୟାନଦୀ ତିରିମଲ ବ୍ରିଜ୍ ଉପରେ ତାଙ୍କୁ ଅଭିଯୁକ୍ତମାନେ ଜବରଦସ୍ତ ଅଟକାଇଥିଲେ। ଦେବାଶିଷଙ୍କୁ ବଟି ମାଗି ସେମାନେ ଗାଳିଗୁଲଜ କରିଥିଲେ। ଦେବାଶିଷ ଟଙ୍କା ଦେବାକୁ ମନା କରିବାରୁ ସେମାନେ ତାଙ୍କୁ ପ୍ରଥମେ ଖଣ୍ଡାରେ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରୁ ବଞ୍ଚିବାକୁ ଯାଇ ଦେବାଶିଷ ପଛକୁ ଘୁଞ୍ଚିଯିବା ବେଳେ ପଡ଼ିଯାଇଥିଲେ। ତଥାପି ୩ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରିଦେଇଥିଲେ। ଦେବାଶିଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ। ଲୋକେ ଦେବାଶିଷଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ରାତାରାତି ତିରିମଲ ପାଇକସାହିରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଉଠାଇଥିଲା। ପୁଲିସ ସୂଚନାନୁସାରେ ୩ ଜଣଯାକ ପେସାଦାର ଅପରାଧୀ। ପୂର୍ବରୁ ସମସ୍ତେ ଜେଲ୍‌ ଯାଇଛନ୍ତି ଏବଂ ଜାମିନରେ ଆସି ପୁଣି ଅପରାଧ ଘଟାଉଛନ୍ତି। ବଡ଼ କଥା ହେଉଛି, କନେଷ୍ଟବଳ ବବ୍ରୁବାହନ ଏବେ ଡିଉଟି କରୁନଥିଲେ ହେଁ ତା’ର ଚାକିରି ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe