ଲକଡାଉନ୍‌ ଆଳରେ ଚାଷୀଙ୍କୁ ଲୁଟ୍‌ : ଗୋ-ଖାଦ୍ୟ କଳାବଜାର, ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଚଡ଼କ

Advertisment
ଲକଡାଉନ୍‌ ଆଳରେ ଚାଷୀଙ୍କୁ ଲୁଟ୍‌ : ଗୋ-ଖାଦ୍ୟ କଳାବଜାର, ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଚଡ଼କ

ଚନ୍ଦ୍ରଶେଖରପୁର : କରୋନା ଆସିଲା ନାହିଁ ଯେ ଆମ ମେରୁଦଣ୍ଡ ଭାଙ୍ଗିଦେଲା। ପରିବାର ପ୍ରତିପୋଷଣ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଗଲେ ବଜାରରେ ନିର୍ଧାରିତ ଦରରୁ ଅଧିକ ଦେଇ କିଣିବାକୁ ପଡ଼ୁଛି। ମାତ୍ର ‌ଯାହାକୁ ନେଇ ବ୍ୟବସାୟ ଚାଲୁଛି, ସେମାନଙ୍କ ଖାଦ୍ୟ ଆକାଶଛୁଆଁ ହୋଇଯାଇଥିବାରୁ ଏବେ ଆମକୁ କିଛି ବୁଦ୍ଧିବାଟ ଦିଶୁନି। ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ କ୍ଷୀର ବ୍ୟବସାୟ କରି ଚଳୁଥିବା ହଜାର ହଜାର ଗୋ-ପାଳକମାନେ ଏପରି ମତ ପ୍ରକାଶ କରିଛନ୍ତି। ଗୋଟିଏପଟେ ଲକ୍‌ଡାଉନ୍‌ ଯୋଗୁଁ କ୍ଷୀର ବ୍ୟବସାୟ ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଅନ୍ୟପଟେ ଗୋ-ଖାଦ୍ୟର କଳାବଜାର ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ପୂର୍ବରୁ ଗୋ-ଖାଦ୍ୟ ୫୦ କିଲୋଗ୍ରାମ ବସ୍ତା ପ୍ରତି ୧ହଜାର ଟଙ୍କା ଥିବା ବେଳେ ଲକଡାଉନ୍‌ର ଫାଇଦା ନେଇ ଅସାଧୁ ବ୍ୟବସାୟୀମାନେ ଏବେ ତାହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। କିଛି ସ୍ଥାନରେ ବସ୍ତା ୧୩ ଶହ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଆଉ କିଛି ବ୍ୟବସାୟୀଙ୍କ ପାଟିରୁ ଯାହା ବାହାରୁଛି, ସେୟା ନ ଦେଲେ ଦୋକାନରୁ ଫେରିଯିବା ପାଇଁ କୁହାଯାଉଛି। ଦୁଗ୍ଧଚାଷୀମାନେ ପ୍ରତିଦିନ ୧ କୁଇଣ୍ଟାଲ୍ ଚୁନି, ଚୋକଡ଼ ଓ ଅନ୍ୟାନ୍ୟ ଖାଦ୍ୟ ପଶୁମାନଙ୍କୁ ଖାଇବା ପାଇଁ ଦେଉଥିବା ବେଳେ ବର୍ତ୍ତମାନ ଅସାଧୁ ବ୍ୟବସାୟମାନେ ସେମାନଙ୍କୁ ଆଖିବୁଜା ଲୁଟୁଛନ୍ତି। ରସୁଲଗଡ଼ ଗୋ-ଖାଦ୍ୟ ଗୋଦାମରେ ସରକାରୀ ନିର୍ଧାରିତ ଦରରେ ଗୋ-ଖାଦ୍ୟ ମିଳୁଥିଲେ ହେଁ ସେଠାରୁ ଖୁଚୁରା ବ୍ୟବସାୟୀମାନେ ଆଣି ବିଭନ୍ନ ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଢେର୍‌ ଅଧିକ ଦରରେ ବିକ୍ରି କରୁଛନ୍ତି। ପ୍ରତିବାଦ କଲେ ବି କିଛି ଫଳ ମିଳୁନି। ଗୋଦାମରୁ ଅଧିକ ଦରରେ ଆଣୁଥିବା ସେମାନେ ସଫେଇ ଦେଉଛନ୍ତି।

ଏ ନେଇ ରଙ୍ଗମାଟିଆ ଗ୍ରାମର ଦୁଗ୍ଧଚାଷୀ କ୍ଷ୍ରେତବାସୀ ବେହେରାଙ୍କ ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ପରଠାରୁ ଦୁଗ୍ଧ ଦର ବୃଦ୍ଧି ହୋଇନାହିଁ। କିନ୍ତୁ ବ୍ୟବସାୟୀମାନେ ଗୋ-ଖାଦ୍ୟର କଳାବଜାର କରି ଚାଷୀଙ୍କୁ ଲୁଟୁଛନ୍ତି। ତୁରନ୍ତ ଏହାର ସମାଧାନ ବାଟ କରା ନଗଲେ ଚାଷୀମାନେ ଆଉ ଦୁଗ୍ଧ ଉତ୍ପାଦନ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି। ଅନ୍ୟପକ୍ଷରେ ମଞ୍ଚେଶ୍ବରସ୍ଥିତ ଏକ ଗୋ-ଖାଦ୍ୟ ବ୍ୟବସାୟୀ ଗୋବିନ୍ଦ ସାହୁଙ୍କ ସୂଚନା ଅନୁଯାୟୀ, ସେମାନେ ଗୋଦାମରୁ ଚଢ଼ା ଦରରେ ଗୋ-ଖାଦ୍ୟ କିଣୁଛନ୍ତି। ତେଣୁ ଚାଷୀମାନଙ୍କୁ ଅଧିକ ଦରରେ ବିକିବାକୁ ବାଧ୍ୟ ହେଉଛୁ। ଏହା କଳାବଜାର ନୁହେଁ। କରୋନା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଗଲେ ସମସ୍ୟାର ଆପେ ଆପେ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ଅସାଧୁ ବ୍ୟବସାୟୀ ଓ ନିରୀହ ଗୋ-ପାଳକମାନଙ୍କ ମଧ୍ୟରେ ଚାଲିଥିବା ଅସନ୍ତୋଷ ନେଇ ଖାଉଟି ବିଭାଗ ଘଟଣାର ତଦନ୍ତ କରି ଗୋ-ଖାଦ୍ୟ ବିକ୍ରି ପ୍ରତି ଦରଦାମ ନିୟନ୍ତ୍ରଣ ରକ୍ଷା କଲେ, ଚାଷୀମାନେ ଉପକୃତ ହେବେ ବୋଲି ରାଜଧାନୀ ଉପକଣ୍ଠ ଦୁଗ୍ଧଚାଷୀ ମହାସଂଘ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe