ଭୁବନେଶ୍ବର: ସିଡ୍ବି, ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନିକୁ ଶହେ କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇଥିବା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡ୍(ଏସଏଫପିଏଲ୍) ଏବଂ ଏହାର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ସିଡ୍ବି ଓ ଅନ୍ୟ ୧୭ ବ୍ୟାଙ୍କ ଏବଂ ଫାଇନାନ୍ସ ସଂସ୍ଥା ପକ୍ଷରୁ ସିଡ୍ବିର ଉପ ଆଇନ ପରାମର୍ଶଦାତାଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ବର ସିବିଆଇ ଶାଖାରେ ମାମଲା ରୁଜୁ କରାଯାଇଛି। ସମ୍ବନ୍ଧ ଫିନସର୍ଭ, ଏହାର ଏମଡି ଏବଂ ସିଇଓ ଦୀପକ କିଣ୍ଡୋ, ଦୀପକଙ୍କ ପତ୍ନୀ ଅମ୍ରିତା କିଣ୍ଡୋ, ପୂର୍ବତନ ନିର୍ଦ୍ଦେଶକ ବିନୋଦ ଝା ଓ ଅନ୍ୟମାନଙ୍କ ବିରୋଧରେ ଆଇପିସି ଦଫା-୧୨୦(ବି), ୪୨୦, ୪୦୯, ୪୬୮, ୪୭୧ରେ ମାମଲା ରୁଜୁ ହୋଇଛି। ସିଡ୍ବି, ମୁଦ୍ରା, ୟୁକୋ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, କାନାଡା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଓ ନାବାର୍ଡ ଅଧୀନରେ ପରିଚାଳିତ ୩ଟି ଆର୍ଥିକ ସଂସ୍ଥାକୁ ସମ୍ବନ୍ଧ ଠକେଇ କରିଥିବା ଜଣାପଡ଼ିଛି।
ମିଳିଥିବା ୨୦୧୬ରୁ ୨୦୨୦ ମଧ୍ୟରେ ସିଡ୍ବି ଓ ଅନ୍ୟ ୮ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାକୁ ସମ୍ବନ୍ଧ ଫିନସର୍ଭ ୧୪୧.୮୮ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି କରିଥିବା ନେଇ ମାମଲା ରୁଜୁ ହୋଇଛି। ସେହିପରି ସଂସ୍ଥାର ଆକାଉଣ୍ଟରେ ଥିବା ଟଙ୍କାକୁ ପରିବାର ସଦସ୍ୟ ଓ ପ୍ରମୋଟରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଛି। ଇଓଡବ୍ଲୁ ପରେ ଏବେ ସିବିଆଇ ମାମଲା ରୁଜୁ କରି ଥିବାରୁ ଅଡ଼ୁଆ ବଢ଼ିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୨ ମାର୍ଚ୍ଚ ୧୮ରେ ସମ୍ବନ୍ଧ ଫିନସର୍ଭ ଏମଡି ଓ ସିଇଓ ଦୀପକ କିଣ୍ଡୋଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ଖଣ୍ଡଗିରିସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ଜାଲ କାଗଜପତ୍ର ବଳରେ ୫ କୋଟି ଟଙ୍କା ଋଣ ନେଇ ସମ୍ବନ୍ଧ ଫିନସର୍ଭ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଇଓଡବ୍ଲୁରେ ମାମଲା ରୁଜୁ ହେବା ପରେ ୨୦୨୨ ଜାନୁଆରିରେ ଦୀପକଙ୍କ ପତ୍ନୀ ଅମ୍ରିତାଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ଦୀପକଙ୍କ ପତ୍ତା ନ ମିଳିବାରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ୨୦୨୨ ମାର୍ଚ୍ଚ ୧୮ରେ ଦୀପକଙ୍କୁ ସୁନ୍ଦରଗଡ଼ରୁ ଗିରଫ କରିଥିଲା ଇଓଡବ୍ଲୁ।